ଡିପିଆରରେ ତ୍ରୁଟି ପାଇଁ ଓଡ଼ିଶା ହରାଇଲା ୧୫୫କୋଟି

0
ସିଏଜି ରିପୋର୍ଟ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‍ଜିଏସ୍‍ୱାଇ) କାର୍ଯ୍ୟାନ୍ୱୟନ ବେଳେ ସରକାର ନିର୍ଦିଷ୍ଟ ନୀତିନିୟମ ଅନୁପାଳନ କରି ନଥିବାରୁ ରାଜ୍ୟ ସରକାରଙ୍କ ୧୫୫.୩୩କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇବାକୁ ପଡ଼ିଛି। ସେହିପରି ବିଭିନ୍ନ ରାସ୍ତା ନିର୍ମାଣ ଟେଣ୍ଡର ପ୍ରଦନ ବେଳେ ଠିକାଦାରି ପ୍ରୀତି ପାଇଁ ସରକାରଙ୍କ ୫.୪୭କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ବୋଲି ମହାଲେଖାକାର ବିଭୁଦତ୍ତ ବସନ୍ତିଆ କହିଛନ୍ତି।
ଗୁରୁବାର ମହାଲେଖାକାର ସଭା କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବସନ୍ତିଆ କହିଛନ୍ତି ଯେ ୨୦୦୩ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଜନବସତି ଏବଂ ୨୦୦୭ସୁଦ୍ଧା ୫୦୦ରୁ ୧୦୦୦ଜନସଂଖ୍ୟା ବିଶିଷ୍ଟ ଜନବସତିକୁ ଅନ୍ତର୍ଭୁକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମାର୍ଗଦର୍ଶିକାରେ ଲକ୍ଷ୍ୟ ଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୩୭୦୩ଟି ଜନବସତିକୁ ଏହି ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିଲା। ମାତ୍ର ସମୀକ୍ଷା ବେଳେ ଜଣାଯାଇଛି ଯେ ୧୮ହଜାର ୧୭୬ଟି ଯୋଗ୍ୟ ଜନବସତି ମଧ୍ୟରୁ ବିଭାଗ ମାର୍ଚ୍ଚ ୨୦୧୭ ସୁଦ୍ଧା ୧୨ହଜାର ୧୨୮ଟି ଜନବସତିକୁ ସଂଯୋଗୀକରଣ କରିପାରିଛି। ଯୋଜନାର ୧୬ବର୍ଷ ପରେ ରାଜ୍ୟ ସରକାର ମାତ୍ର ୬୭ପ୍ରତିଶତ ଜନବସତିକୁ ସଡ଼କ ଯୋଜନାରେ ସାମିଲ କରାଯାଇଥିବାବେଳେ ଏବେ ବି ୩୩ପ୍ରତିଶତ ଜନବସତି ଏହି ଯୋଜନାରେ ସାମିଲ ହୋଇପାରି ନାହାନ୍ତି କି ଉକ୍ତ ଅଞ୍ଚଳକୁ ଗ୍ରାମ ସଡ଼କଟିଏ ନାହିଁ।
ସେହିପରି ବିଭିନ୍ନ ସ୍ଥାନରେ ଉକ୍ତ ଯୋଜନାରେ ରାସ୍ତା ନିର୍ମାଣ ବେଳେ ଅଭିଜ୍ଞ ସମ୍ପନ୍ନ ଠିକାଦାର ନଥିବା ଏବଂ କ୍ଷମତା ନଥିବା ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଯାହାଫଳରେ ସରକାରଙ୍କୁ ପ୍ରାୟ ୫.୪୭କୋଟି ଟଙ୍କାର ଆର୍ଥିକ ବୋଝ ସହିବାକୁ ପଡ଼ିଛି। ଏହି କାର୍ଯ୍ୟ ପ୍ରଦାନରେ ସୁନ୍ଦରଗଡ଼ ଜିଲାରେ ଅଧିକ ପ୍ରିୟାପ୍ରୀତି ତୋଷଣ ହୋଇଥିବା ଜଣାଯାଇଛି। ୨୦୦୯-୧୧ ମଧ୍ୟରେ ୧୦ଟି ପ୍ୟାକେଜରେ ୧୫.୫୬କୋଟି ଟଙ୍କା ମୂଲ୍ୟର ୧୩ଟି କାର୍ଯ୍ୟକୁ ଜଣେ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଥିଲା। ମାତ୍ର ଉକ୍ତ ଠିକାଦାରଙ୍କଠାରେ ନିଲାମ କ୍ଷମତା ନଥିଲା। ନିର୍ବାହୀଯନ୍ତ୍ରୀ ୧୨.୨୧କୋଟି ଟଙ୍କାର ବଳକା କାର୍ଯ୍ୟକୁ ୧୭.୬୮କୋଟି ଟଙ୍କାରେ ପୁନଃ ଅଟକଳ କରିବାକୁ ଯୋଗୁଁ ଉକ୍ତ ଅର୍ଥ ଶ୍ରାଦ୍ଧ କରିବାକୁ ପଡ଼ିଲା ବୋଲି ବସନ୍ତିଆ ଦର୍ଶାଇଛନ୍ତି।
Leave A Reply