www.samajalive.in
Saturday, December 6, 2025
15.1 C
Bhubaneswar

୫୦ ବର୍ଷ ସଂଘର୍ଷର ଅବସାନ : ୧୩ ଜଙ୍ଗଲ ଗାଁକୁ ମିଳିବ ରାଜସ୍ୱ ମାନ୍ୟତା

ସୋରଡ଼ା : ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ ପରିବାରକୁ ଜଙ୍ଗଲ ଜମିର ଅଧିକାର ଦେବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। ବର୍ଷେ କି ଦୁଇ ବର୍ଷ ନୁହଁ, ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜଙ୍ଗଲରେ ବସବାସ କରୁଥିଲେ ମଧ୍ୟ ଗ୍ରାମଗୁଡ଼ିକ ବର୍ତ୍ତମାନ ସୁଦ୍ଧା ରାଜସ୍ୱ ଗ୍ରାମରେ ପରିଣତ ହୋଇନାହିଁ। ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁସାରେ ଜମିହୀନ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉଥିଲେ ମଧ୍ୟ ଅନେକ ଗଁା ବର୍ତ୍ତମାନ ଯାଏ ସେଥିରୁ ବଞ୍ଚିତ ଅଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ଜିଲାର ୮ଟି ବ୍ଲକ୍‍ର ୧୮ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରେ ସୋରଡ଼ା ବ୍ଳକର ସର୍ବାଧିକ ୧୩ ଖଣ୍ଡ ଗ୍ରାମ ରହିଛି। ଫଳରେ ଜଙ୍ଗଲ ଜମି ପଟ୍ଟା ଓ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ଦୀର୍ଘ ୫୦ ବର୍ଷର ସଂଘର୍ଷରେ ପୂର୍ଣ୍ଣଛେଦ ପଡ଼ିଛି। ସୂଚନା ମୁତାବକ ଗଞ୍ଜାମ ଜିଲାର ଆଦିବାସୀ ଅଧ୍ୟୁଷିତ ସୋରଡ଼ା ବ୍ଳକ ଗଜପତି ଓ କନ୍ଧମାଳ ସୀମାନ୍ତରେ ରହିଛି। ଏହି ବ୍ଳକର ଅନେକ ପଞ୍ଚାୟତ ଏବେବି ଅପହଞ୍ଚ। ଦକ୍ଷିଣ ଘୁମୁସର ବୃହତ୍ତ ବନାଞ୍ଚଳ ଅନ୍ତର୍ଗତ ଏହି ବ୍ଳକର ଅଧିକାଂଶ ପଞ୍ଚାୟତର ଜଙ୍ଗଲ ଜମିରେ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ବସବାସ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ରୁ ଊର୍ଦ୍ଧ୍ବ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନାହିଁ। ଗତ ମାସରେ ଜିଲାସ୍ତରୀୟ ଏକ ବୈଠକର ନିଷ୍ପତ୍ତି ପ୍ରକାରେ ଗଞ୍ଜାମ ଜିଲାର ପାତ୍ରପୁର, ସୋରଡ଼ା, ଧରାକୋଟ, ଖଲିକୋଟ, ଜଗନ୍ନାଥପ୍ରସାଦ ଓ ସାନଖେମୁଣ୍ଡି ବ୍ଳକର ୧୮ଟି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ସୋରଡ଼ାରେ ରହିଛି ସର୍ବାଧିକ ୧୩ ଗୋଟି ଗ୍ରାମ।
ପୂର୍ବରୁ ସୋରଡ଼ା ତହସିଲ ଅନ୍ତର୍ଭୁକ୍ତ ୯ ଗୋଟି ରାଜସ୍ୱ ନିରୀକ୍ଷକ ମଣ୍ଡଳରେ ୨୯୦ ଗୋଟି ରାଜସ୍ୱ ଗ୍ରାମ ଥିବା ବେଳେ ବର୍ତ୍ତମାନ କୁଲାଙ୍ଗି ପଞ୍ଚାୟତ ଚାଞ୍ଚରାପଲ୍ଲୀ, ଗୋଛା ପଞ୍ଚାୟତର ଢଉଗାଁ, ଲାଠିପଡ଼ା ପଞ୍ଚାୟତର ବିଭୂତିଆ, ମେରିକୋଟ ପଞ୍ଚାୟତର ଆନନ୍ଦପୁର ଓ ଗୌଡ଼ଗୋଠ ପଞ୍ଚାୟତର ମାଣ୍ଡିଆ ଖମଣ, ବଡପଦା, ଭାଲିଆପଦା, ବିରିପଡ଼ା, ଗାଜରକୁମ୍ପା, ବେସରବଟା, ବାଲିପଦର, ବଟପଡ଼ିଆ ଓ ଶଗଡ଼ବସା ଆଦି ୧୩ ଗୋଟି ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ନିମନ୍ତେ ନିଷ୍ପତ୍ତି ନିଆଯିବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ୱ ଗ୍ରାମ ଘୋଷଣା ପରେ ଜଙ୍ଗଲ ଜମିରେ ବସବାର କରୁଥିବା ପରିବାରଙ୍କ ଜମି ଚିହ୍ନଟ କରି ହିତାଧିକାରୀଙ୍କୁ ଜମିର ପଟ୍ଟା ଦିଆଯିବା ସହିତ ସେମାନଙ୍କ ଜମିର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଆବାସ ଯୋଜନାରେ କିପରି ଗୃହ ଯୋଗାଇ ଦିଆଯିବ, ସେନେଇ ଜିଲା କର୍ମଶାଳାରେ ଆଲୋଚନା କରାଯାଇଛି। ଯଥାଶୀଘ୍ର ଏନେଇ ପ୍ରକ୍ରିୟ ଆରମ୍ଭ ହେବବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ସୋରଡ଼ା ବ୍ଳକରେ ବର୍ତ୍ତମାନ ସୁଦ୍ଧା ୪୦ ରୁ ଊର୍ଦ୍ଧ୍ବ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛନ୍ତି। ଜଙ୍ଗଲ ଜମି ସର୍ଭେ କରି ସେମାନଙ୍କୁ ଯଥାଶୀଘ୍ର ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ଲାଗି ଓଡ଼ିଶା କୃଷକ ସଭା ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ଼ି ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories