କୁକୁଡ଼ା ବିରୁଦ୍ଧରେ ମାମଲା, ତେବେ ସିଏ ପୁଣି ପୁରୁଷ କୁକୁଡ଼ା ବା ଗଞ୍ଜା। ମହାରାଷ୍ଟ୍ରର ପୁଣେରେ ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ଏକ ଗଞ୍ଜା ବିରୁଦ୍ଧରେ ଜଣେ ମହିଳା ପୁଲିସ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
ତେବେ ଏଭଳି ପୁଣି ଏକ ମାମଲା ଫ୍ରାନ୍ସରେ ଦେଖିବାକୁ ମିଳିଛି। ସାଧାରଣତଃ ଆମର ଏଠି କୁହାଯାଏ, କୁଆ, କୋଇଲି ଏବଂ ପକ୍ଷୀଙ୍କ ରାବରେ ରାତି ପାହିଥାଏ। ପିଲାଦିନେ ପାଢ଼ାବହିରେ ଥିଲା ‘ ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ।’ କିନ୍ତୁ ଫ୍ରାନ୍ସର ଘଟଣା ଟିକେ ନିଆରା।
ଗଞ୍ଜାର ନାମ ହେଲା ମୌରିସ। ଫେସୟୁ ନାମ୍ନୀ ଜଣେ ମହିଳା ତା’କୁ ପାଳିଛନ୍ତି। କିନ୍ତୁ ପ୍ରତିଦିନ ସକାଳୁ ଗଞ୍ଜାର ରାବ ଯୋଗୁଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଉଛି। ଯାହାଦ୍ବାରା ଧ୍ବନି ପ୍ରଦୂଷଣ ହୋଇଥାଏ ଏବଂ ଲୋକଙ୍କ ନିଦ ଭାଙ୍ଗିଥାଏ ବୋଲି ଅଭିଯୋଗ ହୋଇଛି । ଇସ୍ଲେ ଅଫ୍ ଅଲରାନର ସେଣ୍ଟ ପିୟର ଦ ଅଲରାନ୍ ଗାଁରେ ଏହି ଘଟଣା ଘଟୁଛି। ଅନେକ ଲୋକ ନିଦ୍ରାହୀନତାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରତିଦିନ ସକାଳ ହେବା ଆଗରୁ ଗଞ୍ଜା ଖୁବି ଜୋରରେ ରଡି କରୁଛି।
୨୦୧୭ ଅପ୍ରେଲ ମାସରେ ପ୍ରଥମେ ଏନେଇ ପଡୋଶୀମାନେ ଗଞ୍ଜା ବିରୁଦ୍ଧରେ ଅଭିଯୋଗ କରିଥିଲେ । ପଡୋଶୀମାନେ ମହିଳା ଜଣଙ୍କୁ ନିଜର ଗଞ୍ଜାକୁ ଚୁପ୍ କରିବା ପାଇଁ କହିଥିଲେ । କାରଣ ଗଞ୍ଜାର କର୍କଶ ସ୍ବର ସମସ୍ତଙ୍କୁ ଅତିଷ୍ଠ କରିଛି। ପରେ ସେମାନେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ତେବେ ଏହି ମାମଲା ବିଚାରାଧୀନ ରହିଛି। ସେପ୍ଟେମ୍ବର ସୁଦ୍ଧା ମାମଲାର ଶୁଣାଣୀ ଶେଷ ହେବ ବୋଲି ଆଶା କରାଯାଏ।
ଗଞ୍ଜା ବିରୁଦ୍ଧରେ ମାମଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ
Popular Categories



