ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଠାକୁରମୁଣ୍ଡାଠାରୁ ୨ କିମି ଦୂର ଜୁଡାମ୍ବ ଘାଟିରେ ଗୁରୁବାର ଏକ ଯାତ୍ରୀବାହୀ ବସ୍ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ଅନୁଯାୟୀ, କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପଥସାରଥୀ ବସ୍ ଠାକୁରମୁଣ୍ଡା ବଜାର ରହଣି ପରେ ଭୁବନେଶ୍ୱର ଯାଉଥିବା ବେଳେ ଜୁଡାମ୍ବ ଘାଟି ବାଙ୍କ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକଟି ବସ୍ ଚକ ତଳେ ପଶିଯାଇ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାଇକ ଚାଳକଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲା ଘଷିପୁରା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି।



