www.samajalive.in
Sunday, December 7, 2025
14.1 C
Bhubaneswar

ସୁସ୍ଥ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଚକାବିଜେ

ପୁରୀ : ଶ୍ରୀମନ୍ଦିର ଅନବସର ଘରେ ସୁସ୍ଥ ହେଉଛନ୍ତି ଦାରୁବ୍ରହ୍ମ। ଓଡିଆ ମଠ ଯୋଗାଇଥିବା ଫୁଲୁରି ତେଲ ଲାଗି ପରେ ପ୍ରଭୁଙ୍କ ଜ୍ଵରପୀଡ଼ା ଲାଘବ ହୋଇଛି। ପ୍ରଭୁଙ୍କ ଶ୍ରୀଅଙ୍ଗରେ ଏବେ ଓଷ ଲାଗି କରାଯାଉଛି। ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହେଉଛି ଦଶମୂଳ ମହୋଷଧି। ବିଭିନ୍ନ ପ୍ରକାର ଚେରମୁଳିରେ ପ୍ରସ୍ତୁତ ହେଉଥିବା ମହୋଷଧି ସେବନ ପରେ ଶ୍ରୀଜୀଉ ସଂପୂର୍ଣ୍ଣ ସୁସ୍ଥ ହେବେ। ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଗତ ୨୨ ତାରିଖରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିଥିଲେ ମହାପ୍ରଭୁ। ଫେରିବା ପରେ ପ୍ରଭୁ ଜ୍ବରରେ ପୀଡ଼ିତ ହୋଇଛନ୍ତି। ରତ୍ନ ସିଂହାସନ ପରିବର୍ତ୍ତେ ଅନବସର ଘରେ ଠାକୁରଙ୍କ ଗୁପ୍ତ ସେବା କରାଯାଉଛି। ପ୍ରଭୁଙ୍କୁ ପଣା, ଚକଟା ଏବଂ ଫଳ ଭୋଗ କରାଯାଉଛି। ଦଇତାପତି ଏବଂ ପତି ମହାପାତ୍ର ସେବକ ଅନବସର ଘରେ ସେବାପୂଜା କରୁଛନ୍ତି। ଏହି ସମୟରେ ପଟ୍ଟି ଦିଅଁଙ୍କୁ ଶ୍ରୀମନ୍ଦିରରେ ପୂଜା କରାଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ଵରୀଙ୍କୁ ପୂଜା କରାଯାଉଛି। ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ବ୍ରହ୍ମଗିରି ଯାଇ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପଟ୍ଟି ଦିଅଁଙ୍କ ଦ୍ଵିପ୍ରହର ଧୂପ ପରେ ଜୟ ବିଜୟ ଦ୍ଵାର ବନ୍ଦ କରାଯାଇ ବେହେରଣ ଦ୍ବାର ଖୋଲାଯାଉଛି। ଅନବସର ତାଟି ଖୋଲି ଦଇତାପତି ଏବଂ ପତି ମହାପାତ୍ର ଭିତରେ ପ୍ରବେଶ କରୁଛନ୍ତି। ରବିବାର ଶ୍ରୀଜୀଉଙ୍କ ଅନବସର ସେବା ୯ ଦିନରେ ପହଞ୍ଚିଛି। ଆଜି ଦାରୁବ୍ରହ୍ମ ଚକାବିଜେ କରିବେ। ଅନବସର ଘରେ ତିନୋଟି ଚକା ଉପରେ ଠାକୁରଙ୍କୁ ବିଜେ କରାଯିବ। ମଙ୍ଗଳବାର ଏକାଦଶୀ ତିଥିରେ ଖଳିଲାଗି କରାଯିବ। ଆଗାମୀ ୩ ତାରିଖ ଦ୍ଵାଦଶୀ ତିଥିରେ ରାଜ ପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀନହରକୁ ଯାଇ ପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କୁ ଦଇତାପତି ଜଣାଇବେ।
ଗୁରୁବାର ଘଣାଲାଗି ନୀତି କରାଯିବ। ଆଗାମୀ ୬ ତାରିଖ ଦିନ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ। ପଟ୍ଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ପରେ ୩ ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା କରିବେ ଦାରୁବ୍ରହ୍ମ। ଚଳିତ ମାସ ଗୋଟିଏ ଦିନରେ ଆଗାମୀ ୭ ତାରିଖ ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories