ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗିର ଓ ମୟୂରଭଞ୍ଜ
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ନୂଆ ରୂପରେ ଲୋକଙ୍କ ପାଖରେ ପହଞ୍ଚିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏଥିରେ ୯୨.୫ ଲକ୍ଷ ହିତାଧିକାରୀଙ୍କୁ ‘ସ୍ମାର୍ଟ ଚିପ୍ କାର୍ଡ’ ବଣ୍ଟନ କରାଯିବାକୁ ରହିଛି। ଏଣିକି କୌଣସି ହିତାଧିକାରୀ ଟଙ୍କା ଓ କାଗଜପତ୍ର ଧରି ଚିକିତ୍ସାଳୟରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସ୍ବାସ୍ଥ୍ୟସେବା ଯେଭଳି ନିର୍ଭରଯୋଗ୍ୟ ହୋଇପାରିବ ତାକୁ ଆଧାର କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ସବୁ ଜିଲାପାଳ ଓ ମହାନଗର ନିଗମ ଆୟୁକ୍ତଙ୍କୁ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଜାରି କରିଛନ୍ତି।
ସେଥିରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲାରେ ଏହି କାର୍ଡ ବଣ୍ଟନ କରାଯିବ। ଏହାପରେ ଅନ୍ୟାନ୍ୟ ଜିଲାରେ ପର୍ଯ୍ୟାୟକ୍ରମେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ। ତେବେ ଏହି କାର୍ଯ୍ୟକ୍ରମ ବେଳେ ନିର୍ଦିଷ୍ଟ କେତୋଟି ଦିଗକୁ ଧ୍ୟାନ ଦେବାକୁ ପଡ଼ିବ। ଏହି ଯୋଜନାରେ ରାଜ୍ୟର ସମସ୍ତଙ୍କୁ ସାମିଲ କରାଯିବ। ସେପ୍ଟେମ୍ବର ପହିଲାରୁ ନୂତନ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଏହି କାର୍ଡ ଜରିଆରେ ଉଭୟ ପୁରୁଷ ଓ ମହିଳାମାନେ ପ୍ରଥମେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ। ଏହାପରେ କେବଳ ମହିଳାମାନେ ଆଉ ଅତିରିକ୍ତ ୫ଲକ୍ଷ ଟଙ୍କାର ସହାୟତା ପାଇପାରିବେ। ଯଦି ଜଣେ ପୁରୁଷ ୩ ଲକ୍ଷ ଟଙ୍କାର ସହାୟତା ନେବା ପରେ ତାଙ୍କର ପତ୍ନୀ ଅସୁସ୍ଥ ହୁଅନ୍ତି ତେବେ ସେ କ୍ଷେତ୍ରରେ ଆଉ ୭ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏଥିରେ ସରକାର ଔଷଧପତ୍ର ମାଗଣା ଦେବାଠାରୁ ଆରମ୍ଭ କରି ରୋଗ ନିରୂପଣ, ଅେସ୍ତ୍ରାପଚାର, ସ୍ବତନ୍ତ୍ର ଯତ୍ନ କୋଠରି ସେବା ପ୍ରଭୃତି ଯୋଗାଇବେ। ଯଦି କୌଣସି ହିତାଧିକାରୀ ଏହି କାର୍ଡ ହଜାଇ ଦିଅନ୍ତି ବା କୌଣସି କାରଣରୁ ନଷ୍ଟ ହୋଇଯାଏ ତେବେ ‘ମୋ ସେବା କେନ୍ଦ୍ର’ ସହାୟତାରେ ନୂତନ କାର୍ଡ ପାଇପାରିବେ। ଜରୁରୀ ଚିକିତ୍ସାର ୭୨ ଘଣ୍ଟା ମଧ୍ୟରେ କାର୍ଡ ଦାଖଲ କରିବାକୁ ପଡ଼ିବ। ତେବେ ନୂତନ କାର୍ଡ ପଞ୍ଜୀକରଣ ଲୋକେ ସିଧାସଳଖ କରିପାରିବେ ନାହିଁ। ଯେଉଁମାନେ ଜାତୀୟ ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ଥିବେ ସେମାନେ ଯୋଗ୍ୟ ହେବେ। ଅଧିକ ସହାୟତା ଲାଗି ୧୦୪କୁ ହିତାଧିକାରୀ ଯୋଗାଯୋଗ କରିପାରିବେ। ଏହି ଯୋଜନାରେ କିଭଳି ସ୍ବାସ୍ଥ୍ୟସେବା ମିଳୁଛି ତାହାର ମତାମତ ସଂଗ୍ରହ କରାଯିବ। ଜନସାଧାରଣ ଆବଶ୍ୟକ ମନେକଲେ ୧୪୫୪୫ ନମ୍ବର ଜରିଆରେ ‘ମୋ-ସରକାର’କୁ ସିଧାସଳଖ ତାଙ୍କର ମତାମତ ଜଣାଇ ପାରିବେ।
ବିଭାଗର ସୂଚନା ଅନୁଯାୟୀ ଏହି ଯୋଜନାରେ ସମସ୍ତ ବିଜୁ କୃଷକ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ସହିତ ୨ ଲକ୍ଷ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀଙ୍କୁ ମିଶାଇ ୭୧ଲକ୍ଷ ୬୯ହଜାର ୬୭୨ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାବାଦ୍ ଅତିରିକ୍ତ ୨୦ଲକ୍ଷ ୮୦ହଜାର ୩୨୮ ପରିବାରକୁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନାରେ ଉତ୍ତମ ଚିକିତ୍ସା ପାଇବା ପାଇଁ ୧୮୩ଟି ଚିକିତ୍ସାଳୟକୁ ସ୍ବୀକୃତି ଦିଆଯାଇଛି। ଏଥିରେ ୧୫୮୯ ପ୍ରକାର ସ୍ବାସ୍ଥ୍ୟସେବା ମିଳିପାରିବ। ରାଜ୍ୟ ବାହାରେ ୧୭ଟି ଚିକିତ୍ସାଳୟରେ ମଧ୍ୟ ହିତାଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟସେବା ପାଇପାରିବେ। ତେବେ ବୌଦ୍ଧ, ଦେବଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଏପର୍ଯ୍ୟନ୍ତ କୌଣସି ଘରୋଇ ଚିକିତ୍ସାଳୟକୁ ଏହି ଯୋଜନାରେ ସ୍ବୀକୃତି ଦିଆଯାଇନାହିଁ। କାର୍ଡ ବଣ୍ଟନ କାର୍ଯ୍ୟରେ ସୂଚନା ପ୍ରଯୁକ୍ତି ବିଭାଗ ସହାୟତା ଯୋଗାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।



