ଲକ୍ଷ୍ୟ କାନାଡ଼ା ଓପନ୍ ବିଜେତା
ଓଟାୱା : ଏଠାରେ ରବିବାର ସମାପ୍ତ ହୋଇଥିବା କାନାଡ଼ା ଓପନ୍ ବିଡବ୍ଳ୍ୟୁଏଫ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବିଭାଗରେ ବିଜେତା ହୋଇଛନ୍ତି ଭାରତର ଲକ୍ଷ୍ୟ ସେନ୍। ୨୧ ବର୍ଷ ବୟସ୍କ ଲକ୍ଷ୍ୟ ଫାଇନାଲରେ ଚୀନ୍ର ଲି ସି ଫେଙ୍ଗ୍ଙ୍କୁ ସିଧାସଳଖ ୨୧-୧୮, ୨୨-୨୦ ଗେମ୍ରେ ପରାସ୍ତକରି ଚମ୍ପିଆନ୍ ହୋଇଛନ୍ତି। ଆଲ୍ମୋଡ଼ାର ଏହି ଯୁବ ଖେଳାଳି ଚମତ୍କାର ଗତି ଓ ଶକ୍ତିର ପ୍ରଦର୍ଶନ କରି ଚୀନ୍ର ପ୍ରତିପକ୍ଷଙ୍କୁ ପଛରେ ପକାଇ ପାରିଛନ୍ତି।
ଫାଇନାଲ ମ୍ୟାଚ୍ର ପ୍ରଥମ ଗେମ୍ରେ ଦୁଇ ଖେଳାଳିଙ୍କ ବେଶ୍ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତେବେ ଫେଙ୍ଗ କେତେକ ଭୁଲ୍ ସଟ୍ ଖେଳିବାରୁ ଲକ୍ଷ୍ୟ ଆଗୁଆ ହୋଇଥିଲେ। ଲକ୍ଷ୍ୟ ଭଲ ପ୍ରଦର୍ଶନ ଜାରି ରଖିବା ସହ ପ୍ରଥମ ଗେମ୍କୁ ଜିତିବାରେ ସକ୍ଷମ ହୋଇଥିଲେ। ଦ୍ବିତୀୟ ଗେମ୍ରେ ମୂଳରୁ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏକଦା ଦୁଇ ଖେଳାଳି ୫ ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ ପେଙ୍ଗ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ୪ ପଏଣ୍ଟରେ ଆଗୁଆ ହୋଇଥିଲେ। ତେବେ ଲକ୍ଷ୍ୟ ସେନ ଲଢ଼ୁଆ ପ୍ରଦର୍ଶନ କରି ଖେଳକୁ ସମାନ ସ୍ତରକୁ ଆଣିବାକୁ ସକ୍ଷମ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଦ୍ବିତୀୟ ଗେମ୍କୁ ଟାଇବ୍ରେକର ମାଧ୍ୟମରେ ଜିତି ଲକ୍ଷ୍ୟ ସେନ୍ ବିଜୟୀ ହେବା ସହ କାନାଡ଼ା ଓପନ ଜିତିବାକୁ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ; ଲକ୍ଷ୍ୟ ସେନ୍ ଗତବର୍ଷ ଅଗଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଥିଲେ। ଚଳିତବର୍ଷ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ଲକ୍ଷ୍ୟ ସେନ୍ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତିବାକୁ ସକ୍ଷମ ହୋଇଛନ୍ତି। କାନାଡ଼ା ଓପନ ଜିତିବା ତାଙ୍କ ଆତ୍ମବିଶ୍ବାସକୁ ବଢ଼ାଇ ଦେବା ସହ ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇଥିବା ଲକ୍ଷ୍ୟ ସେନ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି।
Comments are closed.