ହନୁମା ବିହାରୀଙ୍କୁ ସମାଲୋଚନା କରି ଟ୍ରୋଲର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୩ୟ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। ୫ମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି କଙ୍ଗାରୁଙ୍କ ବିଜୟ ଆଶାକୁ ଧୂଳିସାତ୍‌ କରିଦେଇଛନ୍ତି। ତେବେ ଭାରତକୁ ପରାଜୟରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ହନୁମା ବିହାରୀ ଏବଂ ଆର. ଅଶ୍ବିନ। ଆଘାତ ସତ୍ବେ ହନୁମା ଅଢ଼େଇ ଘଣ୍ଟା ଧରି କ୍ରିଜରେ ଛିଡ଼ା ହୋଇ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ସାମ୍ନା କରିଥିଲେ। ଯଦିଓ ସେ ୧୬୧ ବଲ୍‌ ଖେଳି ମାତ୍ର ୨୩ ରନ୍‌ ସଂଗ୍ରହ କରିଥିଲେ, ତାଙ୍କର ଏହି ବ୍ୟାଟିଂ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ।

ବାବୁଲ ସୁପ୍ରିୟୋ ହନୁମା ବିହାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ହନୁମା କ୍ରିକେଟର ହତ୍ୟା କରିଛନ୍ତି ବୋଲି ସୁପ୍ରିୟୋ ଟ୍ବିଟ୍‌ କରିଛନ୍ତି। ତେବେ ତାଙ୍କର ଏହି ଟ୍ବିଟ୍‌ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରିକେଟପ୍ରେମୀ। କ୍ରିକେଟ କଥା ଚିନ୍ତା ନ କରି ରାଜନୀତିରେ ମନୋନିବେଶ କରିବାକୁ କ୍ରିକେଟ ପ୍ରେମୀମାନେ ତାଙ୍କୁ ପରାମର୍ଶ ଦେବା ସହିତ ଅନେକ ଟ୍ରୋଲ କରିଛନ୍ତି।

ଟିମ୍‌ରେ ଅନେକ ଖେଳାଳି ଆଘାତଜନିତ ସମସ୍ୟାରେ ପଡ଼ିଥିବାବେଳେ ହନୁମା ଠିକ୍‌ ଭାବେ ଚାଲିପାରୁ ନ ଥିଲେ ହେଁ ଦୃଢ଼ତାର ସହିତ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇରହିଥିଲେ। ତାଙ୍କ ପରେ ବ୍ୟାଟିଂ କରିବାକୁ ଥିବା ରବୀନ୍ଦ୍ର ଜାଡ଼େଜା ବି ଆଘାତପ୍ରାପ୍ତ ଥିଲେ। ତାଙ୍କ ପୂର୍ବରୁ ଭଲ ଇନିଂସ ଖେଳିଥିବା ଋଷଭ ପନ୍ତ ବି ଆଘାତର ସମ୍ମୁଖୀନ ହୋଇଥିଲେ। ହନୁମା ଶୀଘ୍ର ଆଉଟ୍‌ ହୋଇଯାଇଥିଳେ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା ନିଶ୍ଚିତ। କିନ୍ତୁ ସେଥିରେ ଭାରତର ବିଜୟ ଆଶା କମ୍‌ ରହିଥିଲା। ଏପରି ସ୍ଥଳେ ହନୁମାଙ୍କ ଇନିଂସଙ୍କୁ କ୍ରିକେଟ ପ୍ରେମୀମାନେ ପସନ୍ଦ କରିଛନ୍ତି।

କିନ୍ତୁ ବାବୁଲ ସୁପ୍ରିୟୋ ହନୁମାଙ୍କୁ ଧିମା ବ୍ୟାଟିଂ ପାଇଁ ସମାଲୋଚନା କରିଛନ୍ତି। ବାବୁଲ ଟ୍ବିଟ୍‌ କରି ଲେଖିଛନ୍ତି, ୧୦୯ ବଲରୁ ମାତ୍ର ୭ ରନ୍‌ ସଂଗ୍ରହ କରି ହନୁମା କେବଳ ଭାରତର ବିଜୟ ସୁଯୋଗକୁ ହାତଛଡ଼ା କରିନାହାନ୍ତି, ବରଂ କ୍ରିକେଟର ହତ୍ୟା କରିଛନ୍ତି। ସେ ଯଦି କେବଳ ଖରାପ ବଲ୍‌କୁ ବାଉଣ୍ଡାରୀରେ ପରିଣତ କରିପାରିଥାନ୍ତେ, ତେବେ ଭାରତ ନିଶ୍ଚିତ ବିଜୟ ଲାଭ କରିଥାନ୍ତା।

ତେବେ ହନୁମାଙ୍କୁ ନେଇ ସୁପ୍ରିୟୋଙ୍କ ଟ୍ବିଟ୍‌ ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରିକେଟ ପ୍ରେମୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜନୀତି ଉପରେ ଫୋକସ୍‌ କରିବାକୁ କହିଛନ୍ତି।

Comments are closed.