ଦାଦନ ଖଟି ପିଲାଙ୍କୁ ମଣିଷ କରୁଥିଲା ମାଆ; ହେଲେ ନର୍ସିଂ ପଢୁଆ ଝିଅ କଲା ଆତ୍ମହତ୍ୟା !
ମୁରିବାହାଲ: ବଲାଙ୍ଗିର ଜିଲା ମୁରିବାହାଲ ସଦର ପଞ୍ଚାୟତ ବନ୍ଦବାହାଲ ଗାଁର ସ୍ୱର୍ଗତ ଖଗେଶ୍ୱର କୁଅଁରଙ୍କ ୨୩ ବର୍ଷୀୟ ଝିଅ କୁନି କୁଅଁର । ବାପାଙ୍କ ମୃତ୍ୟୁ ପରେ ୨ ପୁଅ-ଝିଅଙ୍କୁ ମଣିଷ କରିବା ପାଇଁ ମା’ ସାନ୍ତୁଳି କୁଅଁର ଦାଦନ ଖଟିବା ପାଇଁ ଘରୁ ଗୋଡ କାଢିଥିଲେ । ସେ ସୁଦୂର ସିକନ୍ଦରାବାଦରେ କାମ କରୁଛନ୍ତି । କିନ୍ତୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ କଲେଜରେ ପଢୁଥିବା ବଡ ଝିଅ କୁନି ଆତ୍ମହତ୍ୟା କରିଛନ୍ତି ।
ଏହି ଖବର ମା’ ଓ ଯୁକ୍ତ ଦୁଇ ପଢୁଥିବା ଭାଇ ଚିଣ୍ଟୁ କୁଅଁରଙ୍କୁ ସ୍ତବ୍ଧ କରିଛି । ମୃତ କୁନି ହଷ୍ଟେଲରେ ରହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ତାଙ୍କ ହାବଭାବ ଦେଖି ଘର ଲୋକେ ତାଙ୍କୁ ନେଇଯିବାକୁ କହିଥିଲେ । ସେ ମାନସିକ ଅବସାଦରେ ରହୁଥିଲେ । ୨ ଦିନ ହେଲା ଶୋଇ ନଥିଲେ । ରବିବାର ଦିନ ୩ଟା ବେଳେ ହଷ୍ଟେଲର ଏକ କଠୋରିରେ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ସେଠାରୁ ଏକ ଚିଠି ବି ପୁଲିସକୁ ମିଳିଛି । ସେହି ଚିଠିରେ ନିଜ ମୃତ୍ୟୁ ପାଇଁ କୁନି କାହାରିକୁ ଦୋଷ ଦେଇ ନଥିବା ବେଳେ ନିଦ ହେଉ ନଥିବା ଲେଖିଛନ୍ତି ।
ତାହା ପ୍ରକୃତରେ କୁନିଙ୍କ ଚିଠି ନା ନୁହେଁ ତାହା ତଦନ୍ତ କରାଯାଉଛି । ଏୟାରଫିଲ୍ଡ ପୁଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ସୋମବାର ପରିବାର ଲୋକେ ପହଞ୍ଚିବା ବେଳକୁ ଶବ ସତ୍କାର କରିଦିଆଯାଇଥିବା ସୂଚନା ହସ୍ତଗତ ହୋଇଛି । ଯାହାକୁ ନେଇ ପରିବାର ଲୋକେ ନିରାଶ ହୋଇଛନ୍ତି । ଭୁବନେଶ୍ୱର ଯାଇଥିବା ମୃତା କୁନିଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ଅନୁସାରେ, ଗତ ୧୦ ବର୍ଷ ତଳେ ବାପା ଆତ୍ମହତ୍ୟା କରିଥିଲେ ।
ଜାତୀୟସ୍ତରରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଆତ୍ମହତ୍ୟା ହାର ୧୨.୫ । ଯାହାକି ଚିନ୍ତାଜନକ ବିଷୟ ବୋଲି ମନସ୍ତତ୍ତ୍ୱବିତମାନେ ମତ ଦେଇଛନ୍ତି । ମାନସିକ ଅବସାଦ, ଘରୋଇ କଳହ ଯୋଗୁଁ ଅନେକେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି । ତେବେ କୁନିଙ୍କ ମୃତ୍ୟୁ ପରେ ମା’ ସନ୍ତୁଳା ଅଧର୍ଯ୍ୟ ହୋଇପଡିଛନ୍ତି । ତାଙ୍କ ପାଇଁ ଏକମାତ୍ର ପୁଅ ହିଁ ସାହା ଭରସା । ଝିଅ ନର୍ସିଂ ପଢି ଚାକିରି କରିବ । ରୋଜଗାର କରି ପରିବାର ଚଳାଇବ ବୋଲି ମା’ ସନ୍ତୁଳାଙ୍କ ଆଶା ଆଶାରେ ହିଁ ରହିଯାଇଛି । କୁନିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବନ୍ଦବାହାଲ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।
Comments are closed.