କ୍ୟାବିନେଟରେ ୩ପ୍ରସ୍ତାବକୁ ମଞ୍ଜୁରି : ୩ଦିନରେ ଚାଷୀଙ୍କୁ ଧାନ ଟଙ୍କା

0
 -ଖାଦ୍ୟ ଓ ସଂଗ୍ରହଣ ନୀତି ଅନୁମୋଦିତ
-‘ଆମ ଗାଁ ଆମ ବିକାଶ’ ନିୟମାବଳୀକୁ ମୋହର
-କୃଷି ଅଧିକାରୀ ସେବା କ୍ୟାଡର ନିଯୁକ୍ତି, ପଦୋନ୍ନତି ପାଇଁ ନୂଆ ନିୟମ

ଭୁବନେଶ୍ୱର : ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଛି ଖରିଫ ଧାନ ସଂଗ୍ରହ। ଧାନ ଓ ଚାଉଳ ସଂଗ୍ରହ ସମ୍ପର୍କିତ ପ୍ରକ୍ରିୟାର ସୁପରିଚାଳନା ନିମନ୍ତେ ୨୦୧୮-୧୯ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏବର୍ଷ ୫୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏଥିରୁ ୩୭ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହେବ। ପଞ୍ଜିକୃତ ଚାଷୀଙ୍କ ଠାରୁ ଅଧିକ ଧାନ ଆସିଲେ ତାକୁ ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ଧାନ ବିକ୍ରିର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କ ପ୍ରାପ୍ୟ ଜମାହେବ। ସର୍ବାଧିକ ତିନିଦିନ ମଧ୍ୟରେ ଚାଷୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇବେ ତା ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀ, ଭାଗ ଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଚାଷୀ ଅମଳ କରୁଥିବା ଧାନରୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିମନ୍ତେ ବର୍ଷକର ଖାଦ୍ୟ ପାଇଁ ମୁଣ୍ଡପିଛା ୩କ୍ୱିଣ୍ଟାଲ ରଖି ବଳକା ଧାନ ବିକ୍ରି କରିବା ବ୍ୟବସ୍ଥା ଥିଲା। ଏଥର ତାହା ଉଠାଇ ଦିଆଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏହି ପ୍ରସ୍ତାବ ସମେତ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆରମ୍ଭ କରିଥିବା ଆମ ଗାଁ ଆମ ବିକାଶର ନିୟମାବଳୀ ଏବଂ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବାର ନିଯୁକ୍ତି ଓ ସେବା ସର୍ତ୍ତାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋହର ଲାଗିଛି। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି,
୨୦୧୮-୧୯ ଧାନ ସଂଗ୍ରହ ବର୍ଷ ଆସନ୍ତା ୧ ତାରିଖରୁ ଆରମ୍ଭ ହୋଇ ୨୦୧୯ ମସିହା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ। ଏହି ବର୍ଷବ୍ୟାପୀ ଅବଧି ମଧ୍ୟରେ ସରକାର ଖରିଫ ଓ ରବି ଋତୁ ପାଇଁ ଧାନ ସଂଗ୍ରହ କରିବେ। ଆବଶ୍ୟକ ପଡ଼ିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରିପାରିବେ। ସଂଗୃହୀତ ହେବାକୁ ଥିବା ୩୭ଲକ୍ଷ ମେଟ୍ରିକ ଟନ ଚାଉଳରୁ ୨୩ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯିବ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ। ଖାଦ୍ୟ ନିଗମ ଏହାକୁ ବାହାର ରାଜ୍ୟକୁ ସେମାନଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର ପାଇଁ ପଠାଇବେ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ନଭେମ୍ବରରୁ ୨୦୧୯ ଏପ୍ରିଲ ପର୍ଯ୍ୟନ୍ତ ଖରିଫ ଧାନ ଏବଂ ୨୦୧୯ ମେ’ରୁ ଜୁନ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ କରାଯିବ। ଭାରତ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଅନୁଯାୟୀ ଚାଷୀ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୭୫୦ଟଙ୍କା ଏବଂ ଗ୍ରେଡ ଏ ଧାନ ପିଛା ୧୭୭୦ଟଙ୍କା ପାଇବେ। ଅନଲାଇନ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ। ପଞ୍ଜୀକରଣ ପାଇଁ ଚାଷୀ ପ୍ଲଟୱାରୀ ତଥ୍ୟ ପ୍ରଦାନ କରିବେ। ପ୍ଲଟ ବାବଦ ତଥ୍ୟର ସତ୍ୟାସତ୍ୟ ରାଜସ୍ୱ ବିଭାଗ ଦ୍ୱାରା ପରିଚାଳିତ ଭୂଲେଖ ତଥ୍ୟଭଣ୍ଡାର ସହ ସଂଯୁକ୍ତ କରାଯାଇ ନିଷ୍ପତ୍ତି ନିଆଯିବ। ଅଧିକରୁ ଅଧିକ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବ୍ୟବସ୍ଥାରେ ସାମିଲ କରିବାକୁ କ୍ରୟକାରୀ ସମବାୟ ସମିତିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥର ପୂର୍ବବର୍ଷ ପରି ରାଜ୍ୟର ସମସ୍ତ ୩୦୮ଟି ଧାନସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ର୍ରିୟା ପି.ପାସ ମାଧ୍ୟମରେ ପରିଚାଳିତ ହେବ। ଅଭାବୀ ଧାନ ସଂଗ୍ରହକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଓ ସଂଗ୍ରହକାରୀ ସଂସ୍ଥାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବ ବର୍ଷର ଶତ ପ୍ରତିଶତ ଚାଉଳ ଫେରସ୍ତ କରିନଥିବା ମିଲରଙ୍କୁ ଏଥର ଧାନ ସଂଗ୍ରହ ବ୍ୟବସ୍ଥାରୁ ବାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଗତ ଧାନ ସଂଗ୍ରହ ବର୍ଷ(୨୦୧୭-୧୮)ରେ ୫୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ ମରୁଡି, ଅଦିନିଆ ବର୍ଷା ପାଇଁ ଧାନ ସଂଗ୍ରହ ପ୍ରଭାବିତ ହେବା ହେବା ଯୋଗୁଁ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରିନଥିଲା। ଏହି ବର୍ଷ ୪୯.୦୬ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଥିଲା। ଏଥିରୁ ୩୩.୨୧ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହୋଇଥିଲା।
ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୦୧୮-୧୯ରୁ ପ୍ରଚଳନ କରିଥିବା ‘ଆମ ଗାଁ ଆମ ବିକାଶ’ ଯୋଜନା ପାଇଁ ପ୍ରସ୍ତୁତ ନିୟମାବଳୀ ରାଜ୍ୟ କ୍ୟାବିନେଟରେ ଗୃହୀତ ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲାକ ଓ ଗୋଷ୍ଠୀର ଉନ୍ନତି ପାଇଁ ନୂତନ ପ୍ରକଳ୍ପ ନିର୍ମାଣ କରିବା। ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧି ଓ ଅନ୍ୟ ହିତାଧିକାରୀଙ୍କ ଦ୍ୱାରା ଚିହ୍ନଟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯିବ। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ରାଜ୍ୟର ୨୦୦ଟି ବ୍ଲକର ସବୁ ପଞ୍ଚାୟତକୁ ସାମିଲ କରାଯାଇପାରିଛି ବୋଲି କ୍ୟାବିନେଟ ବୈଠକ ପରେ ମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ।
ଏହି ଯୋଜନାରେ ଅନୁମୋଦିତ ପ୍ରକଳ୍ପର ଆବଶ୍ୟକ ଅର୍ଥ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ସମ୍ପୃକ୍ତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଲାଭ ଓ କ୍ଷତି ଖାତାକୁ ମଞ୍ଜୁର କରାଯିବ। ସମ୍ପୃକ୍ତ ପ୍ରକଳ୍ପ ନିର୍ଦେଶକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉକ୍ତ ଅର୍ଥକୁ ସହାୟକ ଅନୁଦାନ ଭାବେ ଉଠାଇବେ ଓ ସମ୍ପୃକ୍ତ ପଞ୍ଚାୟତ ସମିତି ଲାଭ ଓ କ୍ଷତି ଖାତାକୁ ଅନୁମୋଦିତ ପ୍ରକଳ୍ପ ଅନୁଯାୟୀ ୨ଟି କିସ୍ତିରେ ୫୨ ଓ ୪୮ପ୍ରତିଶତ ଭାବେ ପ୍ରଦାନ କରାଯିବ। ପ୍ରକଳ୍ପଗୁଡ଼ିକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଉକ୍ତ ଯୋଜନା ପାଇଁ ୧୨୫୦କୋଟି ଟଙ୍କା ୨୦୧୮-୧୯ ପାଇଁ ବରାଦ କରାଯାଇଛି।
ମୋଟ ପ୍ରକଳ୍ପର ଅନୁମୋଦିତ ମୂଲ୍ୟରୁ ୨ପ୍ରତିଶତ ପ୍ରଶାସନିକ ଖର୍ଚ୍ଚ ଭାବେ(୧ପ୍ରତିଶତ ବ୍ଲକ ପାଇଁ, ୦.୫ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପାଇଁ ଓ ୦.୫ପ୍ରତିଶତ ବିଭାଗୀୟ ଖର୍ଚ୍ଚ ଆକାରରେ ) ବିନିଯୋଗ କରାଯିବ। ପ୍ରଶାସନିକ ଖର୍ଚ୍ଚ ବୈଦ୍ୟୁତିକ ବୈଠକ, ସାମାଜିକ ସମୀକ୍ଷା, କମ୍ପ୍ୟୁଟର କ୍ରୟ ଆଦି କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଉକ୍ତ ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ମୂଲ୍ୟ ୧ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ। ପ୍ରକଳ୍ପଗୁଡ଼ିକ ବିଭାଗୀୟ ଖର୍ଚ୍ଚ ଭାବେ କାର୍ଯ୍ୟକାରୀ କରାଯିବ। ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ଦ୍ରବ୍ୟ ଓ ସେବା କର ପ୍ରଯୁଜ୍ୟ ହେବ ନାହିଁ। ସମ୍ପୃକ୍ତ ଜିଲାର ଜିଲାପାଳ ଏହି ଯୋଜନା ଅଧୀନରେ ଥିବା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ପରୀକ୍ଷାନିରୀକ୍ଷା କରିବେ। ପ୍ରକଳ୍ପ ନିର୍ଦେଶକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲା ଯୋଜନା ଅଧିକାରୀ, ଜିଲା ପଞ୍ଚାୟତ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ପାକ୍ଷିକ ସମୀକ୍ଷା କରି ଜିଲାପାଳଙ୍କୁ ଅବଗତ କରାଇବେ। ପ୍ରକଳ୍ପ ନିର୍ଦେଶକ ଅର୍ଥ ବିନିଯୋଗର ପ୍ରମାଣ ଜିଲାପାଳଙ୍କ ଦ୍ୱାରା ପ୍ରତି ସ୍ୱାକ୍ଷରିତ କରି ସରକାରଙ୍କୁ ପଠାଇବେ। ସରୀକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଅନୁମୋଦିତ ହୋଇଥିବା ତାରିଖରୁ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଭବିଷ୍ୟତ ରକ୍ଷଣାବେକ୍ଷଣ ପାଇଁ ସୃଷ୍ଟି ହୋଇଥିବା ସମ୍ପତ୍ତି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିର ସମ୍ପତ୍ତି ହେବ।
ଯଦି କାର୍ଯ୍ୟାଦେଶ ନିର୍ଗମନ ହେବାର ୬ମାସ ମଧ୍ୟରେ କୌଣସି ଅର୍ଥ ଖର୍ଚ୍ଚ ନହୁଏ ତେବେ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଉକ୍ତ ଅର୍ଥକୁ ଅନ୍ୟ ପ୍ରକଳ୍ପକୁ ପରିବର୍ତ୍ତନ କରାଯିବ। ଯଦି ଅନ୍ୟ କୌଣସି ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଅର୍ଥାଭାବରୁ ଅସମ୍ପୂର୍ଣ୍ଣ ହୋଇଥାଏ ତେବେ ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଉକ୍ତ ଯୋଜନାରୁ ଯୋଗାଇଦେବାକୁ ବିଚାର କରାଯିବ, କିନ୍ତୁ ମୋଟ ମଞ୍ଜୁରି ଅର୍ଥ ନିର୍ଦେଶାବଳି ଅନୁସାରେ ସୀମା ଅତିକ୍ରମ କରିବ ନାହିଁ।
ସେହିପରି କ୍ୟାବିନେଟରେ କୃଷି ଅଧିକାରୀ ସେବା କ୍ୟାଡର ନିଯୁକ୍ତି ଓ ପଦୋନ୍ନତି ପାଇଁ ବର୍ତ୍ତମାନ ପ୍ରଚଳିତ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୧୨କୁ ପ୍ରତ୍ୟାହାର କରାଯାଇଛି। ଏହା ବଦଳରେ ନିୟମ ୨୦୧୮ ଲାଗୁ କରିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିୟମ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କୃଷି ଅଧିକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ କୃଷକଙ୍କ ନିକଟରେ ପହଞ୍ଚାଇବା ତଥା ଆବଶ୍ୟକ ସେବା ଯୋଗାଇ ଦେବା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କ୍ଷେତ୍ର କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ସମ୍ବନ୍ଧୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଚାଷୀଙ୍କ ନିକଟରେ ପହଞ୍ଚାଇବା, କେନ୍ଦ୍ର ରାଜ୍ୟ ସରକାରଙ୍କ ଅର୍ଥର ସୁବିନିଯୋଗ କରିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ସେବା ଶ୍ରେଣୀର ପୁନର୍ଗଠନ କରାଯାଇଛି। ଏହି ପୁନର୍ଗଠନ ଫଳରେ ଜିଲା ଓ ବ୍ଲକସ୍ତରରେ ନୂତନ ଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲା ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ୟାଡରର ମୂଳ ପଦବୀକୁ ସହକାରୀ କୃଷି ଅଧିକାରୀ ଭାବେ ଧରାଯିବ। ଅତିରିକ୍ତ କୃଷି ନିର୍ଦେଶକ ପଦ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ପଦବୀ ପଦୋନ୍ନତି ବ୍ୟବସ୍ଥାରେ ପୂରଣ କରାଯିବ।

Leave A Reply