ବୌଦ୍ଧ : ଚୈତ୍ର ମାସର ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ କେବଳ ବିଦ୍ୟୁତ ଭରସାରେ ଲୋକେ ଘରେ ରହିପାରୁଛନ୍ତି। ହେଲେ ବୌଦ୍ଧ ଜିଲାର ଏକ ଆଦିବାସୀ ବସ୍ତିରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ସଂଯୋଗ ନଥିବାରୁ ସେଠାରେ ବସବାସ କରୁଥିବା ଦଶରୁ ଊର୍ଦ୍ଧ୍ବ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି। ଅନ୍ଧକାର ରାତିରେ କୌଣସି ଅଘଟଣ ପାଇଁ ପାଳି କରି ବସ୍ତିକୁ ଜଗୁଛନ୍ତି ପରିବାରର ପୁରୁଷ ଲୋକ। ଆଦିବାସୀ ଅଧ୍ୟୁଷିତ ବସ୍ତିରେ ଅପହଞ୍ଚ ସରକାରୀ ଯୋଜନା। ବର୍ତ୍ତମାନ ଚୈତ୍ର ମାସର ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଜିଲ୍ଲା। ଆଉ ଏଭଳି ସମୟରେ ଗୋଟିଏ ଆଦିବାସୀ ବସ୍ତିରେ ବିଦ୍ୟୁତ ନଥିବାରୁ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦଶରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ଦେଖିବାକୁ ମିଳିଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତରେ ରହିଛି ଜିଲାର ତିନୋଟି ପ୍ରମୁଖ ବିଦ୍ୟୁତ ସେବା ସ୍ଥାନ। ତନ୍ମଧ୍ୟରୁ ଦୁଇଟି ସୋଲାର ପାଓ୍ବାର ପ୍ଲାଣ୍ଟ ହୋଇଥିବା ବେଳେ ଅନ୍ୟଟି ଜିଲ୍ଲାର ପ୍ରମୁଖ ଗ୍ରୀଡ। ତେବେ ଆଶ୍ଚର୍ୟ୍ୟର କଥା ତିନି ଦିଗରେ ବିଦ୍ୟୁତ ସରବରାହର ବିଭିନ୍ନ ସ୍ରୋତର ସ୍ଥାନ ଠାରୁ ଅଳ୍ପ ଦୂରରେ ଥିବା ରାଇପୁର ଗ୍ରାମର କେନାଲ ପାର୍ଶ୍ୱରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ ଏହି ବିଦ୍ୟୁତ ସେବା ଅପହଞ୍ଚ ହୋଇରହିଛି। ଦୀର୍ଘ ଦିନ ହେଲା ଏହି ଆଦିବାସୀ ବସ୍ତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାର ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି। କିନ୍ତୁ ଉକ୍ତ ବସ୍ତିରେ ବିଦ୍ୟୁତ ସଂଯୋଗ କରିବାକୁ ଭୁଲି ଯାଇଛି ବିଭାଗ।
ଫଳରେ ସନ୍ଧ୍ୟା ହେଲେ ଏହି ବସ୍ତିରେ ଅନ୍ଧକାର ରାଜୁତି କରିବା ସହିତ ତାଟି କବାଟ ପଡି ଯାଉଛି । କାରଣ ରାଇପୁର ଗ୍ରାମ ନିକଟରେ ଥିବା ବାଙ୍କମୁଣ୍ଡି ଜଙ୍ଗଲରୁ କୌଣସି ସମୟରେ ମଧ୍ୟ ବନ୍ୟଜନ୍ତୁ ସରୀସୃପ ଗାଁ ମୁହାଁ ହୋଇଥାନ୍ତି। ତେଣୁ ପ୍ରତ୍ୟେକ ପରିବାର ପାଳି କରି ହାତରେ ଠେଙ୍ଗା ବାଡି ଧରି ରାତି ଉଜାଗର ରହୁଛନ୍ତି। ସେପଟେ ବିଦ୍ୟୁତ ନଥିବାରୁ ବସ୍ତିର ଛାତ୍ରଛାତ୍ରୀ ସନ୍ଧ୍ୟାରେ ଡିବିରି, ଲଣ୍ଠନରେ ପାଠ ପଢୁଛନ୍ତି। ଏହାଛଡା ବସ୍ତିରେ ପାନୀୟଜଳ ଯୋଗାଣ ନଥିବାରୁ ସେମାନେ ଏକମାତ୍ର ନଳକୂପ ଉପରେ ନିର୍ଭରଶୀଳ ଅଟନ୍ତି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡିଥିବା ଏହି ଆଦିବାସୀ ପରିବାରଙ୍କୁ କେବଳ ନିର୍ବାଚନ ଆସିଲେ ମନେ ପକାଯାଏ ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାଇପୁର ଗ୍ରାମର ଏହି ଆଦିବାସୀ ବସ୍ତି ପ୍ରତି ହରଭଙ୍ଗା ବ୍ଲକ ପ୍ରଶାସନ ଓ ବୌଦ୍ଧ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।



