ବୌଦ୍ଧରେ କାର୍ଯ୍ୟକାଳ @୩୧୨, ମନେରହିବେ ଜିଲ୍ଲାପାଳ ସତ୍ୟ ସାର୍

ହରଭଙ୍ଗା :  ଅବସରକୁ ଆଉ ୪ଦିନ ବାକି ରହିଛି। କାମ କରିବାର ନିଶା ଏବେ ବି ଛାଡିନି । ତାଙ୍କ ଅବସରକୁ ଅନେକଙ୍କୁ ମ୍ରିୟମାଣ କରିଛି।ଏଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁପାଲଟିଛି। ବନ୍ୟା ମୁକାବିଲା ଠାରୁ ଆରମ୍ଭ କରି ଦୁର୍ଗମ ଅଂଚଳର ବିକାଶ କଥା ହେଉ କି ଦୁନୀିତୀ, ଭ୍ରଷ୍ଟାଚାର ବିରୁଦ୍ଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନ ପନ୍ଥା ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଅନ୍ୟପଟେ ଦୁଃଖି ଦରିଦ୍ରଙ୍କ କଥା କାନପାତି ଶୁଣୁଥିବା ଏଭଳି ଜଣେ ପ୍ରଶାସନିକ ଅଧିକାରୀଙ୍କ ନିଆରା କାର୍ଯ୍ୟଶୈଳୀ ଜନସାଧାରଣଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରିପାରିଛି।

୨୦୨୨ ଅଗଷ୍ଟ ୧୪ ଦିନ ବୌଦ୍ଧର ୧୯ତମ ଜିଲ୍ଲାପାଳ ଭାବେ ସତ୍ୟରଞନ ସାହୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅଗଷ୍ଟ ୧୫ରେ ସ୍ୱାଧିନତା ପତାକା ଉଡାଇ ଏକ ସ୍ୱାଧୀନ ଚିନ୍ତାଧାରାରେ ତାଙ୍କ କାର୍ଯ୍ୟପନ୍ଥାର ଶୁଭାରମ୍ଭ କରିଥିଲେ। ଦାୟିତ୍ୱ ଗ୍ରହଣର ଦୁଇଦିନ ନପୂରୁଣୁ ମହାନଦୀରେ ବଡଧରଣର ବନ୍ୟା ବିଭୀଷିକା ତାଙ୍କ ପାଇଁ ବଡ ଚ୍ୟାଲେଞ ସୃଷ୍ଟି କରିଥିଲା । ତଳି ଅଞ୍ଚଳ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତରଣ ସହିତ ବନ୍ୟା ମୁକାବିଲାର ଉତ୍ତମ ସୁପରିଚାଳନା ତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଥିଲା। ବିଶେଷକରି ବନ୍ୟାବିପନ୍ନ ପରିବାରଙ୍କୁ ଉନ୍ନତମାନର ରନ୍ଧାଖାଦ୍ୟ ବ୍ୟବସ୍ଥା ସହିତ ଗର୍ଭବତୀ,ପ୍ରସୂତୀ ଏବଂ ଶିଶୁଙ୍କ ପାଇଁ କ୍ଷୀର ବୋତଲ ସହିତ ସ୍ୱତନ୍ତ୍ର ବ୍ୟବସ୍ଥା ଅନେକ ବିପନ୍ନଙ୍କ ମନରେ ହସ ଫୁଟାଇ ପାରିଥିଲା। ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ଜାଣାଶୁଣା, ମାରଡା, କଣ୍ଡରା, କାଚପାଜୁ ଗାଁ ପରିଦର୍ଶନ କରିବା ପରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି। ଅଭୟାରଣ୍ୟ ମଧ୍ୟରେ ରହିଥିବା ମାରଡା ଗାଁରେ ପ୍ରାକ୍ ଶିଶୁଙ୍କ ପାଇଁ ଶ୍ରଦ୍ଧାସଂଜୀବନୀ କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଗାଁରେ ବନ୍ଧ ସହିତ ଶ୍ମଶାନ ନିର୍ମାଣ କରିଥିଲେ। ଅଧିବାସୀଙ୍କୁ ସ୍ୱାବଲମ୍ବୀ ପାଇଁ ଛେଳି ପାଳନ, ଆଚାର, ବଡି, ପାମ୍ପଡ, ଖଜୁରୀ ରସରୁ ଗୁଡ ପ୍ରସ୍ତୁତି ପାଇଁ ସବୁପ୍ରକାର ସହାୟତା ପ୍ରଦାନ କରିଥିଲେ। କଣ୍ଡରା, କାଚପାଜୁ ଭଳି ଦୁର୍ଗମ ଗାଁକୁ ପାଦଚଲା ରାସ୍ତା ଖଣ୍ଡିଏ ନଥିବା ସତ୍ୱେ ସେଠାକୁ ଜିଲ୍ଲାପାଳ ପରିଦର୍ଶନ ପାଇଁ ପଂହଚିଥିଲେ। ଟାଣ ଖରାରେ ଗଛମୂଳେ ବସି ଲୋକଙ୍କ ସମସ୍ୟାକୁ କାନପାତି ଶୁଣିଥିଲେ। ସେମାନଙ୍କ ମୁଖ୍ୟ ସମସ୍ୟା ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୩କୋଟି ଟଙ୍କା ତତ୍କାଳ ଅନୁମୋଦନ ହୋଇପାରିଛି।ସେଠାରେ ସାତଦିନ ମଧ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । କଣ୍ଡରା, କାଚପାଜୁରେ ସୌର ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ହୋଇଛି । ଖେଳପଡିଆ ସାଙ୍ଗକୁ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ଖସଡା ପ୍ରସ୍ତୁତ କରିଛନ୍ତି। ସ୍ୱାଧୀନତାର ୭୫ବର୍ଷ ପରେ ଗାଁ ଲୋକଙ୍କ ପାଇଁ ରାସ୍ତା ଖଣ୍ଡିଏ ପାଇଁ ସ୍ୱପ୍ନ ହୋଇ ରହିଥିବା ବେଳେ ତାଙ୍କ ଉଦ୍ୟମରେ ରାସ୍ତା କାମ ପୂରଣ ହେବାକୁ ଯାଉଛି। ଜିଲ୍ଲାରେ ଚିତ୍ରକାରଙ୍କୁ ଚିହ୍ନଟକରି ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲାରେ ଆଦର୍ଶ କୃଷି ବଜାର, ବୁଣାକାର ହାଟ,ମିଶନ ଶକ୍ତି, ମିଲେଟ ମିଶନ, କର୍ମଚାରୀଙ୍କ ପାଇଁ ଫିଟନେସ କେନ୍ଦ୍ର, ପ୍ରତ୍ୟେକ ପଂଚାୟତରେ ପାଠାଗାର, ଜିଲ୍ଲା ସଂଗ୍ରାହଳୟରେ ୧୧ଡି ବ୍ୟବସ୍ଥା, ଅକ୍ୟୁୟାରିୟମ, ଗ୍ରାଭିଟୀ ଟନେଲ, ଭୁଲଭୁଲେୟା, ଜଗତୀଠାରେ ନୌକା ବିହାର, ହାପିନେସ କାର୍ଯ୍ୟକ୍ରମ, ବାଣିଗୋଛା-ଚାରିଛକ ଜାତୀୟରାଜପଥରେ ଦୁର୍ଘଟଣା ରୋକିବା ପାଇଁ ରେଡିୟମ ଲାଇଟ୍, କର୍ମଜୀବୀ ମହିଳା ନିବାସ, ପ୍ରତ୍ୟେକ ସ୍କୁଲ ଖେଳପଡିଆ ଉନ୍ନତିକରଣ, କର୍ମଜୀବୀ ମହିଳା ନୀବାସ, ଓାନଷ୍ଟପ କେନ୍ଦ୍ର (ସକ୍ଷୀ), ଜରିଖଣ୍ଡି ପୁନଃରୁଦ୍ଧାର, କଚେରୀ ପଡିଆ ଉନ୍ନତି କରଣ, ଜିଲ୍ଲା ମହୋତ୍ସବକୁ ଆକର୍ଷଣୀୟ କରିବା, ଭେଣ୍ଡିଂ ଜୋନ୍ ନିର୍ମାଣ, ଜିଲ୍ଲା ସୂଚନା ଲୋକସର୍ମ୍ପକ କାର୍ଯ୍ୟାଳୟରେ ପାଠାଗାର ପ୍ରତିଷ୍ଠା, ଚାରିଛକରେ ପୁଲିସ ଆଉଟ ପୋଷ୍ଟ, ଜାତୀୟ ରାଜପଥ କଡରୁ ଜବରଦଖଲ ହଟେଇବା, ଜରାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ସଦଭାବନା ଗୃହ ପ୍ରତିଷ୍ଠା ,ଚାରିଛକ ଦୁଗ୍ଧ ଶୀତଳୀକରଣର ନିର୍ମାଣ କାର୍ଯ୍ୟ ତ୍ୱାରାନ୍ୱିତ, ଯାଯାବରର ଉନ୍ନତିକରଣ ଇତ୍ୟାଦି ତାଙ୍କ ସାଢେ୧୦ମାସ କାର୍ଯ୍ୟଭାର ସମୟରେ ସମ୍ପାଦିତ ହୋଇପାରିଛି।
ମାଟ୍ରିକରେ ସଫଳ ଛାତ୍ରଛାତ୍ରୀଙ୍କୁ ଭ୍ରମଣ ପାଇଁ ସୁବିଧା 
ଚଳିତ ମାଟ୍ରିକ ପରୀକ୍ଷାରେ ଏ ୱାନରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ସେମାନଙ୍କୁ ଭୂବନେଶ୍ୱର ବୁଲିବା ପାଇଁ ପଠାଇଥିଲେ।
କିଡନୀ ଡାଏଲେସିସ ଏବଂ ମାନସିକ ରୋଗୀଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା
ଜିଲ୍ଲାରେ କିଡନୀ ଏବଂ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କୋଭିଡ୍ ହସପିଟାଲରେ ଏକ କିଡନୀ ଡାଏଲେସିସ କେନ୍ଦ୍ର ସହିତ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ।

ଚିକିତ୍ସା ସହାୟତା
ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ଚିକିତ୍ସା ପାଇଁ ୩୦ଜଣ କ୍ୟାନସର ଭଳି ଗୁରୁତର ରୋଗୀଙ୍କୁ କଟକ,ଏମ୍ସ, ଶିଶୁଭବନ ପଠାଇବା ବ୍ୟବସ୍ଥା, ରେଡକ୍ରସ ପାଣ୍ଠିରୁ ୫୧୨ଜଣଙ୍କୁ ୨୭ଲକ୍ଷ ୬୭ହଜାର ୪୭୪ଟଙ୍କା ସହାୟତା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪୩୮ଜଣଙ୍କୁ ୩୩ଲକ୍ଷ ୮୪ହଜାର ୫ଶହ ଟଙ୍କା ପ୍ରଦାନ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।
ରେଡକ୍ରସ ପାଣ୍ଠି ବୃଦ୍ଧି
୧୪ ଅଗଷ୍ଟ୨୦୨୨ରୁ ୨୩ ଜୁନ୍ ୨୦୨୩ପର୍ଯ୍ୟନ୍ତ ଜିଲ୍ଲା ରେଡକ୍ରସ ପାଣ୍ଠିରେ ୯୨ଲକ୍ଷ ୯୯ହଜାର ୪ଶହ ଟଙ୍କା ଜମାହୋଇଛି।ସଂଗୃହୀତ ରେଡକ୍ରସ ପାଣ୍ଠିରୁ ୩୦ପ୍ରତିଶ୍ରତ ଅର୍ଥ ରାଜ୍ୟ ରେଡକ୍ରସ ପାଣ୍ଠିକୁ ୨୦୧୬ରୁ ପଠାଯାଇ ନଥିଲା। ତାଙ୍କ ଦାୟିତ୍ୱ ଗ୍ରହଣ ପରେ ମାର୍ଚ୍ଚ ୨୪ରେ ୨୫ଲକ୍ଷ ୯୫ହଜାର ୪୧ଟଙ୍କା ରାଜ୍ୟ ରେଡକ୍ରସକୁ ପଠାଯାଇଥିଲା।
ବେଆଇନ ବାଲିଚାଲାଣ ଉପରେ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ
ଜିଲ୍ଲାର ବିଭିନ୍ନ ବାଲି ସୈରାତରୁ ବେଆଇନ ବାଲିଚାଲାଣ ଉପରେ ଜିଲ୍ଲାପାଳ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବେଆଇନ ବାଲିଚାଲାଣ ଧରପଗଡ କରି କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରି ମାଫିଆ ମାନଙ୍କ ମନରେ ଏକ ଆତଙ୍କ ସୃଷ୍ଟି କରିଥିଲେ।

Comments are closed.