ବଲାଙ୍ଗିର: ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ ଭାବେ କରାଇବାକୁ ବଲାଙ୍ଗିର ଜିଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଉଛି। କିନ୍ତୁ ଜିଲା ସଦର ମହକୁମା ଅନ୍ତର୍ଗତ ସଦର ପଞ୍ଚାୟତ ସମିତିରେ ଅଧ୍ୟକ୍ଷା ପଦ ପାଇଁ କଡ଼ା ଟକ୍କର। ପୂର୍ବରୁ ଥରେ ଦୁଇ ଶାସକ ଦଳର ଆଶାୟୀ ଅଧ୍ୟକ୍ଷ ଦୌଡରେ ଥିବା ବେଳେ ଜଣଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଥିଲା। ଏଥର କିନ୍ତୁ ଅଧ୍ୟକ୍ଷା ପଦ ହାସଲ ପାଇଁ ପୁଣିଥରେ ସେହି ପୁରୁଣା ଦୁଇ ଆଶାୟୀ ଅଣ୍ଟା ଭିଡିଛନ୍ତି। କିନ୍ତୁ ପ୍ରଶାସନର ନାକତଳେ ହିଁ ନିର୍ବାଚନରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି ଅପରାଧୀ ଗୋଷ୍ଠୀ। ଆଉ ବିଜୟ-ପରାଜୟର ଟେଣ୍ଡର ଟିମନ ଓରଫ ଶ୍ରୀକାନ୍ତ କୁମ୍ଭାର ନେଇଥିବା ଚର୍ଚ୍ଚା ହେଉଛି। ଜଣେ ଅଧ୍ୟକ୍ଷା ଆଶାୟୀଙ୍କ ସହ ଏହି ଅପରାଧୀ ଗୋଷ୍ଠୀର ପୂର୍ବରୁ ମଧୁର ସଂପର୍କ ରହିଥିବା ବେଳେ ପୂର୍ବ ସହଯୋଗୀ ଓ ଠିକାଦାର ବି ମେଳି ବାନ୍ଧିଛନ୍ତି ଟିମନ ସହ। ତେବେ ସଂପୂର୍ଣ୍ଣ ଘଟଣାକ୍ରମଠାରୁ ସମାନ ଦୂରତାରେ ରହି ସ୍ଥିତି ଉପରେ ପୁଲିସର ନଜର। ହେଲେ ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନୀରବଦ୍ରଷ୍ଟା ସାଜିଥିବା ସମାଲୋଚନା ହେଉଛି।
ବର୍ତ୍ତମାନ ଉତ୍ତରାଞ୍ଚଳ ପୁଲିସ ଉପାୟୁକ୍ତ ଡା.ଦୀପକ କୁମାର ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଥିଲେ। ସେହି ସମୟରେ ଟିମନ ଓ ଅନ୍ୟତମ ସହଯୋଗୀ ସ୍ୱର୍ଗତ ଜିତେନ ଦୀପ ତଥା ସହଯୋଗୀଙ୍କର ଦବ୍ଦବା ରହିଥିଲା ସଦର ପଞ୍ଚାୟତ ସମିତିରେ। ସ୍ୱର୍ଗତ ଜିତେନଙ୍କ ପତ୍ନୀ ଲଳିତା ଦୀପ ବି ଅଧ୍ୟକ୍ଷା ହୋଇଥିଲେ ବଲାଙ୍ଗିର ସଦର ପଞ୍ଚାୟତ ସମିତିରେ। ସେହିପରି ଟେଣ୍ଡର ଫିକ୍ସିଂ, ବେଆଇନ ଜମି କାରବାର, ସରକାରୀ ଜମି କବ୍ଜା କରିବା, ଦାଦା ବଟି ଆଦାୟ କରିବା ଭଳି ସଙ୍ଗୀନ ମାମଲା ରହିଥିଲା ଟିମନ ଓ ଜିତେନ ତଥା ସହଯୋଗୀଙ୍କ ବିରୋଧରେ। ଆରକ୍ଷୀ ଅଧିକ୍ଷକ ଥିବା ଡା.କୁମାରଙ୍କ ସମୟରେ ଏହି ଅପରାଧୀ ଗୋଷ୍ଠୀଙ୍କୁ ସାବାଡ୍ କରିଦେଇଥିଲେ। ବିଭିନ୍ନ ମାମଲାରେ ଟିମନ ଓ ସହଯୋଗୀମାନେ ଗିରଫ ହୋଇ ଜେଲ୍ ଯାଇଥିଲେ। ସ୍ୱର୍ଗତ ଜିତେନ ରାୟଗଡ଼ାରେ ଲୁଚିଥିବା ବେଳେ ତାକୁ ମଧ୍ୟ ଗିରଫ କରିଥିଲେ। ଜେଲ୍ ଯାଇଥିବା ଟିମନ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସି ପୁଣିଥରେ ତାର କାୟା ବିସ୍ତାର କରୁଥିବା ବେଳେ ତାକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ନିର୍ବାଚନରୁ ତାକୁ ଦୂରେଇ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ)ରେ ଟିମନ ବିରୋଧରେ ମାମଲା କରାଯାଇଥିଲା। ସେ ଦୀର୍ଘ ଦିନ ଜେଲରେ ବିତାଇଥିଲା। ଜେଲ୍ରୁ ବାହାରିବା ପରେ ପୂର୍ବ କାର୍ଯ୍ୟକଳାପ ସହଯୋଗୀଙ୍କ ସହ ଜାରି ରଖିଥିଲେ ବି ଚର୍ଚ୍ଚାରୁ ଦୂରେଇ ରହି ଆସୁଥିଲା ଟିମନ। କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ପୁଣିଥରେ ଟିମନ, ଠିକାଦାର ସାଥୀ ଓ ପୁରୁଣା ସହଯୋଗୀମାନେ ଆଲୋଚନାକୁ ଆସିଛନ୍ତି। କିଛି ଦିନ ପୂର୍ବରୁ ଶିକାଛିଡ଼ା ପଞ୍ଚାୟତକୁ ଯାଇ ଭୋଟର୍ଙ୍କୁ ସେମାନେ ଭୟଭୀତ କରିଥିଲେ। ଜଣେ ନିର୍ଦ୍ଦିଷ୍ଟ ମହିଳା ସମିତି ସଭ୍ୟା ପ୍ରାର୍ଥୀଙ୍କୁ ଭୋଟ୍ ନଦେବାକୁ ଚେତାବନୀ ଦେଇଥିଲେ ଗାଁ ଗାଁ ବୁଲି। ଶିକାଛିଡ଼ା, ଶିବତଲା ହୋଇ ସେମାନେ ବିଡିଘାଟ ପଞ୍ଚାୟତକୁ ଯାଇଥିଲେ। ସେଠାରେ ଭୋଜି ଭାତ ସହ ମଦର ଆସର ଜମି ଥିଲା।
ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷା ପଦ ପାଇଁ କସରତ ଚାଲିଥିବା ବେଳେ ଆଶାୟୀଙ୍କୁ ଦୂରେଇ ରଖିବାର କୌଶଳ ଅନ୍ୟ ଆଶାୟୀ ଗୋଷ୍ଠୀ ଜାରି ରଖିଥିବା ଚର୍ଚ୍ଚା ହେଉଛି। ସାଧାରଣ ଓ ସରଳ ଦେଖାଯାଉଥିବା ଅପରପକ୍ଷ ଅଧ୍ୟକ୍ଷା ଆଶାୟୀ ଟିମନ ଗୋଷ୍ଠୀ ସହ ପୂର୍ବରୁ ନିବିଡି ସଂପର୍କ। ଏକପ୍ରକାର ଟିମନ ଗୋଷ୍ଠୀ ଓ ଠିକାଦାରଙ୍କ ଶରଣାଗତ ଆଶାୟୀ। ଆଉ ଏଥିରେ ଶାସକ ଦଳର ଜଣେ ବରିଷ୍ଠ ନେତା ମଧ୍ୟସ୍ଥି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଢଙ୍ଗରେ ନିର୍ବାଚନକୁ ରୂପରେଖ ଦେଇଥିଲେ ସେହି ଅନୁସାରେ ପୁଣିଥରେ କରି ନିଜର ଆଧିପତ୍ୟ ବିସ୍ତାର କରିବା ଯୋଜନାରେ ଟିମନ ଗୋଷ୍ଠୀ। କିନ୍ତୁ ଏଭଳି ଘଟଣା ନେଇ ପୁଲିସ ସରଜମିନ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜାଣିପାରନ୍ତା। କିନ୍ତୁ ଏଦିଗରେ ଜିଲା ପ୍ରଶାସନ କି ପୁଲିସ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି। ଏହି ଘଟଣାକୁ ସାଧାରଣ କଥା ଭାବି ପ୍ରଶାସନ-ପୁଲିସ ନୀରବ ରହିଲେ ଆଗାମୀ ଦିନରେ ମାମଲା ସଙ୍ଗୀନ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ।



