ଭିମସାରରେ ଏକୋଇଶିଆ, ନାମ ‘ବିଜୟିନୀ’

ବୁର୍ଲା : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁର ଏକୋଇଶିଆ ଅାଜି ଭିମସାରରେ ବୁର୍ଲା ଭିମସାର କର୍ତ୍ତୃପକ୍ଷ ଓ ଏସଏସଜି ସୋସାଇଟି ଉପସ୍ଥିତିରେ ପାଳନ କରାଯାଇଛି। ଜୀବନ ସଂଗ୍ରାମରେ ବିଜୟୀ ହୋଇଥିବାରୁ ନାମ ରଖାଯାଇଛି ‘ବିଜୟିନୀ’। ଏହି ଅବସରରେ ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବିମଳକୃଷ୍ଣ ପଣ୍ଡା, ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା, ହସପିଟାଲ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ, ଶିଶୁ ବିଭାଗ ପ୍ରଫେସର ଡା. ସୁବାସ ଚନ୍ଦ୍ର ମାଝି, ଶିଶୁ ବିଭାଗର ସହଯୋଗୀ ପ୍ରଫେସର ଡା. ସଂଯୁକ୍ତା ପଣ୍ଡା ଓ ପ୍ରଫେସର ବୀରେନ୍ଦ୍ର ପ୍ରଧାନ, ମେଡିସିନ ବିଭାଗ ସହକାରୀ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ଏବଂ ଏସଏସଜି ସମ୍ପାଦକ ଟିକେଶ୍ୱର ଶତନାମୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସାଧାରଣ ପୂଜାବିଧି କରାଯାଇ ଶିଶୁକନ୍ୟାର ନାମ ‘ବିଜୟିନୀ’ ଦିଆଯିବା ସହିତ କେକ୍‌ ମଧ୍ୟ କଟାଯାଇଥିଲା। ଏହା ସହିତ ବୁର୍ଲା ଜୁନାପାଣି କୁଷ୍ଠ କଲୋନୀବାସୀଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ପାଖରେ ଥିବା ଶାଗୁଆନ ଜଙ୍ଗଲ ତଳି ପଡ଼ିଆରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ଗତମାସ ୧୨ ତାରିଖରେ ପ୍ରାୟ ୭ ଘଣ୍ଟାର କଠିନ ପରିଶ୍ରମ ପରେ ପ୍ରାୟ ୧୫ ଫୁଟ ତଳେ ଫସି ରହିଥିବା ନବଜାତ ଶିଶୁକୁ ଜୀବିତ ଉଦ୍ଧାର କରାଯାଇଥିଲା। ଅପରାହ୍ନରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ଜେଏସଡବ୍ଲୁ ଭୂଷଣ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କରିଥିଲେ। ଡାକ୍ତରୀ ଟିମ ଶିଶୁର ସ୍ବାସ୍ଥ୍ୟ ଉପରେ ନଜର ରଖିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉଦ୍ଧାର କାର୍ଯ୍ୟ ମନିଟରିଂ କରୁଥିଲା। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ କଟକରୁ ଜଣେ ବୈଷୟିକ ବିଶେଷଜ୍ଞଙ୍କ ସହ ଭିକ୍ଟିମ୍‌ ଲୋକେସନ୍‌ କ୍ୟାମେରା ହେଲିକେପ୍ଟର ଯୋଗେ ଝାରସୁଗୁଡ଼ାକୁ ଆସି ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ଶିଶୁଟି ଉଦ୍ଧାର ହେବାପରେ ସେଠାରେ ସ୍ଥିତ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ସହ ଗ୍ରୀନ କରିଡରରେ ବୁର୍ଲାସ୍ଥିତ ଭିମସାରକୁ ପଠାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ଶିଶୁଟିର ସଂକ୍ରମଣ ଥିବାବେଳେ ପରେ ସେ ଧିରେ ଧିରେ ସୁସ୍ଥ ହୋଇଥିଲା। ଭିମସାରର ପାଞ୍ଚଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁ ବିଭାଗର ପ୍ରଫେସର ଡା. ସୁବାସ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଶିଶୁକନ୍ୟାର ଚିକିତ୍ସା କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଶିଶୁକନ୍ୟାର ଜନ୍ମଦାତ୍ରୀର କୌଣସି ଖୋଜଖବର ମିଳି ପାରିନାହିଁ।

Comments are closed.