କଟକ: କଟକ ଐତିହାସିକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ଏସସିବି ମେଡ଼ିକାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ଯୁକ୍ତ ଦୁଇ ଛାତ୍ର ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ମୃତକ ଛାତ୍ରଙ୍କ ବୟସ ୧୭ ବର୍ଷ ଏବଂ ସେ କଟକ ତୁଳସୀପୁରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ଯୁକ୍ତ ଦୁଇ ଛାତ୍ର। ଶିଶୁମନ୍ଦିର ଶିକ୍ଷକଙ୍କ କହିବା ଅନୁଯାୟୀ ନାବାଳକ ଜଣକ ହଷ୍ଟେଲରେ ରହୁଥିଲେ ଏବଂ ଆଜି ତାଙ୍କ ଭାଇଙ୍କ ସହ ହଷ୍ଟେଲରୁ ଆସିଥିଲେ।
ଭାଇ ହଷ୍ଟେଲରେ ଛାଡ଼ିବା ପରେ ନାବାଳକ ସହପାଠୀମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲେ ବୋଲି କୁହାଯାଉଛି। ବାଲିଯାତ୍ରାରେ ବୁଲୁଥିବାବେଳେ ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଏବଂ ସହପାଠୀମାନେ ତାଙ୍କୁ ମେଡ଼ିକାଲକୁ ଆଣିଥିଲେ। ମୃତ ଛାତ୍ରଙ୍କ ନାମ ବିଶ୍ବ ପ୍ରକାଶ ମନ୍ଥନ, ଘର ଜଗତସିଂହପୁର ଅଞ୍ଚଳରେ। କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର+୨ ଛାତ୍ର। ସେ ହଷ୍ଟେଲରେ ରହୁଥିବା ବେଳେ ବାଲିଯାତ୍ରା ବୁଲିବାକୁ କାହା ସାଙ୍ଗରେ ଓ କିପରି ଆସିଥିଲେ ଜଣାପଡିନାହିଁ। ତେବେ ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି।



