ଭୁବନେଶ୍ୱର: ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅନିୟମିତତା ଧରିଛନ୍ତି ପ୍ରଧାନ ମହାଲେଖାକାର। ଗୁରୁବାର ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷର ରିପୋର୍ଟ ଉପସ୍ଥାପନ କରାଯାଇଛି। ଗତ ଆର୍ଥିକ ବର୍ଷରେ ସରକାରଙ୍କ ରାଜସ୍ବପ୍ରାପ୍ତି ମୋଟ ଘରୋଇ ଉତ୍ପାଦର ୨୦.୪୮% ଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଜିଏସ୍ଡିପି ୧୪.୬୭% ରହିଛି। ରାଜ୍ୟର ରାଜସ୍ବ ବଳକା ୧୩,୩୬୭ କୋଟି ଟଙ୍କା ଥିବା ବେଳେ ବିତ୍ତୀୟ ନିଅଣ୍ଟ ପରିମାଣ ହେଉଛି ୯୩୬୦ କୋଟି ଟଙ୍କା। ତେବେ ରାଜ୍ୟରେ ଋଣ ଭାର ବଢ଼ିଥିବା ବେଳେ ବହୁ ବିଭାଗ ଅନୁଦାନ ଅର୍ଥର ଅର୍ଦ୍ଧାଧିକ ଭାଗ ଖର୍ଚ୍ଚ କରିପାରି ନାହାନ୍ତି। ପ୍ରାୟ ୭୫ ପ୍ରତିଶତ ଅନୁଦାନ ଅର୍ଥକୁ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରି ନଥିବା ଜଣାପଡ଼ିଛି। ସେହିପରି ଆଳୁ ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଆଳୁ ମିଶନ୍ ବିଫଳ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ମଧୁମିତା ବସୁ କହିଛନ୍ତି ଯେ, ଓଡ଼ିଶାରେ ରାଜସ୍ବ ଆୟ ପୂର୍ବ ବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବ ବର୍ଷରେ ରାଜସ୍ବ ପରିମାଣ ୭୪,୨୯୯ ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୮୫,୨୦୪ କୋଟି ଟଙ୍କା ରହିଥିଲା। ଏଥିରେ ମୋଟ ଘରୋଇ ଉତ୍ପାଦ ପରିମାଣ ହେଉଛି ୨୦.୪୮ ପ୍ରତିଶତ। ସେହିପରି ସରକାରଙ୍କ ରାଜସ୍ବ ଖର୍ଚ୍ଚ ପରିମାଣ ୭୧,୮୩୭କୋଟି ଟଙ୍କା, ଯାହା ପୂର୍ବ ବର୍ଷ ତୁଳନାରେ ୧୦.୪୫ ପ୍ରତିଶତ ଅଧିକ। ସରକାରଙ୍କର ୧୬ଟି ବିଭାଗ ଆକସ୍ମିକ ପାଣ୍ଠିରୁ ୧୭୬୩ କୋଟି ଟଙ୍କା ଉଠାଇ ଥିଲେ ସୁଦ୍ଧା ମାତ୍ର ୩.୦୮ କୋଟି ଟଙ୍କା ଜମା କରିଛନ୍ତି। ବାକି ୧୨ଟି ବିଭାଗ ପକ୍ଷରୁ ୧୪.୫୫ କୋଟି ଟଙ୍କା ଜମା କରାଯାଇ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନୁଦାନ ମିଳିଥିବା ୨୧,୭୮୦.୩୦ କୋଟି ଟଙ୍କାରୁ ୧୬,୩୯୧ କୋଟି ଟଙ୍କା (୭୫%)ର ବିନିଯୋଗ ପ୍ରମାଣପତ୍ର (ୟୁସି) ସରକାର ଦାଖଲ କରିପାରି ନାହାନ୍ତି। ୨୦୧୮ ମାର୍ଚ୍ଚ ସୁଦ୍ଧା ୩୫ଟି ବିଭାଗ ମୋଟ ୩୮,୪୨୭.୯୧ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରି ନାହାନ୍ତି। ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ୨୦୧୫-୧୬ରେ ଆରମ୍ଭ ହୋଇଥିବା ଆଳୁ ମିଶନ ବିଫଳ ହୋଇଛି। ଗତ ତିନିବର୍ଷ ମଧ୍ୟରେ ଏହି କାର୍ୟ୍ୟକ୍ରମ ପାଇଁ ୧୩୦ କୋଟି ଟଙ୍କା ମଞ୍ଜୁର କରାଯାଇ ଥିବା ବେଳେ ଏଥିରୁ ମାତ୍ର ୨୦.୫% ଅର୍ଥ ବିନିଯୋଗ ହୋଇଛି। ସମୁଦାୟ ଅନୁଦାନରୁ ମାତ୍ର ୨୬.୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ସମର୍ଥ ହୋଇଛନ୍ତି। ସେହିପରି ଆଳୁ ମିଶନ୍ ଅଧୀନରେ ୫୫ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଗତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ନିର୍ମାଣ ହୋଇଛି ମାତ୍ର ୨୩ଟି ଶୀତଳ ଭଣ୍ଡାର। ତେଣୁ ରାଜ୍ୟରେ ଆଳୁ ମିଶନ୍ ବିଫଳ ହୋଇଥିବା ପ୍ରମୁଖ ମହାଲେଖାକାର କହିଛନ୍ତି।
ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାରେ ସର୍ବାଗ୍ରେ ରହିଛି ପଞ୍ଚାୟତିରାଜ ବିଭାଗ। ବିଭାଗ ଉପରେ ୧୫,୫୯୫.୭୯ କୋଟି ଟଙ୍କାର ୟୁସି ବକେୟା ଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ଉପରେ ୫,୯୧୭.୩୦ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୩,୩୫୧.୩୧ କୋଟି ଏବଂ ଯୋଜନା ଓ ସଂଯୋଜନା ବିଭାଗ ୨,୮୨୭.୨୦ କୋଟି ଟଙ୍କା, ଉଚ୍ଚଶିକ୍ଷା ବିଭାଗ ୧୨୦୪ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୧୮୦ କୋଟି ଟଙ୍କାର ୟୁସି ଦେଇନାହିଁ। ସେହିପରି ଶ୍ରମିକଙ୍କ କଲ୍ୟାଣ ପାଇଁ ସେମାନଙ୍କ ଠାରୁ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ପାଣ୍ଠି ଅଧୀନରେ ସେସ୍ ସଂଗ୍ରହ କରାଯାଉ ଥିଲେ ସୁଦ୍ଧା ଏହାର ବିନିଯୋଗ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୨୪୦.୧୨ କୋଟି ଟଙ୍କା ସଂଗ୍ରହ କରାଯାଇ ଥିଲା। ହେଲେ ଏଥିରୁ ଶ୍ରମିକଙ୍କ କଲ୍ୟାଣ ପାଇଁ ମାତ୍ର ୨୭.୭୭ ପ୍ରତିଶତ ଟଙ୍କା ବିନିଯୋଗ କରାଇଛି। ପାଣ୍ଠି ବିନିଯୋଗରେ ସରକାର ବିଫଳ ହୋଇଥିବାରୁ ଶ୍ରମିକ କଲ୍ୟାଣ ଲକ୍ଷ୍ୟ ପୂରଣ ହୋଇପାରି ନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ଅପରପକ୍ଷେ ଖଣି ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାରେ ସାମଗ୍ରିକ ବିକାଶ ପାଇଁ ମଧ୍ୟ ପାଣ୍ଠି ବିନିଯୋଗ ପରିମାଣ ଉତ୍ସାହଜନକ ନୁହେଁ। ଏହି ବାବଦରେ ୧୧ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇପାରି ନାହିଁ।



