www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପିର ୮୩%, କଂଗ୍ରେସର ୧୭୦% ଆୟ ବୃଦ୍ଧି

ନୂଆଦିଲ୍ଲୀ: ବିଜେପିର ବାର୍ଷିକ ପାଣ୍ଠି ସଂଗ୍ରହ ପରିମାଣ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୮୩% ବୃଦ୍ଧି ହୋଇଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପାଣ୍ଠି ସଂଗ୍ରହ ପରିମାଣ ୧୭୦% ବୃଦ୍ଧି ହୋଇଥିବା ନିର୍ବାଚନ ଆୟୋଗଙ୍କ ବାର୍ଷିକ ଅଡିଟ୍ ରିପୋର୍ଟରୁ ଜଣାଯାଇଛି। ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ଓ ଅର୍ଥ ଖର୍ଚ୍ଚ ଉପରେ ନିର୍ବାଚନ ଆୟୋଗ ପ୍ରସ୍ତୁତ କରିଥିବା ଅଡିଟ୍ ରିପୋର୍ଟକୁ ମଙ୍ଗଳବାର ଜାରି କରାଯାଇଛି। ଜାରି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜେପି ୨୩୬୦.୮ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଥିଲା। ୨୦୨୩-୨୪ ବର୍ଷରେ ବିଜେପିର ପାଣ୍ଠି ସଂଗ୍ରହ ପରିମାଣ ୮୩% ବୃଦ୍ଧି ହୋଇ ୪୩୪୦.୫ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୪ ଆର୍ଥିକ ବର୍ଷରେ ବିଜେପି ସଂଗ୍ରହ କରିଥିବା ୪୩୪୦.୫ କୋଟି ଟଙ୍କା ମଧ୍ୟରୁ ୧୬୮୫.୬ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ମିଳିଥିଲା। ୨୦୨୪ ଆର୍ଥିକ ବର୍ଷରେ କଂଗ୍ରେସର ପାଣ୍ଠି ସଂଗ୍ରହ ପରିମାଣରେ ୧୭୦% ବୃଦ୍ଧି ହୋଇ ୧୨୨୫ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୩ ଆର୍ଥିକ ବର୍ଷରେ କଂଗ୍ରେସ ମୋଟ ୪୫୨.୪ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବାବେଳେ ୨୦୨୪ ବର୍ଷରେ ଏହା ୧୨୨୫ କୋଟି ଟଙ୍କା ସଂଗ୍ରହ କରିଥିଲା। କଂଗ୍ରେସ ପାଇଥିବା ମୋଟ ପାଣ୍ଠି ମଧ୍ୟରୁ ୮୨୮.୪ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ ଆକାରରେ ପାଇଥିଲା। ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ କଂଗ୍ରେସର ପାଣ୍ଠି ସଂଗ୍ରହରେ ଏହା ୩୮୪% ବୃଦ୍ଧି। କାରଣ ୨୦୨୩ ବର୍ଷରେ କଂଗ୍ରେସ ମାତ୍ର ୧୭୧ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଥିଲା।

୨୦୨୪ରେ ଇଲେକ୍ଟୋରାଲ ବଣ୍ଡ ପରିମାଣ ୮୨୮.୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟାନ୍ୟ ଦଳ ମଧ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ୬୮୫.୫ କୋଟି, ତୃଣମୂଳ କଂଗ୍ରେସ ୬୧୨.୪ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ଜଣାଯାଇଛି।
ନିର୍ବାଚନ ପ୍ରଚାର ବାବଦରେ ବିଜେପି ୨୦୨୪ ବର୍ଷରେ ୨, ୨୧୧.୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୧୦୨୫.୨ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜେପିର ନିର୍ବାଚନ ଖର୍ଚ୍ଚରେ ୬୨% ବୃଦ୍ଧି ହୋଇଥିବାବେଳେ କଂଗ୍ରେସର ଖର୍ଚ୍ଚ ୧୨୦% ବୃଦ୍ଧି ହୋଇଥିଲା। ବିଜେପି ୨୦୨୨-୨୩ ବର୍ଷରେ ୧୩୬୧.୭ କୋଟି ଓ କଂଗ୍ରେସ ୪୬୭.୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ରାହୁଲ ଗାନ୍ଧୀଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା ପାଇଁ କଂଗ୍ରେସ ୭୧.୮ କୋଟି ଓ ଦ୍ବିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା ପାଇଁ ୪୯.୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ରାହୁଲଙ୍କ ପ୍ରଥମ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ଯାତ୍ରା’ ୨୦୨୨ ସେପ୍ଟେମ୍ବର ୭ରୁ ୨୦୨୩ ଜାନୁଆରୀ ୩୦ ପର୍ଯ୍ୟନ୍ତ ଓ ଦ୍ବିତୀୟ ଯାତ୍ରା ୨୦୨୪ ଜାନୁଆରୀ ୧୪ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ହୋଇଥିଲା। ୨୦୨୩-୨୪ରେ ବିଜେପି ବିଜ୍ଞାପନ ବାବଦରେ ୧୧୯୫ କୋଟି ଟଙ୍କା ଓ ୧୯୬ କୋଟି ଟଙ୍କା ଯାତାୟାତ ଓ ୧୯୧ କୋଟି ଟଙ୍କା ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ବାବଦରେ ଖର୍ଚ୍ଚ କରିଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବିଜେପି ପାଖରେ ଥିବା ମୋଟ ପାଣ୍ଠିର ପରିମାଣ ହେଉଛି ୭୧୧୩.୮୦ କୋଟି ଟଙ୍କା। କଂଗ୍ରେସ ପାଖରେ ଥିବା ମୋଟ ପାଣ୍ଠି ପରିମାଣ ୮୫୭.୧୫ କୋଟି ଟଙ୍କା। ବିଜେପି ପାଖରେ ଥିବା ମୋଟ ପାଣ୍ଠି ମଧ୍ୟରୁ ୫, ୦୭୧.୪ କୋଟି ହେଉଛି ସ୍ଥାୟୀ ଜମା। ୩୧୧ କୋଟି ଟଙ୍କା ବ୍ୟାଙ୍କ ଜମା ଓ ୪୨ କୋଟି ଟଙ୍କା ହାତପାଣ୍ଠି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories