ସିବିଆଇ ଡିଏସପିଙ୍କୁ ଗିରଫ କଲା ସିବିଆଇ, ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ତଥ୍ୟ ବିକିଥିଲେ

ନୂଆଦିଲ୍ଲୀ: ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ଅଭିଯାନ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ନିଜ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସିବିଆଇ ଡିଏସପି ଆର. କେ. ଋଷି ଏବଂ ଇନ୍ସପେକ୍ଟର କପିଲ ଧନଖଡ଼ ସାମିଲ ଅଛନ୍ତି। ଏକ ମାମଲାରେ ଅଭିଯୁକ୍ତ ଥିବା ୩ଟି ଘରୋଇ କମ୍ପାନୀକୁ ସିବିଆଇର ତଥ୍ୟ ବିକ୍ରି କରିବାକୁ ଏହି ଦୁଇ ଅଧିକାରୀ ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଏହାବ୍ୟତୀତ ସିବିଆଇ ଜଣେ ଆଡ୍‌ଭୋକେଟ ମନୋହର ମାଲିକଙ୍କୁ ବି ଗିରଫ କରିଛି।

ସୂଚନାଯୋଗ୍ୟ, ସିବିଆଇ ବୁଧବାର ଡିଏସପି ଋଷିଙ୍କ ଦେଓବନ୍ଧ ଏବଂ ତାଙ୍କ ପତ୍ନୀଙ୍କ ରୁର୍‌କୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ଗତ ସପ୍ତାହରେ ବି ସିବିଆଇ ପକ୍ଷରୁ ଗାଜିଆବାଦସ୍ଥିତ ସିବିଆଇ ଏକାଡେମୀରେ ନିଯୁକ୍ତ ଏହି  ଦୁଇ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରି ଚଢ଼ାଉ କରାଯାଇଥିଲା।

ସୂଚନା ଅନୁସାରେ, ୨୦୧୮ରେ ୩ଟି ଘରୋଇ କମ୍ପାନୀ ଜାଲ୍‌ କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିଲେ। ଏହି ମାମଲାରେ ସିବିଆଇ ୧୪ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିରେ ଦିଲ୍ଲୀ, ଗ୍ରେଟର ନୋଏଡା, ନୋଏଡ଼ା ଏବଂ ଗାଜିଆବାଦ ଭଳି ସ୍ଥାନ ସାମିଲ ଥିଲା। ଚଢ଼ାଉ ସମୟରେ ପ୍ରମାଣ ମିଳିଥିଲା ଯେ ଦେଓବନ୍ଧରେ ରହୁଥିବା ସିବିଆଇ ଡିଏସପି ଋଷି ଏବଂ ଇନ୍ସପେକ୍ଟର କପିଲ ମାମଲା ସମ୍ବନ୍ଧିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସବୁ ଅଭିଯୁକ୍ତ କମ୍ପାନୀଗୁଡ଼ିକୁ ଦେବା ଲାଗି ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।

ଏହି ତଥ୍ୟ ମିଳିବା ପରେ ସିବିଆଇ ପକ୍ଷରୁ ଡିଏସପି ଏବଂ ଇନ୍ସପେକ୍ଟରଙ୍କ ଘରେ ଆଜି ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ଏହା ସହିତ ସିବିଆଇ ପକ୍ଷରୁ ଏହି ଅଭିଯୁକ୍ତଙ୍କ ସମେତ ବ୍ୟାଙ୍କ ସିକ୍ୟୁରିଟି ଏବଂ ଠକେଇ ସେଲ୍‌ରେ ନିଯୁକ୍ତ ଷ୍ଟେନୋଗ୍ରାଫର ସମୀର ସିଂହ, ଡିଏସିପି ଆର.କେ. ସାଙ୍ଗୱାନଙ୍କୁ ନିଲମ୍ବନ କରାଯାଇଛି।

Comments are closed.