ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୋଷଣ ମାସ ଓ ମା’ ପାଇଁ ଗଛଟିଏ ପାଳିତ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ କେନ୍ଦିଇପୋଷି ଗ୍ରାମ ପଂଚାୟତ ଠାରେ ଜାତୀୟ ପୋଷଣ ମାସ ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନାଧର୍ମୀ ବିଷୟବସ୍ତୁ ସ୍ଥାନ ପାଇଥିଲା। ଆଜିର କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀ ଏବଂ ମା’ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାଏକ ବୃକ୍ଷ ରୋପଣ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ। ପରେ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଶ୍ରୀ ନାୟକ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଓ ବୃକ୍ଷ ରୋପଣର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ବୃକ୍ଷ ହଁ ଜୀବନ, ତେଣୁ ଆମେ ସମସ୍ତେ ଆମ ମା’ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି। ସେହିଭଳି ବିଶିଷ୍ଟ ଶିକ୍ଷାବିତ୍ତ ତଥା ପରିବେଶବିତ୍ତ କୈଳାସ ଚନ୍ଦ୍ର ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୋଷଣ ମାସ ଏବଂ ପରିବେଶ ଉପରେ ଗଭୀର ଆଲୋକପାତ କରିଥିଲେ। କେନ୍ଦିଇପୋଷି ଗ୍ରାମ ପଂଚାୟତ ସରପଞ୍ଚ ମିନାକ୍ଷୀ ନାୟକ ଏବଂ ମୈଦାନକେଲ ସରପଞ୍ଚ ଭାଗିରଥି ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଗତକାଲି କାଶୀପୁର ଠାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କେନ୍ଦୁଝର ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପୁରୀର ମା’ ଦୁଲାଳ ଦେଇ କଳାପରିଷଦର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମହିଳା ଓ ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇଥିଲେ।

Comments are closed.