ଆସାମରେ ଲଢ଼ିବ ବିଜେପି-ଏଜିପି-ବିପିଏଫ ମେଣ୍ଟ

ଆସାମ: ବିଜେପି ଏବଂ ଆସାମ ଗଣ ପରିଷଦ (ଏ.ଜି.ପି.) ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢ଼ିବେ। ଗୌହାଟୀଠାରେ ଅନୁଷ୍ଠିତ ଏକ ବୈଠକରେ ବିଜେପି ବରିଷ୍ଠ ନେତା ରାମ ମାଧବଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ପରେ ଏ ସମ୍ପର୍କରେ ରାମ ମାଧବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୋଡୋଲ୍ୟାଣ୍ଡ ପିଉପୁଲସ ଫ୍ରଣ୍ଟ ଏହି ମେଣ୍ଟରେ ତୃତୀୟ ସହଯୋଗୀ ରହିବ। ଏ.ଜି.ପି. ସଭାପତି ଅତୁଲ ବୋରା, କାର୍ଯ୍ୟନିର୍ବାହୀ ସଭାପତି କେଶବ ମହାନ୍ତ ଏବଂ ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟ ଆବାହକ ବିଶ୍ୱ ଶର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ସିଟିଜେନ୍ସିପ୍ ସଂଶୋଧନ ବିଲ୍କୁ ନେଇ ବିଜେପି ନେତୃତ୍ୱ ସରକାରରୁ ଆସାମ ଗଣପରିଷଦର ୩ ଜଣ ମନ୍ତ୍ରୀ ଅତୁଲ ବୋରା, କେଶବ ମହାନ୍ତ ଏବଂ ଫନି ଭୂଷଣ ଚୌଧୂରୀ ଇସ୍ତଫା ଦେଇଥିଲେ। ତିନୋଟି ପର୍ଯ୍ୟାୟରେ ଆସାମରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି-ଏଜିପି-ବିପିଏଫ ମେଣ୍ଟ ୧୪ଟି ଆସନରୁ ଲଢ଼ିବେ। ଆସାମ ଦାୟିତ୍ୱରେ ଥିବା ରାମ ମାଧବ କହିଛନ୍ତି ଯେ କଂଗ୍ରେସକୁ ପରାସ୍ତ କରିବା ପାଇଁ ମେଣ୍ଟ ଗଠନ କରାଯାଇଛି ଏବଂ ୧୪ଟି ଯାକ ଆସନରେ କଂଗେସ ପରାସ୍ତ ହେବ। ସୂଚନା ଯୋଗ୍ୟ ଯେ ବିଜେପି-ଏଜିପି ମେଣ୍ଟ ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ଓ କଂଗ୍ରେସକୁ ପରାସ୍ତ କରି ଶାସନ ଭାର ହାତକୁ ନେଇଥିଲେ।