ଏଲ୍ଏଣ୍ଡଟିକୁ ବର୍ଦ୍ଧିତ ଦେୟ ଓ ରୟତଙ୍କୁ ଟାଟା ଜମି ଫେରସ୍ତ ନିଷ୍ପତ୍ତି
ଭୁବନେଶ୍ବର : ରାଜ୍ୟରେ ସରକାରକୁ ଅଧିକ ଗତିଶୀଳ ଓ ସ୍ବଚ୍ଛ କରିବା ସହିତ ଜଳସେଚନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ କ୍ୟାବିନେଟ ଗୁରୁତ୍ବ ଦେଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।
କ୍ୟାବିନେଟ ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ‘ମୋ-ସରକାର’ ଓ ୫-ଟି’ର ଗୁରୁତ୍ବକୁ ଉପଲବ୍ଧି କରି ଅଧିକ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତ କରାଯିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଥିଲାଗି ୧୨୫ଟି ପଦ ସୃଷ୍ଟି କରାଯିବ। ପୂର୍ବରୁ ୧୧୮୮ଟି ପଦ ରହିଥିବାବେଳେ ଏହି ପଦ ସୃଷ୍ଟି ପରେ ଓଏଏସ୍ କନିଷ୍ଠ ଶାଖାର ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇବ। ପ୍ରତ୍ୟେକ ଜିଲାପାଳଙ୍କ କାର୍ଯ୍ୟାଳୟରେ ୨ଜଣ ଲେଖାଏଁ ଡେପୁଟି କଲେକ୍ଟର ପଦ ସୃଷ୍ଟି ହୋଇଥିବାବେଳେ ୫୮ଟି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ଲେଖାଏଁ ଡେପୁଟି କଲେକ୍ଟର, ରାଜସ୍ବ ପର୍ଷଦ କାର୍ଯ୍ୟାଳୟରେ ୪ଟି ଅନୁସଚିବ ଏବଂ ଭୁବନେଶ୍ବର, ପାରାଦୀପ ଓ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଲେଖାଏଁ ଡେପୁଟି କଲେକ୍ଟର ନିଯୁକ୍ତ ହେବେ। ଏହାଦ୍ବାରା ପ୍ରଶାସନ ଅଧିକ ସୁଦୃଢ଼ ଏବଂ ଗତିଶୀଳ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ପ୍ରାଣୀ ଚିକିତ୍ସା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ସଂଶୋଧନ କରିଛି। ଏହି ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକଙ୍କ ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପ୍ରକ୍ରିୟା ପରି କେବଳ ଲିଖିତ ପରୀକ୍ଷା ରହିବ। ଏଣିକି ଆଉ ଏହି ବର୍ଗର କର୍ମଚାରୀଙ୍କ ପାଇଁ ମୌଖିକ ସାକ୍ଷାତକାର(ଭାଇଭା) ପରୀକ୍ଷା କରାଯିବ ନାହିଁ।
ସେହିପରି ଓଡ଼ିଶା ପାଣି ପଞ୍ଚାୟତ ଅଧିନିୟମ ୨୦୦୨ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏହାଦ୍ବାରା ଓଡ଼ିଶା ପାଣି ପଞ୍ଚାୟତ ଅଧିନିୟମରେ ଥିବା କିଛି ପ୍ରୟୋଗାତ୍ମକ ସମସ୍ୟା ଦୂର ହେବ। ବୃହତ ଉଠା ଜଳସେଚନର ଅନ୍ତର୍ଭୁକ୍ତିକରଣ ସହ ଏହାକୁ ପାଣି ପଞ୍ଚାୟତ ଓ ଉଚ୍ଚତର କୃଷକ ସଂଗଠନ ଗଠନ ନିମନ୍ତେ ସକ୍ଷମ କରାଯାଇ ପାରିବ। ପାଣି ପଞ୍ଚାୟତ କ୍ଷେତ୍ର ମଧ୍ୟରେ ଥିବା ଜଳ ବ୍ୟବହାରକାରୀ ଭୂ-ଧାରକମାନଙ୍କ ସ୍ତ୍ରୀ / ସ୍ବାମୀଙ୍କ ଅନ୍ତର୍ଭୁକ୍ତିକରଣ ସହ ମହିଳାଙ୍କ ସହଭାଗିତା ରହିବ। ଓଡ଼ିଶା ଇଞ୍ଜିନିୟରିଂ ସେବାର ପୁନର୍ଗଠନ ପରେ ଉପଯୁକ୍ତସ୍ତରରେ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ସମ୍ପନ୍ନ କରାଯିବ। ୩ ବର୍ଷ ଓ ୬ ବର୍ଷର ସନ୍ଦେହ ଦୂର କରି ସମସ୍ତଙ୍କୁ ସମାନ କରିବା ପୂର୍ବକ ଚକ କମିଟି ଓ ପାଣି ପଞ୍ଚାୟତର କାର୍ଯ୍ୟକାଳକୁ ୫ ବର୍ଷ କରାଯିବ। ଏହି ସଂଶୋଧନ ୫୦୦ ହେକ୍ଟରରୁ ୨୦୦୦ ହେକ୍ଟର ଭିତରେ ହେଉଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାୟତ ଗଠନ ଏବଂ ଉଚ୍ଚତର କୃଷକ ସଂଗଠନକୁ ସୁନିଶ୍ଚିତ କରିବ। ଏହାସହ ମହିଳାଙ୍କ ପ୍ରତିନିଧିତ୍ବକୁ ବୃଦ୍ଧି କରିବା ଓ ଜଳର ସୁପରିଚାଳନାରେ ସହାୟକ ହେବ।
ଶ୍ରୀ ମହାପାତ୍ର କହିଥିଲେ ଯେ, ବିଚାରପତି ପି. ଭେଙ୍କଟରାମା ରେଡ୍ଡୀଙ୍କ ସୁପାରିସ ଓ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟ ସରକାର ନ୍ୟାୟିକ ଅଧିକାରୀଙ୍କ ଦରମା ପରିମାଣକୁ ସଂଶୋଧନ କରିଛନ୍ତି। ଅନ୍ୟପକ୍ଷରେ ସମସ୍ତ ନ୍ୟାୟିକ ପ୍ରକ୍ରିୟାର ସମାପ୍ତି ପରେ ସମ୍ବଲପୁର-ରାଉରକେଲା ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ପାଇଁ ହୋଇଥିବା କାର୍ଯ୍ୟର ୩ଟି ଚୁକ୍ତିନାମା ଲାଗି ମଧ୍ୟସ୍ଥ ନ୍ୟାୟାଧିକରଣଙ୍କ ଆଦେଶକ୍ରମେ ନିର୍ମାଣକାରୀ ସଂସ୍ଥା ଏଲ୍ଆଣ୍ଡଟିକୁ ସରକାର ୧୦୦କୋଟି ୬ଲକ୍ଷ ୪୨ହଜାର ୪୬୬ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଅସଲରେ ଏଲ୍ଆଣ୍ଟଟିର ମୂଳପ୍ରାପ୍ୟ ୨୦କୋଟି ଟଙ୍କା ସରକାର ଦେବାରେ ଟାଳଟୁଳ ନୀତି ଅନୁସରଣ କରିବାରୁ ଅଦାଲତଙ୍କ ନିର୍ଦେଶ କ୍ରମେ ଏହି ତଣ୍ଡ ଗଣିବାକୁ ପଡୁଛି। ସେହିପରି ଗଞ୍ଜାମର କାଳିପଲ୍ଲୀ ମୌଜାରେ ଟାଟା ଷ୍ଟିଲ ଲିମିଟେଡ଼ ଗୋପାଳପୁର ଦ୍ବାରା ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ ଇଡକୋ ଦ୍ବାରା ଅଧିକୃତ ହୋଇ ଦୁଇ ଦଶନ୍ଧି ଧରି ବ୍ୟବହୃତ ହୋଇ ନଥିବା ୨୦୬ ଏକର ୬୮୫ ଡେସିମିଲ ଜମିକୁ ବୃହତ୍ତର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବେ। ଜମିଗ୍ରହୀତାଙ୍କୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସେମାନେ ଫେରସ୍ତ କରିବେ ନାହିଁ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଶ୍ରୀ ମହାପାତ୍ର କହିଛନ୍ତି।
Comments are closed.