ଭୁବନେଶ୍ବର : କରୋନା ଭାଇରସ୍ ପାଇଁ ସତର୍କତା ମୂଳକଭାବେ ରାଜଧାନୀ ଭୁବନେଶ୍ବରର ସମସ୍ତ ହୋଟେଲ ଏବଂ ସପିଂ ମଲ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କରୋନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଛି। ଭାରତରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୭ ଜଣ ଏହି ମାହାମାରୀ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସତର୍କତା ମୂଳକ ଭାବେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ଗାଇଡଲାଇନ ଜାରି କରାଯାଇଛି।
ରାଜଧାନୀ ଭୁବନେଶ୍ବରରେ ଥିବା ହୋଟେଲ ମାନେ କମ୍ ସଂଖ୍ୟକ ଅତିଥି ଡାକିବାକୁ ଅନୁରୋଧ କରାଯାଇଛି। ଏଥି ସହ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମୋବାଇଲ ନମ୍ବର ଓ ଟ୍ରାଭେଲ ତଥ୍ୟ ମଧ୍ୟ ଅବଗତ କରାଇବା, ହୋଟେଲ ପରିସରରେ ପର୍ଯ୍ୟାପ୍ତ ହ୍ୟାଣ୍ଡୱାଶ ମହଜୁଦ ରଖିବା, ପରସ୍ପର ଠାରୁ ସାମାଜିକ ଦୂରତା ରଖିବା ସହ ଉତ୍ସବ ସମୟରେ ଦୂରତା ରଖିବାକୁ ମାଇକ ମାଧ୍ୟମରେ ପ୍ରଚାର କରାଯିବ, ହୋଟେଲରେ ଅଧିକ ଭିଡ଼ର ଆୟୋଜନ ନକରିବା ପାଇଁ ଅନୁରୋଧ କରାଯାଇଛି। ରାଜଧାନୀର ସମସ୍ତ କୋଚିଂ ସେଣ୍ଟରକୁ ମଧ୍ୟ ବନ୍ଦ ରଖିବା ପାଇଁ ବିଏମସି ନିର୍ଦେଶ ଦେଇଛି। ବିଏମସି ଅଧିନସ୍ଥ ସମସ୍ତ କଲ୍ୟାଣ ମଣ୍ଡପ ଆସନ୍ତାକାଲି ଠାରୁ ବୁକିଂ ବନ୍ଦ ରହିବ। ଯେଉଁ ଘରୋଇ ମଣ୍ଡପମାନେ ବୁକିଂ ରଖିବେ ସେମାନେ ବିଏମସି ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ମାନିବାକୁ ପଡିବ । ବିଏମସି ଗାଇଡଲାଇନର ଉଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଏଥି ସହିତ ଭୁବନେଶ୍ବରରେ ଥିବା ସପିଂ ମଲ ଗୁଡିକ ମଧ୍ୟ କରୋନା ପାଇଁ ଲୋକମାନଙ୍କୁ ସଚେତନ କରାଇବେ। ମଲରେ କିପରି ଏକା ସଙ୍ଗରେ ଅଧିକ ଲୋକଙ୍କ ସମାଗମ ନହେବ ସେଥିପ୍ରତି ଦୃଷ୍ଟିଦେବେ। ଭୁବନେଶ୍ବର ପାର୍କମାନଙ୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯିବ। ପାର୍କମାନଙ୍କରେ ରହିଥିବା ମୁକ୍ତାକାଶ ଜିମ୍ ସମାଗ୍ରୀ ଗୁଡିକୁ ଆସନ୍ତାକାଲି ଠାରୁ ଲକ୍ କରିଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବରେ ଥିବା ଘରୋଇ ହସ୍ପିଟାଲ ଗୁଡିକରେ କୌଣସି କରୋନା ସନ୍ଦିଗ୍ଧ ଚିହ୍ନଟ ହେଲେ ଚିକିତ୍ସା କରୁଥିବା ଡାକ୍ତର ଜନସ୍ବାସ୍ଥ୍ୟ ନିର୍ଦେଶକ ଏବଂ ବିଏମସିକୁ ଜଣାଇବେ ବୋଲି ମଧ୍ୟ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ଠାରୁ ବିଏମସି ଏକ ସ୍ବତନ୍ତ୍ର କୋଭିଡ-୧୯ ସେଲ ଖୋଲିବ। ଏହି ସେଲ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ କରୋନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ କରୋନା ସଂପର୍କିତ ଅଭିଯୋଗ ଏବଂ ଏହାର ସମାଧାନ କରିବ।



