ବରଗଡରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଜିଲାର ୩ ଲକ୍ଷ ୬୪ ହଜାରଙ୍କୁ ମିଳିବ କାର୍ଡ

ବରଗଡ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିସହିତ ରାଜ୍ୟ ସରକାରଙ୍କର ଏହି ସ୍ୱାସ୍ଥ୍ୟ ଯୋଜନାରେ ବରଗଡ ଜିଲା ସାମିଲ ହୋଇଛି । ଜିଲାର ୩ ଲକ୍ଷ ୬୪ ହଜାର ଲୋକ ଏହି କାର୍ଡର ସୁବିଧା ପାଇପାରିବେ । ବରଗଡକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲା ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରର ୭୧ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କରିଥିଲେ । ତାହାସହିତ ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ପାଣି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.