www.samajalive.in
Thursday, November 13, 2025
25.1 C
Bhubaneswar

ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜୋରିମାନା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତକରି ଦେୟଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବ ଏବଂ ବ୍ୟବସାୟ ଓ ଜୀବନଧାରଣରେ ସହଜତା ଆଣିବ। ଏହି ଅଧ୍ୟାଦେଶ ରାଜ୍ୟରେ ନିୟାମକ ବୋଝ ହ୍ରାସ କରି ନିବେଶକଙ୍କ ବିଶ୍ବାସ ବଢ଼ାଇବା ସହ ଓଡ଼ିଶାକୁ ଏକ ନାଗରିକ-ଅନୁକୂଳ ଓ ଅଭିବୃଦ୍ଧିମୁଖୀ ରାଜ୍ୟ ଭାବେ ସ୍ଥାନିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ, ୨୦୨୫ ରାଜ୍ୟରେ ଏକ ବିଶ୍ବାସଭିତ୍ତିକ ଓ ସୁଗମ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଅଧ୍ୟାଦେଶ ଭାରତ ସରକାରଙ୍କ ଜନ ବିଶ୍ବାସ(ସଂଶୋଧନ ବ୍ୟବସ୍ଥା) ଆଇନ, ୨୦୨୩ ଏବଂ
ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩ ସହିତ ସମନ୍ବୟ ରକ୍ଷା କରୁଛି। ଏହା ଅଣ-ଗୁରୁତର ନିୟାମକ ଓ ପ୍ରଶାସନିକ ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତ କରି ଦେୟ ଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ସହ ଅନୁପାଳନ ବୋଝକୁ ହ୍ରାସ କରିବ। ରାଜ୍ୟ ସରକାର ଏହି ଅଧ୍ୟାଦେଶ ପାଇଁ ୧୬୫ଟି ରାଜ୍ୟ ଆଇନର ଏକ ପଦ୍ଧତିଗତ ସମୀକ୍ଷା କରିଥିଲେ, ଯେଉଁଥିରେ ୯ଟି ବିଭାଗ ସାମିଲ ଥିଲା। ଏହି ଅଧ୍ୟାଦେଶର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଜୋରିମାନା ବ୍ୟବସ୍ଥାରେ ପରିବର୍ତ୍ତନ, ପ୍ରକ୍ରିୟାଗତ ତ୍ରୁଟି ପାଇଁ ଦଣ୍ଡର ସୀମା ହ୍ରାସ, ବୈଷୟିକ ଓ ନିୟାମକ ଉଲ୍ଲଙ୍ଘନ ପାଇଁ ଆନୁପାତିକ ଦଣ୍ଡ ଏବଂ ଅଣ-ଗୁରୁତର ମାମଲାରେ କାରାଦଣ୍ଡ ବିଲୋପ। ଏହାସହ ଅନୁସନ୍ଧାନ ଓ ଆପିଲ୍ ପ୍ରକ୍ରିୟାକୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସମ୍ପାଦନ କରାଯିବ। ଯାହା ବିବାଦ ସମାଧାନର ସମୟ ଓ ମୋକଦ୍ଦମା ଖର୍ଚ୍ଚକୁ ହ୍ରାସ କରିବ। ଏହି ଅଧ୍ୟାଦେଶ ୧୬ଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଆଇନକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶା ପୌର ଆଇନ- ୧୯୫୦, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬, ଓଡ଼ିଶା ବିଦ୍ୟୁତ୍ (ଶୁଳ୍କ) ଆଇନ-୧୯୬୧, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ-୧୯୮୨ ଏବଂ ଓଡ଼ିଶା ମୂଲ୍ୟଯୁକ୍ତ ଟିକସ ଆଇନ-୨୦୦୪ ଆଦି ରହିଛି। ଏହି ଆଇନଗୁଡ଼ିକରେ ଅଣ-ଗୁରୁତର ଉଲ୍ଲଙ୍ଘନକୁ ଦେୟ ଦଣ୍ଡ ଦ୍ୱାରା ସମାଧାନ କରାଯିବ।
ଏଥିମଧ୍ୟରେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ ମଞ୍ଜୁରୀ ମିଳିଛି। ୨୦୨୫-୨୬ ପାଇଁ ୭୩ ଲକ୍ଷ ଟନ୍‌ ଖରିଫ ଓ ୨୦ ଲକ୍ଷ ଟନ୍‌ ରବି ଧାନ ଅର୍ଥାତ୍ ମୋଟ ପ୍ରାୟ ୯୩ ଲକ୍ଷ ଟନ୍‌ ଧାନ ସଂଗ୍ରହ କରାଯିବ। ଏହାଠାରୁ ଅଧିକ ଧାନ ଯଦି ମଣ୍ଡିକୁ ଆସେ, ତାହା ମଧ୍ୟ ରାଜ୍ୟ ସରକାର କିଣିବେ। ଖରିଫ ବିପଣନ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ। ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଓ ମେ’ରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬ ସମ୍ପର୍କିତ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସମୟସୀମା ମଧ୍ୟରେ ଜିଲାଗୁଡ଼ିକ ଧାନ ସଂଗ୍ରହ ଅବଧି ନିର୍ଣ୍ଣୟ କରିବେ। କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ। ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ଏକମାତ୍ର ପରିଚୟ ହେବ। ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କୁ ଧାନ ସଂଗ୍ରହ ବାବଦ କ୍ରୟ ଦିବସ ଓ ପରିମାଣ ସମ୍ପର୍କରେ ଆଗୁଆ ସୂଚନା ମୋବାଇଲ ଫୋନ୍‌କୁ ସୂଚାଇ ଦିଆଯିବ। ଧାନ ବିକ୍ରୟ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ। ରଣ ଧାନ ଓ ଗ୍ରେଡ୍‌ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ଏମ୍‌ଏସ୍‌ପି ଯଥାକ୍ରମେ ୨୩୬୯ ଓ ୨୩୮୯ ଟଙ୍କା ହାରରେ ପ୍ରଦାନ କରାଯିବ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories