ରଥ ମରାମତି ପାଇଁ କାଠ ନାହିଁ, ନୂତନ ରଥ ନିର୍ମାଣ ଯୋଜନା ଶୀତଳ ଭଣ୍ଡାରରେ

ବୌଦ୍ଧ: ପୁରୀ ରଥଯାତ୍ରା ପରେ ଗଡ଼ଜାତ ଅମଳରୁ ବୌଦ୍ଧରେ ପାଳିତ ହୋଇଆସୁଥିବା ରଥଯାତ୍ରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ। ପୁରୀରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ପ୍ରତିବର୍ଷ ବୌଦ୍ଧ ଜିଲାରୁ କାଠ ପଠାଯାଇ ଦୁଇ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଓ ଭାବଗତ ନିବିଡତାକୁ ଅଧିକ ମଜଭୁତ କରାଯାଇପାରିଛି। ପୁରୀ ରଥ ନିର୍ମାଣ ପାଇଁ ଆଗାମୀ ଶହେବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲାରେ ମହାନଦୀ କୂଳେ କୂଳେ ଶ୍ରୀଜଗନ୍ନାଥ ବନ ପକ୍ରଳ୍ପ ସୃଷ୍ଟି କରାଯାଇଛି। ଇତିହାସକୁ ଅନୁଧ୍ୟାନ କଲେ ବୌଦ୍ଧ ଗଡ଼ଜାତରେ ବୈଷ୍ଣବ ଧର୍ମର ପ୍ରସାର ଘଟିଥିଲା। ବୌଦ୍ଧର ରାଜାମାନଙ୍କ ପୃଷ୍ଠପୋଷକତାରେ ଶହ ଶହ ବର୍ଷ ପୂର୍ବରୁ ଆୟୋଜିତ ହେଉଥିବା ରଥଯାତ୍ରା ସ୍ୱାଧୀନତା ପରଠାରୁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଆସୁଅଛି। ଜିଲାରେ ଗଣପର୍ବର ମାନ୍ୟତା ପାଇଥିବା ଏହି ଯାତ୍ରା ପୂର୍ବରୁ ଉପଜିଲ୍ଲାପାଳ ଓ ଜିଲ୍ଲା ହେବା ପରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମ୍ପନ୍ନ ହୋଇଆସୁଅଛି। ଦେବୋତ୍ତର ବିଭାଗ ଦ୍ୱାରା ସଂରକ୍ଷିତ ଓ ପରିଚାଳିତ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଦାୟିତ୍ୱ ଉପଜିଲ୍ଲାପାଳଙ୍କୁ ଦେବୋତ୍ତର ଅଧିକାରୀ ଭାବରେ ନ୍ୟସ୍ତ କରାଯାଇଛି। କିନ୍ତୁ ସ୍ୱଳ୍ପ ସମୟ ପାଇଁ ଜିଲାକୁ ଆସୁଥିବା ଅଧିକାରୀମାନେ ଜିଲାର ଲୋକଙ୍କ ଭାବନାକୁ ବୁଝିବାକୁ ସକ୍ଷମ ହେଉ ନ ଥିବାବେଳେ ଏହି ଯାତ୍ରାର ଆକର୍ଷଣ ଦିନକୁ ଦିନ କମିବାରେ ଲାଗିଛି।

ରାଜ୍ୟ ସରକାରଙ୍କ ଦେବତ୍ତୋର ବିଭାଗରୁ ମନ୍ଦିର ପରିଚାଳନା ପାଇଁ କୌଣସି ଅନୁଦାନ ମିଳୁ ନ ଥିବାରୁ ସ୍ଥାନୀୟ ଶ୍ରଦ୍ଧାଳୁମାନେ ବେସରକାରୀ ଭାବରେ ବିଭିନ୍ନ କମିଟି ଗଠନ କରି ମନ୍ଦିରର ନିତିକାନ୍ତି ଓ ଠାକୁରଙ୍କ ବିଭିନ୍ନ ଯାନିଯାତ ବର୍ଷ ସାରା ପରିଚାଳନା କରିଥାନ୍ତି। କିନ୍ତୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଓ ସମସ୍ତ ନିଷ୍ପତ୍ତି ସିଧାସଳଖ ସରକାରଙ୍କ ଅଧୀନରେ ରହିଛି। ବୌଦ୍ଧରେ ଗଡ଼ଜାତ ସମୟରୁ ପାଳିତ ହେଉଥିବା ବୌଦ୍ଧ ରଥଯାତ୍ରାର ବିଶେଷତ୍ୱ ହେଲା ଯେ, ଏଠାରେ ପ୍ରାୟ ୭୦ ଫୁଟ ଉଚ୍ଚତାର ଗୋଟିଏ ରଥ ଉପରେ ତିନି ଠାକୁର ଗୁଣ୍ଡିଚା ଯାତ କରିଥାନ୍ତି। ତତ୍କାଳୀନ ରାଜାଙ୍କ ଦ୍ୱାରା କଲିକତା ଓ ବିଭିନ୍ନ ଅଞ୍ଚଳର କୁଶଳୀ କାରିଗରଙ୍କ ଦ୍ୱାରା ଏହି ରଥ ନିର୍ମାଣ କରାଯାଇଥିଲା। ପ୍ରଥମରୁ ୧୬ ଚକ ବିଶିଷ୍ଟ ଏହି ରଥରୁ କାଳକ୍ରମେ ବଡଦାଣ୍ଡ ସଙ୍କୋଚନ ଯୋଗୁଁ ୬ଟି ଚକକୁ ହଟାଇ ଦିଆଯାଇଥିବାବେଳେ ସେହି ଅନୁପାତରେ ଉଚ୍ଚତାରେ ମଧ୍ୟ ୮ ଫୁଟ ପର୍ୟ୍ୟନ୍ତ ବର୍ତ୍ତମାନ କମି ଯାଇଥିବା ବରିଷ୍ଠ ଲୋକମାନେ ସୂଚନା ଦିଅନ୍ତି। ରଥର ଉପରିଭାଗ ଘୁର୍ଣ୍ଣାୟମାନ ହୋଇଥିବାରୁ ଏହାକୁ ରଥ ଓ ବାହୁଡା ଯାତ୍ରା ଦିନ ଦିଗ ପରିବର୍ତ୍ତନ କରିବାରେ କୌଣସି ସମସ୍ୟା ହୋଇ ନ ଥାଏ। ରାଜାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ଅଭଙ୍ଗ ରଥକୁ ପ୍ରତିବର୍ଷ କେବଳ ମରାମତି କରାଯାଇଥାଏ। ପ୍ରଶାସନ ପକ୍ଷରୁ ଅନୁରୋଧକ୍ରମେ କାଠ କର୍ପୋରେଶନ ପକ୍ଷରୁ ପ୍ରତିବର୍ଷ କିଛି ଶାଳକାଠ ଠାକୁରଙ୍କ ରଥ ମରାମତି ପାଇଁ ଯୋଗାଇ ଦିଆଯାଇଥାଏ। ବହୁ ପୁରାତନ ହୋଇ ସାରିଥିବା ଏହି ରଥର ପୁନଃ ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ପ୍ରତିବର୍ଷ ଦାବି କରାଯାଉଥିଲେ ମଧ୍ୟ ଯାତ୍ରା ପରେ ଦାୟିତ୍ୱରେ ରହିଥିବା ପ୍ରଶାସନିକ ଅଧିକାରୀମାନେ ହାତଝାଡି ବସିପଡ଼ିଛନ୍ତି। ସେ ବଦଳି ହୋଇ ଚାଲିଯିବା ପରେ ପରବର୍ତ୍ତି ଅଧିକାରୀମାନେ ସମାନ ଭାବରେ ଏହି ଯାତ୍ରା ପରିଚାଳନା ଦାୟିତ୍ୱ ଧର୍ମକୁ ଆଖିଠାର ଭଳି ନର୍ବିାହ କରିଥାନ୍ତି।

ଗତ କିଛିବର୍ଷ ହେଲା ରାଜ୍ୟ ସରକାର ଆଇନ ବିଭାଗ ଜରିଆରେ ବୌଦ୍ଧ ରଥଯାତ୍ରା ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଯୋଗାଇ ଦେଉଥିବାବେଳେ ଯାତ୍ରା ସମୟରେ ମୀନାବଜାର ପ୍ରଭୃତିରୁ ଠାକୁରଙ୍କ ଯାତ୍ରା ପାଇଁ କିଛି ଆର୍ଥିକ ସାହାଯ୍ୟ ମିଳୁଛି। ତେଣୁ ଠାକୁରଙ୍କ ନୂତନ ରଥ ନିର୍ମାଣ ପାଇଁ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଆଶା ପ୍ରକାଶ ପାଇବା ସହିତ ଏଥିପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବାକୁ ସବୁବେଳେ ଚାପ ସୃଷ୍ଟି କରାଯାଇଆସୁଅଛି। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଓ ଅର୍ଥର ଅଭାବ ସହିତ ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହି ଯୋଜନା ଏବେ ପ୍ରଶାସନର ଶୀତଳ ଭଣ୍ଡାରରେ ପଡ଼ିରହିଛି।

ଚଳିତବର୍ଷ ନିର୍ବାଚନ ପ୍ରକ୍ରିୟା ଯୋଗୁଁ ପ୍ରଶାସନ ପକ୍ଷରୁ ରଥ ପ୍ରସ୍ତୁତିରେ ବିଳମ୍ବ ହୋଇସାରିଛି। ଯାତ୍ରାକୁ ମାତ୍ର ଆଉ ଏକ ମାସ ବାକିଥିବାବେଳେ ରଥକାଠ ଏପର୍ୟ୍ୟନ୍ତ ଖଳାରେ ପଡ଼ିପାରିନାହିଁ। କେବେ ରଥ କାଠ ଆସିବ ଓ ରଥ ମରାମତି ହେବ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ନିକଟରେ ରଥର ମରାମତି ଯାଞ୍ଚ ଦାୟିତ୍ୱ ରହିଥିବାବେଳେ ଚଳିତବର୍ଷ କୌଣସି ଅଧିକାରୀ ରଥ ପାଇଁ ଆବଶ୍ୟକ ହେଉଥିବା ମରାମତି ସଂପର୍କରେ ଯାଞ୍ଚ କରିନାହାନ୍ତି। ଠିକ୍ରେ ମରାମତି କରା ନ ଗଲେ ଏଥର ରଥଯାତ୍ରା ସମୟରେ କୌଣସି ଅଘଟଣକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ରଥ ମରାମତି କରୁଥିବା ମହରଣାଙ୍କ ମତ ଅନୁଯାୟୀ, ରଥ ପାଇଁ ଆବଶ୍ୟକ ହେଉଥିବା କାଠ ଗଚ୍ଛିତ ନାହିଁ। ଏତେ ସ୍ୱଳ୍ପ ସମୟ ମଧ୍ୟରେ ରଥ ମରାମତି କେମିତି ହୋଇପାରିବ ତାହା ସନ୍ଦେହ ଘେରରେ। ତେଣୁ ଚଳିତବର୍ଷ ରଥଯାତ୍ରା ପରିଚାଳନା ନେଇ ସଙ୍କଟ ଦେଖାଦେଇଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ବାହାଘର ବେଳେ ବାଇଗଣ ରୁଆ ଭଳି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି।

Comments are closed.