www.samajalive.in
Monday, December 15, 2025
16.1 C
Bhubaneswar

ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ଦେଶର ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି  ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ। ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ୍‌ଗୁଡିକୁ ୪ଜିରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳରେ ଥିବା ୨୩୪୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ୫ ବର୍ଷ ଯାଏ କରିବାକୁ ପଡିବ । ତେବେ ଏହି ୫ ବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍‌ ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍‌ଏନ୍‌ଏଲ ନିଜ ଖର୍ଚ୍ଚରେ କରିବ। ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍‌ଏନ୍‌ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍‌ଏନ୍‌ଏଲ୍‌କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

- Advertisement -

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନ୍‌ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍‌ଏନ୍‌ଏଲ ଏହି ସାଇଟ୍‌ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ। ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା  ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ, ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ ।

ଏ ସମ୍ମାନଜନକ ପ୍ରକଳ୍ପ ପାଇଁ ସରକାର ବିଏସ୍‌ଏନ୍‌ଏଲ୍‌କୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ। ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ। ଆଧୁନିକୀକରଣ କାର୍ଯ୍ୟରେ ଦେଶୀ ୪ଜି ଉତ୍ପାଦ ଓ ଉପକରଣ ବ୍ୟବହାର କରାଯିବ ।

ଏହି ଉନ୍ନୟନ ଓ ପରିବର୍ତ୍ତନ ପ୍ରକ୍ରିୟା ଫଳରେ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ। ଏହା ଫଳରେ ସେ ଅଞ୍ଚଳରେ ମୁତୟନ ହେଉଥିବା ନିରାପତ୍ତା କର୍ମଚାରୀଙ୍କ ଯୋଗାଯୋଗ ଆବଶ୍ୟକତା ପୂରଣ ହେବ। ଏହାଛଡା ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ ।

୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories