ପୁଣି ଫେରିବ ‘ଟିକ୍ ଟକ୍’: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ କିଣିବ ଭାରତ ଅଂଶ

ମୁମ୍ବାଇ: ଟିକଟକ୍ ବ୍ୟବହାରୀଙ୍କ ପାଇଁ ଏକ ଖୁସି ଖବର । ଭାରତକୁ ପୁଣି ଫେରିପାରେ ଟିକ୍ ଟକ୍ । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଟିକଟକର ଭାରତ କାରବାର କିଣିବା ନେଇ କଥାବାର୍ତା ଚଳାଇଥିବା ସୂଚନା ମିଳିଛି । ଅନୁରୂପ ଭାବରେ ଆମେରିକାରେ ଟିକଟକକୁ ମାଇକ୍ରୋସଫ୍ଟ କିଣିବାର ସମ୍ଭାବନା ଉଜ୍ଵଳ ହୋଇଛି । ଚୀନ କମ୍ପାନୀ ଟିକଟକ୍ ତାର ମୁଖ୍ୟ ଦପ୍ତର ବେଜିଂରୁ ଆମେରିକା ଉଠାଇ ନେବା ପାଇଁ ଆପାତତଃ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଟିକ୍ ଟକର ମୂଳ କମ୍ପାନୀ ବାଇଟ୍ ଡ଼୍ୟାନ୍ସ ତାହାର ଭାରତୀୟ ବଜାର କାରବାର ବିକ୍ରି ନିମନ୍ତେ ଯୋଜନା କରିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବାଇଟ୍ ଡ଼୍ୟାନ୍ସ ଭିଡ଼ିଓ ଆପ୍ ଟିକଟକ୍ ଭାରତୀୟ ବଜାର  ଅମ୍ବାନୀଙ୍କ ଆରଆଇଏଲକୁ ବିକ୍ରି କରିପାରେ । ଏଥିନିମନ୍ତେ ଜୁଲାଇ ମାସ ଶେଷ ସପ୍ତାହରୁ କଥାବାର୍ତା ଆରମ୍ଭ ହୋଇଛି । ତେବେ ରିଲାଏନ୍ସ ବା ଟିିକଟକ୍ ପକ୍ଷରୁ ଏ ସଂପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।
ଲାଦାଖର ଗଲୱାନ ଘାଟୀରେ ସୀମା ବିବାଦ ପରେ ଭାରତ ସରକାର ଚୀନର ୫୯ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏଥିରେ ଟିକଟକ୍ ସମେତ ୱିଚାଟ୍, ଆଲିବାବା ଗ୍ରୁପର ୟୁସି ବ୍ରାଉଜର, ୟୁସି ନ୍ୟୁଜ୍ ପରି କିଛି ଲୋକପ୍ରିୟ ଆପ୍ ରହିଥିଲା । ଏହାପରେ ସରକାର ପୁଣି ୪୭ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟିକଟକ୍ ଭାରତୀୟ ବଜାରରେ ପ୍ରାୟ ୩ ବିଲିଅନ ଡ଼ଲାର କାରବାର କରୁଥିଲା ।
ଗତ ସପ୍ତାହରେ ଆମେରିକା ଚୀନ ଆପ୍ ଟିକଟକକୁ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ସ୍ବାକ୍ଷର କରିଛନ୍ତି । ଅବଶ୍ୟ ଏଥିପାଇଁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ପାନୀକୁ ସମୟ ଦିଆଯାଇଛି । ଏହି ସମୟରେ ଟିକଟକ୍ ଆମେରିକୀୟ କିମ୍ବା ଅନ୍ୟ କମ୍ପାନୀକୁ ବିକ୍ରି ନ ହେଲେ ଏହାକୁ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟିକଟକର ବ୍ୟବସାୟ ପ୍ରାୟ ୩୦ ଆରବ ଡ଼ଲାର ବୋଲି ଆକଳନ କରାଯାଇଛି ।
୨୦୧୯ରେ ଭାରତରୁ ହ୍ବାଇଟ୍ ଡ଼୍ୟାନ୍ସ ପାଇଛି ୪୩.୭ କୋଟି ଟଙ୍କା
ବାଇଟ୍ ଡ଼୍ୟାନ୍ସ ଦ୍ବାରା ପରିଚାଳିତ ଟିକଟକ୍ ୨୦୧୯ ମସିହାରେ ଭାରତରେ ୪୩.୭ କୋଟି ଟଙ୍କା କାରବାର କରିଛି ଏବଂ ଏଥିରୁ କମ୍ପାନୀ ୩.୪ କୋଟି ଟଙ୍କା ଲାଭ କରିଛି । ଆମେରିକାରେ କମ୍ପାନୀକୁ ୬୫୦ କୋଟି ଟଙ୍କା ରାଜସ୍ବ ମିଳିଛି । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପୃଥିବୀରେ ୨୦୦ କୋଟି ଥର ଟିକଟକ୍ ଆପ୍ ଡ଼ାଉନ ଲୋଡ଼ ହୋଇଛି ଏବଂ ଏହାମଧ୍ୟରୁ ୮୦ କୋଟି ସକ୍ରିୟ ବ୍ୟବହାରକାରୀ ଅଛନ୍ତି ।

Comments are closed.