www.samajalive.in
Sunday, December 7, 2025
26.1 C
Bhubaneswar

ଜଗୁଆଳ ହେପାଜତରେ ୧୩ କୋଟିର ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦୀର୍ଘଦିନରୁ ଲାଗି ରହିଥିବା ଟ୍ରାଫିକ ସମସ୍ୟାରୁ ଲୋକଙ୍କୁ ନିସ୍ତାର ଦେବାକୁ ସହର ଉପକଣ୍ଠ ହଳିଆଦପଦରଠାରେ ନିର୍ମାଣ କରାଯାଇଥିବା ୧୩ କୋଟିର ମଡର୍ଣ୍ଣ ବସ ଟର୍ମିନାଲ ଏବେ ପରିତ୍ୟକ୍ତ। ଉଦଘାଟନର ସାଢେ ୪ ବର୍ଷ ପରେ ମଧ୍ୟ ଏଠାରୁ ଗୋଟିଏ ବି ବସ ଗଡିପାରିନି। କେବଳ ଏତିକି ନୁହେଁ ଆଜକୁ ଏକ ମାସ ହେବ ଏହି ବସଷ୍ଟାଣ୍ଡରୁ ବିଜୁଳି ବିଚ୍ଛିନ୍ନ କରି ଦିଆଯାଇଛି। ବର୍ତ୍ତମାନ ଏହାର ଦାୟିତ୍ବ ଜଣେ ଜଗୁଆଳଙ୍କ ହେପାଜତରେ ଛାଡି ଦିଆଯାଇଛି ।ଯେଉଁ ମହତ ଉଦେଶ୍ୟ ନେଇ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା ତାହା ଚରିତାର୍ଥ ହୋଇପାରିନି। ଏଣେ ବ୍ରହ୍ମପୁରର ଟ୍ରାଫିକ ସମସ୍ରା ଯଥା ପୂର୍ବ ତଥା ପରଂ।
ବ୍ରହ୍ମପୁର ସହରରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ସହ ଗାଡିମୋଟର ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ସହର ଭିତରେ ରହିଥିବା ପୁରୁଣା ବସଷ୍ଟାଣ୍ଡରୁ ସିଟି ବସ ଚଳାଚଳ କରୁଥିବା ବେଳେ ନୂଆ ବସଷ୍ଟାଣ୍ଡରୁ ଆନ୍ତଃଜିଲା ଓ ଆନ୍ତଃରାଜ୍ୟ ବସ ଚଳାଚଳ କରୁଛି । ସେହିକ୍ରମରେ ବ୍ରହ୍ମପୁର ସହର ଭିତର ବିଭିନ୍ନ ଛକ ଦେଇ ଦୈନିକ ୫ଶହରୁ ଅଧିକ ଯାତ୍ରୀବାହୀ ବସ ଚଳାଚଳ କରୁଛି । ଯେଉଁଥିପାଇଁ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇଛି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଛକରେ ଟ୍ରାଫିକ ସମସ୍ୟା ଅହରହ ଲାଗି ରହୁଛି । ଦୀର୍ଘଦିନର ଏହି ସମସ୍ୟାର ନିରାକରଣ ନିମନ୍ତେ ୨୦୧୩ ମସିହା ନଭେମ୍ବର ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସହର ଉପକଣ୍ଠ ଜାତୀୟ ରାଜପପଥ-୧୬ ପାର୍ଶ୍ବ ହଳଦିଆପଦଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏଥିପାଇଁ ୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ୩ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିବା ସହ ଏହା ଭିତରେ ବସ ରଖିବା ସ୍ଥାନ, ଯାତ୍ରୀଙ୍କ ବିଶ୍ରାମ ବ୍ୟବସ୍ଥା, ବସିବା ସ୍ଥାନ, ଦୋକାନଗୃହ, ଟିକଟ କାଉଣ୍ଟର, ସୂଚନାକେନ୍ଦ୍ର ଆଦି ନିର୍ମାଣ କରାଯାଇଥିଲା । ‌୨୦୧୬ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ଏହି ମଡର୍ଣ୍ଣ ବସ ଟର୍ମିନାଲକୁ ଉଦଘାଟନ କରିଥିଲେ । ଏହି ବସଷ୍ଟାଣ୍ଡର ପରିଚାଳନା ଦାୟିତ୍ବ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ହାତରେ ରହିଥିଲା । ବସଷ୍ଟାଣ୍ଡ ନିର୍ମାଣ ଶେଷ ହେବା ପରେ ସବୁ ଯାତ୍ରୀବାହୀ ବସ ବ୍ରହ୍ମପୁର ଭିତରେ ଥିବା ନୂଆ ଓ ପୁରୁଣା ବସଷ୍ଟାଣ୍ଡ ବଦଳରେ ହଳଦିଆପଦର ବସଷ୍ଟାଣ୍ଡରୁ ଯାତାୟାତ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ବାଇପାସ ରୋଡ, ଓଭରବ୍ରିଜ, ରୁଟ ଓ ସମୟ ପରିବର୍ତ୍ତନ ଭଳି ବଭିନ୍ନ ଆଳ ଦେଖାଇ ବସ ମାଲିକମାନେ ସେଠାକୁ ଯିବାକୁ ଅମଙ୍ଗ ହୋଇଥିଲେ । ଗତବର୍ଷ ବ୍ରହ୍ମପୁର ମହାନଗର ନିଗମର ତତ୍କାଳୀନ କମିଶନର ତଥା ବିଡିଏର ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରୋଠୋର ବସଷ୍ଟାଣ୍ଡ ସ୍ଥାନାନ୍ତର ଓ କାର୍ଯ୍ୟକ୍ଷମ ପାଇଁ ଯଥାସାଧ୍ୟ ଉଦ୍ୟମ କରି ମଧ୍ୟ ସଫଳ ହୋଇପାରି ନଥିଲେ । ବସ୍ ଚଳଚଳ କରୁନଥିବାରୁ ଏହି ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ କିଛି ଘରୋଇ ମାଲିକ ଚାଲୁ ନଥିବା ନିଜର କିଛି ବସକୁ ଏହି ବସଷ୍ଟାଣ୍ଡ ଭିତରେ ରଖୁଛନ୍ତି । ସେହିପରି କରୋନା ସମୟରେ ପ୍ରବାସୀଙ୍କୁ ଏଠାରେ ରଖି ବସ ଯୋଗେ ବିଭିନ୍ନ ସ୍ଥାନକୁ ଛଡା ଯାଉଥିଲା । ପ୍ରବାସୀଙ୍କ କାର୍ଯ୍ୟରେ ନିୟୋଜିତ ବେଳେ ଏହି ବସଷ୍ଟାଣ୍ଡର ବିଜୁଳି ବିଲ ୬ ରୁ ୭ ଲକ୍ଷ ଟଙ୍କା ହୋଇଥିଲା । କିନ୍ତୁ ସେହି ବିଲ ବିଡିଏ କିମ୍ବା ଜିଲା ପ୍ରଶାସନ ପୈଠ କରିନଥିବାରୁ ଆଜକୁ ମାସେ ହେବ ବସଷ୍ଟାଣ୍ଡରୁ ବିଜୁଳି ବିଚ୍ଛିନ୍ନ କରି ଦିଆଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ୨ ମହଲା କୋଠାର ବିଭିନ୍ନ ସ୍ଥାନରେ ଆଜି ଶିଉଳି ଲାଗି ଯାଇଛି । ବିଜୁଳି ନଥିବାରୁ ପାଣି ଆସୁନି । ଫଳରେ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଅନେକ ସୁନ୍ଦର ଗଛ ମଉଳି ଯାଇଛି । ୧୩ କୋଟିର ଏହି ବସଷ୍ଟାଣ୍ଡକୁ ଏକ ଘରୋଇ ନିର୍ମାଣ ସଂସ୍ଥା ଦ୍ବାରା ନିୟୋଜିତ ଗୁଣ୍ଡିଚା ତରାଇ ନାମରେ ଜଣେ ଜଗୁଆଳଙ୍କ ହେପାଜତରେ ଛାଡି ଦିଆଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories