ଝାଡାବାନ୍ତିରେ ୪ଜଣଙ୍କ ମୃତ୍ୟୁ; ଗାଁରେ ଡାକ୍ତରୀ ଟିମ୍

ବଲାଙ୍ଗିର: ଦିନକୁ ଦିନ ଜିଲାର ବିଭିନ୍ନ ଗାଁରେ କାୟା ବିସ୍ତାର କରୁଛି ଝାଡ଼ାବାନ୍ତି । ଯାହାକୁ ନେଇ ଆତଙ୍କିତ ଲୋକେ । ଝାଡ଼ାବାନ୍ତି ଆକ୍ରାନ୍ତରେ ଅନେକ ଲୋକଙ୍କ ଜୀବନହାନି ଘଟୁଥିବାବେଳେ ସ୍ଥିତି ଚିନ୍ତାଜନକ ହୋଇପଡିଛି । ବଲାଙ୍ଗିରର ପୁଣି ଏକ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି । ୫୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ସହ ସଚେତନତା ଅଭିଯାନ ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଲଖପାଲିରେ ଝାଡ଼ାବାନ୍ତି ରୋଗ ବ୍ୟାପିଥିଲା। ଏବେ ପୁଣି ଏହି ବ୍ଲକର କୁରୁଲ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି । ତେବେ ଗତ ୧୭ ତାରିଖରୁ ଏଠି ଡାଇରିଆ ବ୍ୟାପିଥିବା ଲୋକେ କହିଥିବା ବେଳେ ଏଥିରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଏଯାବତ୍ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି । ଯେଉଁଥିରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ମୃତକ ମାନେ ହେଲେ ବେଦମତି ରାଉତ, ସପୁର ପଟେଲ, ଫାଦ୍ରୀ ସେଠ୍ ଓ ଜୟଦେବ ପଟେଲ । ଗ୍ରାମବାସୀ ମାନେ ନଳକୂପ ତଥା ଆରଡବ୍ଲୁ ଏସଏସ ଦ୍ୱାରା ଯୋଗାଇ ଦିଆ ଯାଉଥିବା ପାଣି ବ୍ୟବହାର କରନ୍ତି । ସେହିପରି ଗାଁରେ ଥିବା ପୋଖରୀ ପାଣି ମଧ୍ୟ ଅନ୍ୟାନ୍ୟ କାମରେ ବ୍ୟବହାର କରନ୍ତି ବୋଲି କହିଛନ୍ତି ।
ତେବେ କେଉଁ କାରଣରୁ ଏଭଳି ସ୍ଥିତି ହୋଇଛି ସେମାନେ ଜାଣି ନ ଥିବାବେଳେ ଗାଁର ପ୍ରତ୍ୟେକ ଘରେ ଏହି ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ଜ୍ୱର ହେବା ସହ ଦୁଇ ଦିନ ଝାଡାବାନ୍ତି ହେବା ପରେ କିଛି ରୋଗୀଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨ ଜଣ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗ୍ରାମବାସୀ କହିଛନ୍ତି । ସେପଟେ ଗାଁରେ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି । ସେମାନେ ଘରକୁ ଘର ବୁଲି ଚିକିତ୍ସା କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି ।

Comments are closed.