ବୌଦ୍ଧ: ଏକ ଚୋରା ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବୌଦ୍ଧ ପୁଲିସ। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି କାର ଓ ଗୋଟିଏ ବୁଲେଟ ମଟରସାଇକେଲ ଓ ୯୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ପୁଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଗତ ବୁଧବାର ବିଳମ୍ବିତ ରାତିରେ ବୌଦ୍ଧ ଥାନାର ଖଜୁରୀପଡା ଅଞ୍ଚଳରୁ ସୋନପୁର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ଥାନାଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ରାସ୍ତାର ରଙ୍ଗମାଟିଆ ଛକ ଠାରେ ଜଗି ରହିଥିଲେ। ଏହି ସମୟରେ ଏକ ମାରୁତି କାର ଓ ମହିନ୍ଦ୍ରା ସ୍କୋର୍ପିଓ ଗାଡି ଓ ଗୋଟିଏ ବୁଲେଟ ଆସୁଥିବା ବେଳେ ପୁଲିସ କର୍ମଚାରୀ ସେମାନଙ୍କୁ ଅଟଳାଇ ଯାଞ୍ଚ କରିଥିଲେ।
ମାରୁତି କାରରୁ ୨ ଗୋଟି ଜରି ବସ୍ତାରେ ଗଞ୍ଜେଇ ଥିବାବେଳେ ସ୍କ୍ରୋର୍ପିଓ ଗାଡିରୁ ଗୋଟିଏ ଜରି ବସ୍ତାରୁ ଗଞ୍ଜେଇ ମିଳିଥିଲା। ପୁଲିସ ଦୁଇ ଗୋଟି ଗାଡିରୁ ୯୦ କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ବୌଦ୍ଧ ଥାନାରେ ରୁଜ୍ଜୁ କରି ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି କାର ଓ ସେମାନଙ୍କୁ ସହାୟତା କରୁଥିବା ବୁଲେଟ ମଟରସାଇକେଲକୁ ମଧ୍ୟ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୁଲିସ ସୋନପୁର ଜିଲା ନିମନ ଗାଁର ସନତ ପାଣ୍ଡିଅ (୪୧), ବୌଦ୍ଧ ଥାନା କୃଷ୍ଣପାଲି ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନ (୩୮) ଓ ରଙ୍ଗମାଟିଆ ଗ୍ରାମର ଟିଟୁ ସେଠୀ (୨୧)କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ଦେଇଛନ୍ତି।



