ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ବ ବ୍ୟାପି ଆଲୋଡନ ସୃଷ୍ଟି ହୋଇଥିବା ବେଳେ ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣକରାଯାଇଛି ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପ୍ରସଙ୍ଗ ସଂକ୍ରାନ୍ତୀୟ ସମନ୍ୱୟ ରକ୍ଷା ଲାଗି ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ସମଗ୍ର ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଭୂତାଣୁ ସଂକ୍ରମଣ ମୁକାବିଲାରେ ସମନ୍ୱୟ ରକ୍ଷା ଲାଗି ଅତିରିକ୍ତ ସଚିବ ଦାମ୍ମୁ ରବିଙ୍କୁ ମୁଖ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।
ଭାରତୀୟ ମିଶନଗୁଡ଼ିକ ଦିନରାତି କାର୍ଯ୍ୟରତ ଅଛନ୍ତି ଏବଂ ବିଦେଶରେ ଥିବା ଭାରତୀୟମାନଙ୍କୁ ଏ ସଂକ୍ରାନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ମିଶନଗୁଡ଼ିକ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ସେହିପରି ଫୋନ୍, ଇ-ମେଲ୍ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶରେ ରହୁଥିବା ଭାରତୀୟ ସମୁଦାୟର ବ୍ୟକ୍ତିବିଶେଷଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ
କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗ୍ଲା ବ୍ୟକ୍ତିଗତ ଭାବେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।



