ନୂଆଦିଲ୍ଲୀ: ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ବ୍ୟକ୍ତିବିଶେଷଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ପାକିସ୍ତାନ ପ୍ରସ୍ତୁତ ଥିବା କହିଛନ୍ତି ବିଲାୱଲ ଭୁଟୋ ଜର୍ଦ୍ଦାରୀ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ କହିଛନ୍ତି ଯେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ ଓ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସମେତ ଅନ୍ୟ ମୋଷ୍ଟ ୱାଣ୍ଟେଡ୍ ବ୍ୟକ୍ତି ବିଶେଷଙ୍କୁ ଭାରତ ପ୍ରତ୍ୟର୍ପଣ କରିବା କ୍ଷେତ୍ରରେ ପାକିସ୍ତାନର କୌଣସି ଆପତ୍ତି ନାହିଁ। ଭାରତ ନିକଟରେ ବିଶ୍ବାସଭାଜନ ହେବା ଲାଗି ପାକିସ୍ତାନ ଏପରି କରିବାକୁ ପ୍ରସ୍ତୁତ; ମାତ୍ର ଏ କ୍ଷେତ୍ରରେ ଭାରତ ମଧ୍ୟ ଅନୁରୂପ ସହଯୋଗ କରିବା ଦରକାର ବୋଲି ବିଲାୱଲ କହିଛନ୍ତି। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତ୍କାରରେ ବିଲାୱଲ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦର ସମାଧାନ ନିମନ୍ତେ ଏକ ସମନ୍ବିତ କଥାବାର୍ତ୍ତା କରାଯିବା ଜରୁରୀ। ଏଥିପାଇଁ ଉଭୟ ପରସ୍ପରର ବିଶ୍ବାସଭାଜନ ହେବା ଦରକାର। ବିଶ୍ବାସଭାଜନ ନିମନ୍ତେ ପାକିସ୍ତାନ କୌଣସି ପ୍ରସଙ୍ଗକୁ ନାହିଁ କରିବ ନାହିଁ। ଏପରି କି ହାଫିଜ ସଇଦ ଓ ମାସୁଦ ଆଝାର ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ପାକିସ୍ତାନ ପ୍ରତ୍ୟର୍ପଣ କରିବାକୁ ପ୍ରସ୍ତୁତ। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ମାମଲାରେ ହାଫିଜ ଓ ମାସୁଦ ବିରୋଧରେ ମାମଲା ଚାଲୁ ରହିଛି। ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଏବେ ପାକିସ୍ତାନରେ ୩୩ ବର୍ଷର କାରାଦଣ୍ଡ ଭୋଗୁଛି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ କରିବା ଅଭିଯୋଗରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପାକିସ୍ତାନ ନ୍ୟାସନାଲ କାଉଣ୍ଟର େଟରରିଜିମ୍ ଅଥରିଟି (ନାକ୍ଟା) ଅନୁଯାୟୀ ମାସୁଦ ଆଝାରକୁ ନିଷିଦ୍ଧ କରାଯାଇଛି। ବିଲାୱଲ କହିଛନ୍ତି ଯେ ପାକିସ୍ତାନର ଯେଉଁ ଆତଙ୍କବାଦୀଙ୍କ ବିରୋଧରେ ଭାରତ ମାମଲା ଚାଲୁ କରିଛି ସେହିସବୁ ମାମଲାର ସାକ୍ଷୀମାନଙ୍କୁ ପାକିସ୍ତାନ କୋର୍ଟରେ ମଧ୍ୟ ହାଜର କରାଯାଉ।
Popular Categories



