ଆଠଗଡ : ଆଠଗଡର ସର୍ବପୁରାତନ ଶ୍ରୀ ରଘୁନାଥ ରାମଲୀଳା ନାଟ୍ୟ ସଂଘର ରାମଲୀଳାରେ ଶ୍ରୀରାମ ଭୂମିକାରେ ଦୀର୍ଘ ବର୍ଷ ଅଭିନୟ କରିଥିବା ସୁନାମଧନ୍ୟ କଳାକାର ଧନେଶ୍ଵର ଜେନା(୮୦)ଙ୍କ ପରଲୋକ ଘଟିଛି । ଅସୁସ୍ଥ ଥାଇ ନିଜ ପଦ୍ମସାହି ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ଜେନାଙ୍କର ସନ୍ଧ୍ୟା ସାଢେ ଛ’ ଟାରେ ବିୟୋଗ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସମସ୍ତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂଘର ଉପସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା, କର୍ମକର୍ତ୍ତା ପ୍ରଦୀପ୍ତ ଦାସ, ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସଙ୍କ ସମେତ ଅନ୍ୟ ବହୁ ବ୍ୟକ୍ତିବିଶେଷ ଶେଷଦର୍ଶନ କରିବା ସହିତ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କର ଶେଷ ଇଛା ଅନୁଯାୟୀ ତାଙ୍କ ମରଶରୀରକୁ ରାମଲୀଳାର ଶ୍ରୀରାମଙ୍କ ପୋଷାକ ପିନ୍ଧାଇ ଦିଆଯାଇଥିଲା । ଆଠଗଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବଳେ ବଡପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ ।
Popular Categories



