ଭୁବେନଶ୍ବର : ପଶ୍ଚିମ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବାବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି। ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା। ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି।
ଲୋକାର୍ପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ସ୍ପୋର୍ଟସ କେମ୍ପ୍ଲକ୍ସ ଆଦିର ବିକାଶ ସହିତ କୋମନାଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି। ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିୟମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି। ୨୦୦୦ରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଗତବର୍ଷ ପରିଷଦର ବାର୍ଷିକ ଅନୁଦାନକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ନୂତନ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଏହିସବୁ ଜିଲ୍ଲାରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। pic.twitter.com/1WkBpvaKXa
— I & PR Department, Odisha (@IPR_Odisha) October 21, 2022
ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ। ତା’ସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ହରିଶଙ୍କର, ନୃସିଂହନାଥ ଓ ମା’ ସମଲେଈ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ। ବିଜୁ ଏକ୍ସପ୍ରେସ୍ ୱେର ପଶ୍ଚିମ ଓଡ଼ିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହାଦ୍ବାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ବତନ୍ତ୍ର ଇନ୍ସିଏଟିଭ୍ ପ୍ୟାକେଜ ଘୋଷଣା କରାଯିବ ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡବ୍ଲ୍ୟୁଓଡିସିର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡାସବୋର୍ଡ ଉନ୍ମୋଚନ କରିଥିଲେ। ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ପ୍ରଶଂସା କରିବା ସହିତ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ ଆୟୁକ୍ତ ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।
ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି ଓ ପରିଷଦର ମାର୍ଗଦର୍ଶନ କରିଛନ୍ତି। ପରିଷଦ ପକ୍ଷରୁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲାର ବେସ୍ଲାଇନ ଇକୋନୋମିକ୍ ଡାଟା ରଖାଯାଇଛି ଏବଂ ବିଭିନ୍ନ ଅଞ୍ଚଳର ମୌଳିକ ସୁବିଧା ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ କରାଯାଉଛି। ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡ଼ିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।



