ବିଦେଶରେ କଳାଧନର ସୂଚନା ଦେଲେ ୫ କୋଟି ପୁରସ୍କାର

0

ନୂଆଦିଲ୍ଲୀ : ବେନାମୀ କାରବାର ଏବଂ ସମ୍ପତ୍ତି ସମେତ ଟିକସ ଠକେଇ ସମ୍ପର୍କରେ ସୂଚନା ପ୍ରଦାନ କ୍ଷେତ୍ରରେ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆଜି ବେନାମୀ କାରବାର ସୂଚନାଦାତା ପୁରସ୍କାର ସ୍କିମ୍‌ ଘୋଷଣା କରିଛନ୍ତି। କୌଣସି ପ୍ରକାର ବେନାମୀ କାରବାର ଏବଂ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କ ପାଇଁ ଏଥିରେ ପୁରସ୍କାର ବ୍ୟବସ୍ଥା କରାଯାଇଛି। ଏହି ଅନୁଯାୟୀ ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନକାରୀ ୧ କୋଟି ଟଙ୍କା ଯାଏ ପୁରସ୍କାର ପାଇବେ। ବେନାମୀ କାରବାର ସୂଚନାଦାତା ପୁରସ୍କାର ସ୍କିମ୍‌ରେ କଳା ଟଙ୍କା ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିଭଳି ଆୟ କିମ୍ବା ସମ୍ପତ୍ତି ଉପରେ ଟିକସ ଠକେଇ ସମ୍ପର୍କିତ ନିର୍ଦିଷ୍ଟ ଭାବେ ସୂଚନା ପ୍ରଦାନ କ୍ଷେତ୍ରରେ ସୂଚନାଦାତା ୫୦ ଲକ୍ଷ ଯଙ୍କା ଯାଏ ପୁରସ୍କାର ଲାଭ କରିବେ। ତେବେ ଯେକୌଣସି ବ୍ୟକ୍ତି (ବିଦେଶୀ ନାଗରିକ ମଧ୍ୟ) ବେନାମୀ କାରବାର ଏବଂ ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗର ଯୁଗ୍ମ କିମ୍ବା ଅତିରିକ୍ତ କମିଶନରଙ୍କୁ ସୂଚନା ଦେଇପାରିବେ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି। ସୂଚନାଦାତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଗୋପନୀୟ ରଖାଯିବା ସହ ତାଙ୍କର ପରିଚୟ ଗୁପ୍ତ ରଖାଯିବ ବୋଲି ଏଥିରେ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ନିୟମକୁ କଡ଼ାକଡ଼ି କରିବା ଲାଗି ବେନାମୀ ସମ୍ପତ୍ତି କାରବାର ଆଇନ ୧୯୮୮ରେ ସଂଶୋଧନ କରିଛନ୍ତି। କଳା ଟଙ୍କା ସମ୍ପର୍କରେ ସୂଚନା ପ୍ରାପ୍ତ କ୍ଷେତ୍ରରେ ଲୋକଙ୍କ ଅଂଶୀଦାରିତା ବଢାଇବା ସହ ଟିକସ ଠକେଇ ଏଡାଇବା ଲାଗି ଆୟକର ବିଭାଗ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply