ବୌଦ୍ଧ: ବାଉଁଶୁଣୀ ଥାନା ଅନ୍ତର୍ଗତ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ତାଙ୍କର ପରିବାର ପକ୍ଷରୁ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଛି। ସୂଚନା ମୁତବାକ ଗତ ଡିସେମ୍ବର ୨୪ ତାରିଖରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ବକେୟା ଟଙ୍କାକୁ ନେଇ ଘର ଆଗରେ ଗାଳିଗୁଲଜ କରିବାରୁ ତାଙ୍କର କକା ଶଶୁର ବ୍ରହ୍ମାନନ୍ଦ ପ୍ରଧାନ ଓ ତାଙ୍କର ଦୁଇପୁଅ ବିଷ୍ଣୁ ପ୍ରଧାନ ଓ ପବିତ୍ର ପ୍ରଧାନ ଉତ୍ୟକ୍ତ ହୋଇ କାଠଫାଳିଆ ସାହାଯ୍ୟରେ ଗୋବର୍ଦ୍ଧନଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଗୋବର୍ଦ୍ଧନଙ୍କ ମୁଣ୍ଡରେ ସିଧା ଆକ୍ରମଣ ହେବାପରେ ସେ ଘଟଣାସ୍ଥଳରେହିଁ ଟଳି ପଡ଼ିଥିଲେ ଏବଂ ଆକ୍ରମଣକାରୀ ବାପ ପୁଅ ଏହାର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାଉଁଶୁଣୀ ପୋଲିସ ପକ୍ଷରୁ ୧୮୧/୨୦୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ଅଭିଯୁକ୍ତ ବିଷ୍ଣୁ ପ୍ରଧାନ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଏଯାଏ ଫେରାର ରହିଛନ୍ତି। ତେଣୁ ଫେରାର ଅଭିଯୁକ୍ତ ବ୍ରହ୍ମାନନ୍ଦ ପ୍ରଧାନ ଓ ତାଙ୍କ ପୁଅ ପବିତ୍ର ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବାକୁ ମୃତକ ଗୋବର୍ଦ୍ଧନଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ଗୋବର୍ଦ୍ଧନଙ୍କୁ ହତ୍ୟା ମାମଲାରେ ବାଉଁଶୁଣୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ଦିଗରେ ଅବହେଳା କରୁଥିବା ନେଇ ତାଙ୍କର ପତ୍ନୀ ଶୋଭାବତୀ ଖଟୁଆ ସଙ୍ଗରେ ନାବାଳିକା ଝିଅକୁ ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି।



