ପୁଣି ଉଠିଲା ସୀମା ବିବାଦ; ଆସାମ ପୁଲିସ ସହିତ ସଂଘର୍ଷରେ ୨ ମୃତ, ୯ ପୁଲିସ କର୍ମଚାରୀ ଆହତ

ଗୁଆହାଟି: ଆସାମ ସୀମାରେ ପୂର୍ବର ସୀମା ବିବାଦ ପୁଣି ରକ୍ତାକ୍ତ ସଂଘର୍ଷ ରୂପ ନେଇଛି। ଗୁରୁବାର ଦିନ ଆସାମର ଢୋଲପୁର ଗୋରୁଖୁଟି ଅଞ୍ଚଳରେ ସଂଘର୍ଷ ଘଟିବ ଦୁଇଜଣ ବିକ୍ଷୋଭକାରୀଙ୍କର ପ୍ରାଣହାନି ଘଟିଛି। ଏଥିରେ ଆସାମ ପୁଲିସର ୯ଜଣ ଆହତ ହୋଇଛନ୍ତି। ଆସାମାର ଦାରାଙ୍ଗ ଜିଲାର ପୁଲିସ ଅଧୀକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟ ସୀମାରେ ଥିବା ଲୋକମାନେ ପୁଲିସ ଉପରକୁ ଢେଲାପଥର ଫିଙ୍ଗିବା ସହିତ ଆକ୍ରମଣ କରିଥିଲେ। ଏହାପରେ ପୁଲିସ ଗୁଳିଚଳାଇବାରୁ ଦୁଇଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ଆକ୍ରମଣରେ ଆସାମ ପୁଲିସର ୯ଜଣ ଆହତ ହୋଇଛନ୍ତି। ତେବେ ଦୁଇଜଣ ସାଧାରଣ ନାଗରିକ ମୃତ୍ୟୁ ଘଟଣା ସହିତ ଏକାଧିକ ପୁଲିସ କର୍ମଚାରୀ ଆହତ ହେବା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁଆହାଟି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ କରାଯିବ। ଜଣାଯାଇଛି ଯେ ଆସାମ ସୀମାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଦାୟିତ୍ୱ ପୁଲିସକୁ ନ୍ୟସ୍ତ କରାଯାଇଥିଲା। ପୁଲିସ ସେଠାରେ ପହଞ୍ଚିବାପରେ ଜବରଦଖଲକାରୀମାନେ ପୁଲିସ ଉପରକୁ ଢେଲାପଥର ଫିଙ୍ଗିବା ସହିତ ଆକ୍ରମଣ କରିଥିଲେ। ଆସାମ ସରକାର ରାଜ୍ୟ ସୀମାରୁ ଜବରଦଖଲ ହଟାଇ ସେଠାରେ ଗୋଷ୍ଠୀଗତ ଚାଷ ଆରମ୍ଭ ଯୋଜନା ରଖିଛନ୍ତି। ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮୦୦ ଜବରଦଖଲକାରୀ ପରିବାରକୁ ଉଚ୍ଛେଦ କରାଯିବା ସହିତ ସେମାନଙ୍କ ଦଖଲରେ ରହିଥିବା ୪୫୦୦ ବିଘା ଜମିକୁ ମୁକ୍ତ କରାଯାଇଥିଲା।

Comments are closed.