www.samajalive.in
Saturday, December 6, 2025
14.1 C
Bhubaneswar

ଅବହେଳିତ ଐତିହାସିକ ବୌଦ୍ଧ କୀର୍ତ୍ତିରାଜି

ବୌଦ୍ଧ: ଐତିହାସିକ ବୌଦ୍ଧ ଜିଲା ପର୍ଯ୍ୟଟନର ଗନ୍ତାଘର। ଯିଏ ବୁଲିଛି ସିଏ ଜାଣିଛି ଜିଲାରେ କେତେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି। ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭରି ରହିଛି ଜିଲା ଭିତରେ। ତା’ ସାଙ୍ଗକୁ ରହିଛି ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌)ର ପର୍ଯ୍ୟାପ୍ତ ସୁଯୋଗ। ବୁଦ୍ଧରୁ ବୌଦ୍ଧ ଜିଲା ଭାବରେ ଏହି ନାମ ଯେତେ ବିରଳ, ନାମ ଯୋଗୁଁ ଏହି ଅଞ୍ଚଳ ଐତିହାସିକ ଓ ଗବେଷକମାନଙ୍କୁ ସେତିକି ଆକୃଷ୍ଟ କରିଥାଏ। ସାହିଦ ଉମରଙ୍କ ଭଳି ପ୍ରସିଦ୍ଧ ଭୂତତ୍ତ୍ବବିତଙ୍କ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୨୬୧ ରେ ସମ୍ରାଟ ଅଶୋକ କଳିଙ୍ଗ ବିଜୟ ପରେ ଚଣ୍ଡାଶୋକରୁ ଧର୍ମାଶୋକ ହୋଇ ଫେରିଯିବା ପରେ ତାଙ୍କର ସେନା ଚାଣକ୍ୟଙ୍କ ଅର୍ଥଶାସ୍ତ୍ରକୁ ଅନୁସରଣ କରି ଧନରତ୍ନ ପ୍ରାପ୍ତି ଅଶାରେ ଏହି ଅଞ୍ଚଳକୁ ଗସ୍ତ କରିଥିଲେ। ସେମାନେ ପ୍ରଥମେ ଯେଉଁଠାରେ ତାଙ୍କର ଛାଉଣି ପକାଇଥିଲେ ତାହା ହେଉଛି ଆଜିର ବୌଦ୍ଧ। ମହାନଦୀ କୂଳେ କୂଳେ ଅଶୋକଙ୍କ ସେନା ରତ୍ନପଥର ଅନୁସନ୍ଧାନ ପାଇଁ ଯେଉଁସବୁ ସ୍ଥାନରେ ଛାଉଣି ପକାଇଥିଲେ ସେଠାରେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ; ସେହିସବୁ ସ୍ଥାନ ଆଜି ବୁଦ୍ଧବିହାର ପାଲଟିଥିବା ସହିତ ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି। ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲା ମହାନଦୀରେ ରତ୍ନପଥର ଅନୁସନ୍ଧାନ ଚର୍ଚ୍ଚାରେ ରହିଛି। କିନ୍ତୁ ଅନ୍ୟ କିଛି ଐତିହାସିକଙ୍କ ମତ ଅନୁଯାୟୀ ସପ୍ତଦଶ ଶତବ୍ଦୀର ଉତ୍ତରାର୍ଦ୍ଧରେ ଖିଞ୍ଜିଳି ମଣ୍ଡଳର ତୋଷାଳୀରେ ଶାସନ କରୁଥିବା ଭୌମକରମାନଙ୍କ ଦ୍ୱାରା ଏହି ଅଞ୍ଚଳକୁ ବୌଦ୍ଧ ଧର୍ମର ପ୍ରବେଶ ଘଟିଥିଲା। ସେତେବେଳେ ବୌଦ୍ଧର ଶାସକମାନେ ଭୌମକରମାନଙ୍କର କରଦ ରାଜା ଭାବରେ ଶାସନ କରୁଥିବା ଐତିହାସିକମାନେ ମତପ୍ରକାଶ କରନ୍ତି। ତେବେ ସମଗ୍ର ବୌଦ୍ଧ ଜିଲାରେ ବିକ୍ଷିପ୍ତ ଭାବରେ ବୌଦ୍ଧ କୀର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳୁଛି। ବୌଦ୍ଧ ରାଜପ୍ରାସାଦ ନିକଟରେ ପଦ୍ମ ସିଂହାସନ ଉପରେ ୭ ଫୁଟ ଉଚ୍ଚର ଭୂମିସ୍ପର୍ଶ ଶାନ୍ତ ମୁଦ୍ରାରେ କଳା ମୁଗୁନି ପଥରେ ନିର୍ମିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ଏହି ବୁଦ୍ଧ ମୂର୍ତ୍ତିଟି ଯୋଡ଼ା ପଥରରେ ନିର୍ମିତ। ବୁଦ୍ଧଙ୍କ ସମ୍ପୂର୍ଣ୍ଣ ଶରୀର ଓ ବସିବା ସ୍ଥାନ ତିନିଖଣ୍ଡ ପଥରରେ ନିର୍ମିତ ହୋଇଛି। ମୂର୍ତ୍ତିଟି ଅତ୍ୟନ୍ତ ଆକର୍ଷଣୀୟ। ମୂର୍ତ୍ତିର ଉଭୟ ପାର୍ଶ୍ବରେ ସ୍ତମ୍ଭରେ ଦୁଇଜଣ ଗନ୍ଧର୍ବ ହାତରେ ଫୁଲମାଳ ନେଇ ଉଡ଼ନ୍ତା ଅବସ୍ଥାରେ ରହିଛନ୍ତି। ଏହିଠାରେ ମାଟିତଳେ ବୁଦ୍ଧବିହାର ଓ ବୌଦ୍ଧ ଧର୍ମର ଶିକ୍ଷା କେନ୍ଦ୍ର ରହିଛି।

- Advertisement -

୧୯୩୬ ମସିହାରେ ଏହି ସ୍ଥାନ ଐତିହାସିକ ଆର.ଡି. ବାନାର୍ଜୀଙ୍କ ଦ୍ୱାରା ଖନନ କରାଯାଇଥିଲା। ସେତେବେଳେ ମାଟିତଳେ ରହିଥିବା ବୁଦ୍ଧ ବିହାରରୁ ଅନେକ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଆଜି ସେସବୁ ରାଜ୍ୟ ବାହାରେ ବିଭିନ୍ନ ସଂଗ୍ରହାଳୟରେ ରହିଥିବା ଜଣାଯାଏ। ଯଦିଓ ବୌଦ୍ଧ ଜିଲାରେ ବୌଦ୍ଧ ଧର୍ମାବଲମ୍ବୀ ଦେଖାଯାଆନ୍ତି ନାହିଁ, କିନ୍ତୁ ସ୍ଥାନୀୟ ଅନେକ ସମ୍ପ୍ରଦାୟର ଲୋକ ଘରେ ସମସ୍ତ ପର୍ବପର୍ବାଣିରେ ବୁଦ୍ଧ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥାନ୍ତି। ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଏଠାରେ ନଗରଦେବତା ଭାବରେ ପୂଜା କରାଯାଏ। ତେବେ ଏହି ବୁଦ୍ଧ କୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନାହିଁ। ସେହିପରି ବୌଦ୍ଧ ସହର ଠାରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ୧୭ କିଲୋମିଟର ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧବିହାର ଅବସ୍ଥିତ। ମାତ୍ର ଶହେ ମିଟର ଦୂରତାରେ ଅବସ୍ଥିତ ଏହି ଦୁଇଟି ବୁଦ୍ଧବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ସଂରକ୍ଷିତ। ନବମ ଶତବ୍ଦୀରେ ବୌଦ୍ଧ ଧର୍ମରେ ଯେତେବେଳେ ତନ୍ତ୍ରଯାନର ପ୍ରବେଶ ଘଟିଥିଲା ସେତେବେଳେ ସୋମବଂଶୀମାନଙ୍କ ଦ୍ୱାରା ବୌଦ୍ଧ ସହର ମଧ୍ୟରେ ନିର୍ମିତ ରାମେଶ୍ୱର ମନ୍ଦିରରେ ମଧ୍ୟ ବୁଦ୍ଧଙ୍କ ମୂର୍ତ୍ତି ଖୋଦେଇ ହୋଇଥିବାର ଦେଖାଯାଏ। ଏହି ମନ୍ଦିର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ସଂରକ୍ଷିତ। ଜିଲାରେ ଅନେକ ବୌଦ୍ଧସ୍ତୁପ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାର ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା କିମ୍ବା ପ୍ରଚାର ପ୍ରସାର କରାଯାଇ ନ ଥିବାରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରି ନାହିଁ। ଏ ଦିଗରେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଓ ସଂରକ୍ଷଣ ମିଳିଲେ ବୌଦ୍ଧ ଜିଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories