ବ୍ରିକ୍‍ସ ସମ୍ମିଳନୀରେ ସୁଷମାଙ୍କ ବକ୍ତବ୍ୟ

0

ପ୍ରିଟୋରିଆ : ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦ ବିରୋଧରେ ବ୍ରିକ୍‍ସ ରାଷ୍ଟ୍ର ସମୂହ (ବ୍ରାଜିଲ, ରୁଷ୍‍, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆଠାରେ ଅନୁଷ୍ଠିତ ବ୍ରିକ୍‍ସ ରାଷ୍ଟ୍ରସମୂହର ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, ବିଶ୍ୱ ଅର୍ଥନୈତିକ ସ୍ଥିତି ତଥା ରାଜନୈତିକ ପରିସ୍ଥିତି ସୁଧାରିବାରେ ବ୍ରିକ୍‍ସ ରାଷ୍ଟ୍ରସମୂହ ପ୍ରମୁଖ ଭୂମିକା ନିର୍ବାହ କରିଆସିଛିି। ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ବାଣିଜ୍ୟ, ବେଆଇନ ଅର୍ଥ କାରବାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ସାଇବର ସ୍ପେସ୍‍ ଏବଂ ଉଗ୍ରବାଦ ବନ୍ଦ କରିବା ଦିଗରେ ଏହି ମିତ୍ର ରାଷ୍ଟ୍ରଗୁଡିକ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ଆତଙ୍କବାଦ ଦମନ ନିମନ୍ତେ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିବା ସୁଷମା ଏହି ବୈଠକରେ ପୁନଃ ସ୍ମରଣ କରାଇ ଦେଇଛନ୍ତି। ସମ୍ପ୍ରତି ବିଶ୍ୱରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବିଶ୍ୱ ନୀତିନିୟମ ପ୍ରତି ଆହ୍ୱାନ ସୃଷ୍ଟି ହୋଇଥିବାବେଳେ ଏସବୁର ସମାଧାନ ଦିଗରେ ବ୍ରିକ୍‍ସ ରାଷ୍ଟ୍ରସମୂହ ମିଳିତ ପଦକ୍ଷେପ ନେବା ଉଚିତ ବୋଲି ସୁଷମା ଦର୍ଶାଇଛନ୍ତି। ଏହି ସମ୍ମିଳନୀ ପୃଷ୍ଠଭୂମିରେ ସୁଷମା ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ମାସରେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକା ନେତୃତ୍ୱରେ ଏହି ରାଷ୍ଟ୍ରସମ୍ମୂହ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ସଫଳ ହେବେ ବୋଲି ସୁଷମା ଆଶାବ୍ୟକ୍ତ କରିଛନ୍ତି।

Leave A Reply