ନୂଆଦିଲ୍ଲୀ : ୨୦୨୧-୨୨ ସୁଦ୍ଧା ଦେଶରେ ୭୫ଟି ସରକାରୀ ମେଡ଼ିକାଲ କଲେଜ ଖୋଲାଯିବ। ବର୍ତମାନ ଜାରି ରହିଥିବା କେନ୍ଦ୍ର ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜିଲ୍ଲା/ରେଫରାଲ ହସପିଟାଲର ଉନ୍ନତିକରଣ ସହିତ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଆଜି ମଞ୍ଜୁରି ଲାଭ କରିଥିବା ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ସ୍ୱାସ୍ଥ୍ୟ ଭିତିଭୂମି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଅର୍ଥାତ ୨୦୨୧-୨୨ ମଧ୍ୟରେ ୨୪,୩୭୫ ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ବର୍ତ୍ତମାନ ରହିଥିବା ଜିଲ୍ଲା/ରେଫରାଲ ଡାକ୍ତରଖାନା ସହିତ ମେଡ଼ିକାଲ କଲେଜଗୁଡ଼ିକ ଖୋଲାଯିବା ଫଳରେ ଡାକ୍ତର ଓ ପ୍ରଶିକ୍ଷିତ ଚିକିତ୍ସା ପେସାଦାର ସୃଷ୍ଟି ତଥା ସରକାରୀ କ୍ଷେତ୍ରରେ ଚିକିତ୍ସା ସୁବିଧା ବୃଦ୍ଧି ପାଇବା ସହିତ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଭିତିଭୂମିର ଉପଯୋଗ କରାଯାଇ ଦେଶରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସମ୍ଭବ ହୋଇପାରିବ। ଯେଉଁ ଅଂଚଳରେ ମେଡ଼ିକାଲ କଲେଜ ନାହିଁ ସେଠାରେ ଥିବା ୨୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନାରେ ନୂଆ ମେଡ଼ିକାଲ କଲେଜ ଖୋଲାଯିବ। ଆକାଂକ୍ଷୀ ଜିଲ୍ଲା ଏବଂ ୩୦୦ ଶଯ୍ୟା ଥିବା ଜିଲ୍ଲା ଡାକ୍ତରଖାନାକୁ ଅଗ୍ରାଧିକାର ଦିଆଯିବ। ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଯୋଜନା ଫଳରେ ଦେଶରେ ୧୫,୭୦୦ ଏମବିବିଏସ ସିଟ ସୃଷ୍ଟି ହୋଇପାରିବ।
ଦେଶରେ ସ୍ୱାସ୍ଥ୍ୟ ଭିତିଭୂମି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇ ପୂର୍ବରୁ କେନ୍ଦ୍ରୀୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଞ୍ଜୁରିପ୍ରାପ୍ତ ମେଡ଼ିକାଲ କଲେଜ ମଧ୍ୟରୁ ୩୯ଟି ମେଡ଼ିକାଲ କଲେଜ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଛି। ୨୦୨୦-୨୧ ସୁଦ୍ଧା ଅବଶିଷ୍ଟ ୧୯ଟି କାର୍ଯ୍ୟକ୍ଷମ ହେବ।



