ବୁର୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ଭିତ୍ତିପ୍ରସ୍ତର ସ୍ଥାପନକୁ ୫ ବର୍ଷ ବିତିଲା ; ପୁଣି ସ୍ଥାନ ପରିବର୍ତ୍ତନ ପାଇଁ ଚାଲିଛି ମସୁଧା

ବୁର୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୁର୍ଲାଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସର ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ବିତିସାରିଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିଲାବେଳେ ଠିକାସଂସ୍ଥାର ପ୍ରଥମ ପର୍ୟ୍ୟାୟ ନିର୍ମାଣ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ତେବେ ଏହା ମଧ୍ୟରେ କେନ୍ଦ୍ରୀୟ ଟିମ୍‌ ଆସି ଏହି ଏମସିଏଲ ନିକଟ ସ୍ଥାନକୁ ନିର୍ମାଣ ପାଇଁ ଉକୃଷ୍ଟ ନଥିବା କହିଥିବା ଜଣାପଡ଼ିଛି। ସେପଟେ ଏହାର ନିର୍ମାଣ କାମ ଚାଲିଥିବା ବେଳେ ପୁଣି ସମ୍ବଲପୁର ନିକଟରେ ଏକ ପ୍ରକୃଷ୍ଟ ଜମିର ସର୍ଭେକାମ ମଧ୍ୟ ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଚାଲିଥିବା କୁହାଯାଉଛି। ଏନେଇ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଯଦି ଏହି ସ୍ଥାନ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ପ୍ରକୃଷ୍ଟ ନଥିଲା ତେବେ କିପରି ଭାବରେ ଏଠାରେ ନିର୍ମାଣ ଆରମ୍ଭ ହୋଇଥିବା ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି।
ଜାତୀୟ ରାଜପଥ ନଂ. ୫୩ ପାର୍ଶ୍ବ ଓ ପାୱାର କେନାଲ ନିକଟ ବୁର୍ଲା ଏମସିଏଲରେ ଥିବା ୨୮ଏକର ୮୧ ଡେସିମିଲ ଜମି ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଚୟନ ହୋଇଥିଲା। ଇଡ଼କୋ ପକ୍ଷରୁ କାର୍ୟ୍ୟକାରୀ ପ୍ରକଳ୍ପ ନିର୍ମାଣ ସକାଶେ ସମ୍ବଲପୁରର ମହାନଗର ନିଗମ ଅର୍ନ୍ତଭୁକ୍ତ ବୁର୍ଲା ସହରର ଏକ ନିର୍ମାଣ ଏଜେନ୍ସିକୁ କାର୍ୟ୍ୟାଦେଶ ଦିଆଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ଏକ ବହୁମୁଖୀ ଇଣ୍ଡୋର ଷ୍ଟାଡ଼ିୟମ ବିକଶିତ କରାଯିବା ଏଥିପାଇଁ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏଥିରେ ଅନେକ ବିଳମ୍ବ ହେବା ସହିତ କେତେକ ନିର୍ମାଣ ଅସଙ୍ଗତିକୁ ନେଇ ତଦାରଖ ଅଧିକାରୀ ପ୍ରଶ୍ନ ଉଠାଇଥିଲେ। ମହାନଦୀ କୋଇଲା କମ୍ପାନୀ ତିନି କୋଟି ଟଙ୍କା ମଞ୍ଜୁର କରିଥିଲା। ଏମସିଏଲ ପକ୍ଷରୁ ପ୍ରଦତ୍ତ ନବେ ଲକ୍ଷ ଟଙ୍କାରେ ପ୍ରକଳ୍ପର ଜମି ଉପରେ ଉଦ୍ୟୋଗର ଆସ୍‌ ବା ଖାର ପକାଯାଇ ଏହାକୁ ସମତୁଲ କରାଯାଇ ପାଚେରୀ ଦିଆଯାଇଥିଲା। ପ୍ରସ୍ତାବିତ କମ୍ପ୍ଲେକ୍ସ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଜମି ଉପଯୋଗ ସମ୍ପର୍କିତ ବିବରଣୀ ଦିଲ୍ଲୀର ଏକ ଏଜେନ୍ସି ଜରିଆରେ କରାଯାଇଥିଲା। ପ୍ରକଳ୍ପ ପୂରା କରିବା ସକାଶେ ୮୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ମାତ୍ର ବର୍ତ୍ତମାନ ଏହି ନିର୍ମାଣ ସ୍ଥାନ ଉକୃଷ୍ଟ ନଥିବା ଏବଂ ନିର୍ମାଣକୁ ନେଇ ମଧ୍ୟ ତଦାରଖ ଅଧିକାରୀ ଯାଞ୍ଚ କଲାପରେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ତେବେ କେତେକ ନିର୍ମାଣ ଢଳେଇ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନରହିବା ଏବଂ ନିର୍ମାଣରେ ତ୍ରୁଟି ରହିଥିବା କୁହାଯାଉଛି।
ସେପଟେ ଏହି ବୁର୍ଲା ଏମସିଏଲ ଜାଗୃତି ବିହାର ନିକଟ ସ୍ଥାନରେ କାମ ଅନେକ ଆଗକୁ ଯାଇଥିବା ବେଳେ ପୁଣି ସମ୍ବଲପୁରଠାରେ ଜମିଦେଖା ଚାଲିଥିବାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହି ପ୍ରସଙ୍ଗରେ କିଛି ସ୍ପଷ୍ଟ ହୋଇ ପାରିନାହିଁ। ସୂଚନା ଥାଉକି, ଏହି କମ୍ପ୍ଲେକ୍ସ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟସ୍ତରୀୟ ଖେଳାଳୀ ଗଢ଼ିବା କ୍ଷେତ୍ରରେ ପ୍ରମୁଖ ଭୂମିକା ସମ୍ପାଦନ କରିବ। ତେବେ ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ପ୍ରଶିକ୍ଷଣ ଦିଆଯାଇ ପାରିବ ଏହା ଉପରେ ଦୃଷ୍ଟିଦେବା ଆବଶ୍ୟକତା ରହିଛି। ପ୍ରଥମ ପର୍ୟ୍ୟାୟରେ ଇନ୍‌ଡୋର ଷ୍ଟାଡ଼ିୟମରେ ଫୁଟବଲ ପଡ଼ିଆ, ଏଥେଲେଟିକ୍ସ ପ୍ରତିଯଯୋଗିତା ପାଇଁ ସିନଥେଟିକ୍ସ କୋର୍ଟ, ସହିତ ସଟପୁଟ, ଜାଭେଲିନ, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ ଆଦି ପାଇଁ ବ୍ୟବସ୍ଥା କରାଯିବ। ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିବ। ଏହି ପର୍ୟ୍ୟାୟରେ କମ୍ପ୍ଲେକ୍ସର ପାନୀୟ ଜଳ ଯୋଗାଣ, ଅଭ୍ୟନ୍ତରୀଣ ରାସ୍ତା, ନାଳନର୍ଦ୍ଦମା, ବିଦ୍ୟୁତ ସଂଯୋଗ ଓ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଆଦି କରାଯିବ। ଦ୍ୱିତୀୟ ପର୍ୟ୍ୟାୟରେ ସନ୍ତରଣାଗାର କମ୍ପ୍ଲେକ୍ସ, ଛାତ୍ରାବାସ, ଶାରୀରିକ ଶିକ୍ଷା ପ୍ରଶିକ୍ଷଣ (ପିଇଟି) କଲେଜ ନିର୍ମାଣ ହେବ। ସୂଚନା ଥାଉକି, ଗତ ୨୦୧୫ ମସିହା ଫେବୃୟାରୀ ମାସ ୨୭ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଏହା ସମ୍ପୂର୍ଣ୍ଣ ହୋଇ ଏକ ଉଚ୍ଚମାନର କ୍ରୀଡ଼ା ସୁବିଧା ହେବାକୁ ନେଇ କ୍ରୀଡ଼ାବିତ ତଥା କ୍ରୀଡ଼ାପ୍ରେମୀ ମହଲରେ ଆଶା ପ୍ରକାଶ କରାଯାଇଥିଲା। ପୁଣି ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣରେ ଦେଖାଦେଇଥିବା ଦୋଦୁଲ୍ୟମାନ ସ୍ଥିତି ସହ ସ୍ଥାନ ପରିବର୍ତ୍ତନ ମସୁଧାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Comments are closed.