www.samajalive.in
Friday, December 5, 2025
26.1 C
Bhubaneswar

କ୍ଷମତା ଯିବା ପରେ ବିଜେଡି ପାଇଁ ଘଟଣାବହୁଳ ପ୍ରଥମ ବର୍ଷ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ଶାସନରୁ କ୍ଷମତାଚ୍ୟୁତ ହେବା ପରେ ୨୦୨୪-୨୫ ବର୍ଷ ବିଜୁ ଜନତା ଦଳ ପାଇଁ ଘଟଣା ବହୁଳ ରହିଥିଲା। ସମସ୍ତଙ୍କୁ ଏକସୂତ୍ରରେ ବାନ୍ଧି ରଖିବା ସହ ଦଳୀୟ ନେତାଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା ଆହ୍ବାନ ପାଲଟିଛି। ୱାକଫ୍ ସଂଶୋଧନ ବିଧେୟକ ପ୍ରସଙ୍ଗରେ ସଂସଦରେ ଦଳୀୟ ସାଂସଦଙ୍କ ଭିନ୍ନ ଭିନ୍ନ ମତଦାନ, ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ତ୍ୟାଗ କରି ପଦ୍ମ ଧରିବା, ସର୍ବୋପରି ଅନେକ ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ ଓ ପୌରସଂସ୍ଥା ଦଳୀୟ ନେତାଙ୍କ ହାତରୁ ଚାଲିଯିବା ରାଜ୍ୟବାସୀଙ୍କ ମଧ୍ୟରେ ବିଜେଡିର ଭାବମୂର୍ତ୍ତି ପ୍ରତି ଆହ୍ବାନ ସୃଷ୍ଟି କରିଛି। ସେହିପରି ଆଗାମୀ ରାଜ୍ୟସଭା ନିର୍ବାଚନ ନିର୍ଣ୍ଣୟ କରିବ ଦଳର ଭବିଷ୍ୟତ। ଆଗାମୀ ୨୦୨୬ ମାର୍ଚ୍ଚରୁ ରାଜ୍ୟସଭାରେ ବିଜେଡି ସାଂସଦ ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାଁଙ୍କର କାର୍ଯ୍ୟକାଳ ଶେଷ ହେଉଛି। ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ବିଜେଡି ସହଜରେ ଗୋଟିଏ ଆସନ ହାସଲ କରିପାରିବ ଓ ଶାସକ ବିଜେପି ଦୁଇଟି ନେବ। ଚତୁର୍ଥ ଆସନ ଯେଉଁ ଦଳ ହାତେଇବ ଭବିଷ୍ୟତରେ ରାଜ୍ୟ ରାଜନୀତିରେ ସେହି ଦଳର ପ୍ରଭାବ ଅଧିକ ଦେଖିବାକୁ ମିଳିବ।

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାର ଶାସନ ଭାର ନିଜ ହାତରେ ରଖିଥିବା ବିଜେଡି ଏବେ ୫୧ ବିଧାୟକଙ୍କ ସହ ମୁଖ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ଶାସକ ବିଜେପି ଠାରୁ ଅଳ୍ପ କିଛି ବ୍ୟବଧାନରେ ଥିବା ବିଜେଡିକୁ ୨୦୨୪ ନିର୍ବାଚନ ପରାଜୟ କେବଳ କ୍ଷମତା ଠାରୁ ଦୂରେଇ ଦେଇ ନାହିଁ ବରଂ ସଂଗଠନକୁ ସୁଦୃଢ଼ କରି ରଖିବା ପାଇଁ ଅନେକ ଆହ୍ବାନ ରହିଛି। ବିରୋଧୀ ଦଳ ଆସନରେ ବସିବା ପରଠାରୁ ଅନେକ ତୁଙ୍ଗ ନେତା ଦଳ ଛାଡ଼ୁଥିବା ବେଳେ ପଞ୍ଚାୟତ ପ୍ରଶାସନ ସ୍ତରରେ କ୍ଷତି ସହୁଛି। ବିଜେଡି ବିରୋଧରେ ଅନାସ୍ଥାକୁ ମୁଖ୍ୟ ଅସ୍ତ୍ର କରିଛି ଶାସକ ବିଜେପି। ସାଧାରଣ ନିର୍ବାଚନରେ ପରାଜୟକୁ ନେଇ ଦଳ ଭିତରେ ମୁଣ୍ଡ ଟେକିଥିବା ଅସନ୍ତୋଷ ନିଆଁ କମିଛି ସିନା ପ୍ରଶମିତ ହୋଇପାରି ନଥିବା ବେଳେ ୱାକଫ୍ ବିଲ୍‌ ବିଧେୟକକୁ ଭୋଟ ପ୍ରସଙ୍ଗରେ ଦଳରେ ମତଭେଦ ଲାଗି ରହିଛି। ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୫ ଜଣ ବିଲ୍‌ ସପକ୍ଷରେ, ଜଣେ ବିପକ୍ଷରେ ଭୋଟ ଦେବା ଏବଂ ଜଣେ ଅନୁପସ୍ଥିତ ରହିବା ଘଟଣା ଦଳର ଏକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଓଡ଼ିଶାରେ ୨୦୨୪ ନିର୍ବାଚନ ସାରା ଦେଶରେ ରାଜନୈତିକ ଆଲୋଚନା ପାଇଁ ଖୋରାକ ଯୋଗାଇ ଥିଲା। ଅପ୍ରତ୍ୟାଶିତ ଫଳାଫଳକୁ ସ୍ବୀକାର କରି ବିଜୁ ଜନତା ଦଳ ବିରୋଧୀ ଆସନରେ ବସିଲା। ପ୍ରତ୍ୟେକ ଦେଶ ଓ ରାଜ୍ୟ ରାଜନୀତିରେ ଏହା ସ୍ବାଭାବିକ କଥା। କିନ୍ତୁ ବିଜେଡି ପାଇଁ ବିରୋଧୀ ଆସନ କଣ୍ଟକିତ ହୋଇ ଚାଲିଛି। କ୍ଷମତା ହାତରୁ ଯାଉ ଯାଉ ଅନେକ ତୁଙ୍ଗନେତା ଦଳର ହାତ ଛାଡ଼ି ଦେଲେ। ସର୍ବ ପ୍ରଥମେ ବିଜେଡିର ସର୍ବେସର୍ବା କୁହାଯାଉଥିବା ଭିକେ ପାଣ୍ଡିଆନ୍ ପରାଜୟର ନୈତିକ ଦାୟିତ୍ବ ନେଇ ସକ୍ରିୟ ରାଜନୀତିରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ। କିଛି ଦିନ ପରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମହନ୍ତ ପଦ୍ମ ଦଳକୁ ଆସିବାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଲା। କିନ୍ତୁ ଦୁହେଁ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଲେ। ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନ ଥିବା ବେଳେ ରାଜ୍ୟସଭାରେ ସାଂସଦ ସଂଖ୍ୟା ୯ରୁ ୭କୁ ଖସି ଆସିଛି। ସେମାନଙ୍କ ପରେ ପରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଦଳରେ ପ୍ରାଥମିକ ସଦସ୍ୟତା ନବୀକରଣ କଲେ ନାହିଁ। ଏକଦା ବିଜେପି ଛାଡ଼ି ବିଜେଡିକୁ ଯାଇଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ଗୃହ ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ତଥା ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡି ଟିକଟରେ ଲଢ଼ି ପରାଜିତ ହୋଇଥିବା ସୁନିତା ବିଶ୍ବାଳ ଚଳିତ ମାସ ୧୦ରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଅନେକ ଜିଲାସ୍ତରୀୟ ନେତା ମଧ୍ୟ ବିଜେଡିର ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଛନ୍ତି। ବିଜେପି ନେତାଙ୍କ ଦଳ ଛାଡ଼ିବା ପ୍ରଭାବ ଅନ୍ୟ ନେତାଙ୍କ ମନବଳ ଏବଂ ଦଳୀୟ ସଂଗଠନ ଉପରେ ପ୍ରଭାବ ପକାଇବାକୁ ଅସ୍ବୀକାର କରିହେବ ନାହିଁ।

ରାଜ୍ୟର ଶାସନ ଡୋରି ହାତରୁ ଯିବା ମାତ୍ରେ ପୌର ଓ ପଞ୍ଚାୟତ ପ୍ରଶାସନ ଉପରୁ ମଧ୍ୟ ଧୀରେ ଧୀରେ ବିଜେଡିର ନିୟନ୍ତ୍ରଣ ଖସୁଛି। ଆକ୍ରମଣାତ୍ମକ ମୁଦ୍ରାରେ ଥିବା ଶାସକ ବିଜେପି ପ୍ରତିପକ୍ଷ ବିଜେଡି ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ପ୍ରମୁଖ ଅସ୍ତ୍ର କରିଛି। ‌େ‌ଢଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷ, କେନ୍ଦୁଝର ସଦର ବ୍ଲକ୍ ଅଧ୍ୟକ୍ଷ, ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ, ଝାରସୁଗୁଡ଼ା ପୌରାଧ୍ୟକ୍ଷ, ବ୍ୟାସନଗର ପୌରାଧ୍ୟକ୍ଷ ଭଳି ୮ରୁ ଅଧିକ ଆସନ ବିଜେଡି ହାତରୁ ଯାଇଛି। ସହରପଡ଼ା ବ୍ଲକ୍ ଅଧ୍ୟକ୍ଷ ଏବଂ ପଞ୍ଚାୟତ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗତବର୍ଷ ଅଗଷ୍ଟରେ ୪ ବ୍ଲକ୍‌ରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେଡି ଅଧା ଆସନରେ ସନ୍ତୁଷ୍ଟ ରହିଥିଲା। ଖଲିକୋଟ ବ୍ଲକ୍ ଅଧ୍ୟକ୍ଷ ଆସନରେ ପରାଜୟ ବରଣ କରିବା ସହ ହରଭଙ୍ଗା ବ୍ଲକ୍ ଉପ-ସଭାପତି ଆସନ ହରାଇ ଥିଲା। ନୂଆ ଅଧ୍ୟକ୍ଷ ନିଯୁକ୍ତିରେ ସ୍ଥାନୀୟ ବିଧାୟକଙ୍କର ବଡ଼ ଭୂମିକା ରହିବା ବିଜେପିକୁ ଫାଇଦା ପହଞ୍ଚାଉଛି। ରାଜ୍ୟର ସର୍ବ ବୃହତ ମହାନଗର ନିଗମ ବିଏମ୍‌ସିରେ କିଛି ବିଜେଡି କର୍ପୋରେଟର ଖୋଲାଖୋଲି ଦଳର ନେତୃତ୍ବଙ୍କୁ ଆହ୍ବାନ ଦେଇ ଚାଲିଛନ୍ତି। ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ଦେଢ଼ ବର୍ଷରୁ କମ୍ ସମୟ ଥିବାବେଳେ ଗଡ଼ ବଞ୍ଚାଇବା ବିଜେଡି ପାଇଁ କିଛି କମ୍ କଷ୍ଟକର ହେବ ନାହିଁ। ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ବିଜେଡି ୨୪ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ବିଧାନସଭାର ବିରୋଧୀ ଆସନରେ ପ୍ରଥମଥର ବସିଛି। ଫଳରେ ବିରୋଧୀ ଦଳର ଭୂମିକା ନେଇ ସଂଗଠନରେ ଦ୍ବନ୍ଦ୍ବ ରହିବା କଥାକୁ ଅସ୍ବିକାର କରିହେବ ନାହିଁ। ଗୋପାଳପୁର, ଧରାକୋଟ, ହଇଜା, ଜଣ୍ଡିସ୍, ଆଇନଶୃଙ୍ଖଳା ପ୍ରସଙ୍ଗରୁ ମୁଖ୍ୟ ବିରୋଧୀ ଦଳ ଯେତିକି ଫାଇଦା ନେବା କଥା ତାହା ହୋଇପାରୁ ନାହିଁ। ଓଏଏସ୍ ଅଧିକାରୀଙ୍କୁ ମାଡ଼ ଘଟଣାରେ ବିଜେଡି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲା, ନେତାମାନେ ଗିରଫ ହେଲେ, କିନ୍ତୁ ପୂରା ଶ୍ରେୟ ଓଏଏସ୍ ସଂଘ ନେଇଗଲା। ଗୋଟିଏ ପଟେ ସଂଗଠନକୁ ବଞ୍ଚାଇବା ଦାୟିତ୍ବ ଅନ୍ୟପଟେ ରାଜ୍ୟସଭା, ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ଲାଗି ସଶକ୍ତ ରଣନୀତି ଆହ୍ବାନ ସହ ବିଜେଡିକୁ ଲଢ଼ିବାକୁ ହେବ ବୋଲି ମତ ପ୍ରକାଶ ପାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories