କେନ୍ଦ୍ର ସରକାର ଦିଲ୍ଲୀର ଧାର୍ମିକ ସ୍ଥଳ ଭାଙ୍ଗିବା ଯୋଜନା କରିଛନ୍ତି : ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍‌ସେନାଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ସିଂହ। ବୁଧବାର ଆତିଶୀ କହିଛନ୍ତି ଯେ ଉପରାଜ୍ୟପାଳ ସାକ୍‌ସେନା ଦିଲ୍ଲୀର ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ଉପରାଜ୍ୟପାଳ ଏପରି ନିର୍ଦେଶ ଦେବାର ଲିଖିତ ପ୍ରମାଣ ତାଙ୍କ ପାଖରେ ଅଛି। ମଙ୍ଗଳବାର ଆତିଶୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ଓ ଅନ୍ୟ ଧାର୍ମିକ ପୂଜାସ୍ଥଳ ଭାଙ୍ଗିବାକୁ ଯୋଜନା କରୁଛନ୍ତି। ଧାର୍ମିକସ୍ଥଳ ଭାଙ୍ଗିବା ସମ୍ପର୍କିତ ନିଷ୍ପତ୍ତିକୁ କାର‌୍ୟ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ଉପରାଜ୍ୟପାଳ, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ, ଦିଲ୍ଲୀ ପୁଲିସ ନିର୍ଦେଶ ଦେଇଛନ୍ତି। ଗତ ନଭେମ୍ବର ୨୨ରେ ଧାର୍ମିକ କମିଟିର ବୈଠକ ହୋଇଥିଲା। ବୈଠକରେ ମନ୍ଦିର ଭାଙ୍ଗିବା ନିଷ୍ପତ୍ତି କାର‌୍ୟ୍ୟକାରୀ କରିବାକୁ ଧାର‌୍ୟ୍ୟ ହୋଇଥିଲା।
ଆତିଶୀ କହିଛନ୍ତି ଯେ ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ସମ୍ପର୍କରେ ଜାଣିବା ପରେ ଏହାକୁ ରୋକିବାକୁ ସେ ଉଦ୍ୟମ କରିଥିଲେ। ଏଥିପାଇଁ ସେ ଉପ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଥିଲେ। ମାତ୍ର ଉପରାଜ୍ୟପାଳଙ୍କ କାର‌୍ୟ୍ୟାଳୟ କହିଥିଲା ଯେ ଦିଲ୍ଲୀରେ ମନ୍ଦିର ଭାଙ୍ଗିବାକୁ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇ ନାହିଁ। ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଆତିଶୀଙ୍କ ଅଭିଯୋଗକୁ ମିଥ୍ୟା କହି ଉପରାଜ୍ୟପାଳଙ୍କ କାର‌୍ୟ୍ୟାଳୟ ଖଣ୍ଡନ କରିବା ପରେ ବୁଧବାର ଏହାର ପ୍ରମାଣ ଉପସ୍ଥାପନ କରିଛନ୍ତି। ଦିଲ୍ଲୀର କେଉଁ କେଉଁ ମନ୍ଦିର ଭାଙ୍ଗିବାକୁ ଉପରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି ତାର ତାଲିକା ମଧ୍ୟ ଆତିଶୀ ଉପସ୍ଥାପନ କରିଛନ୍ତି। ଆତିଶୀ ଆହୁରି କହିଛନ୍ତି ଯେ ଦିଲ୍ଲୀର ମନ୍ଦିର ପୂଜକ ଓ ଗୁରୁଦ୍ବାର ଗ୍ରନ୍ଥୀଙ୍କୁ ଆପ୍ ମାସିକ ୧୮,୦୦୦ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ସମ୍ମାନିତ କରିବାକୁ ଯାଉଥିବାବେଳେ ବିଜେପି ମନ୍ଦିର ଭାଙ୍ଗିବାର ଯୋଜନା ଚଳାଇଛି। ମଙ୍ଗଳବାର ଆତିଶୀଙ୍କ ଅଭିଯୋଗ ପରେ ସାକସେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶସ୍ତା ରାଜନୀତି କରୁଛନ୍ତି। କେଜରିୱାଲଙ୍କ ବିଫଳତାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଆତିଶୀ ଏପରି କରୁଛନ୍ତି ବୋଲି ସାକସେନା କହିଥିଲେ। ଏହା ପୂର୍ବରୁ କେଜରିୱାଲ ଓ ଆତିଶୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଲାଗି ସାକ୍‌ସେନା ଯୋଜନା ଚଳାଇଥିଲେ। ଏଥିପାଇଁ ଆତିଶୀଙ୍କୁ ସାକ୍‌ସେନା ବାରମ୍ବାର ପ୍ରଶଂସା କରିଚାଲିଥିଲେ। ମାତ୍ର ସାକ୍‌ସେନାଙ୍କ ଏହି ଯୋଜନା ବିଫଳ ହୋଇଥିଲା।

Comments are closed.