www.samajalive.in
Saturday, December 6, 2025
17.1 C
Bhubaneswar

ନୂଆ ଭୂମିକାରେ ଆସିବେ କି ବିଜୟ?

ଭୁବନେଶ୍ୱର: ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ଖୁବ୍‍ଶୀଘ୍ର ସେ ବିଜେପି ଛାଡ଼ିବେ ବୋଲି ସୂଚନା ଦେଇଥିବା ବେଳେ ଶୁକ୍ରବାର ସେ ଏହି ପଦକ୍ଷେପ ନେବାକୁ ଯାଉଥିବା ଗତ ତିନି ଚାରିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାକୟ ବିଜେପି ଛାଡ଼ିଥିବା ଘୋଷଣା କରିଛନ୍ତି। ପ୍ରାୟ ୧ ଘଣ୍ଟା ଭିତରେ ବିଜେପିର ଦୁଇ ବରିଷ୍ଠ ନେତା ଦଳ ଛାଡ଼ିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଦୀର୍ଘ ଦିନ ଧରି ବିଜୟ ମଧ୍ୟ ଦିଲ୍ଳୀପଙ୍କ ଭଳି ବିଜେପିରେ କଣଠେସା ହୋଇରହିଥିବା ଅଭିଯୋଗ ହୋଇ ଆସୁଥିଲା। ଇସ୍ତଫା ଦେବା ପରେ ବିଜୟ କହିଛନ୍ତି ଯେ ଦଳରେ ମିଶିବା ବେଳେ ଯେଉଁମାନେ ସହଯୋଗ କରିଥିଲେ ଏବଂ ଯେଉଁମାନେ ନିନ୍ଦା କରୁଥିଲେ ସମସ୍ତଙ୍କୁ ଧନ୍ୟବାଦ।
ବିଜେପିରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିଜୟ କହିଥିଲେ ଯେ ଏଥିପାଇଁ ଆଉ ୧୫ ଦିନ ଅପେକ୍ଷା କରିବାକୁ ପଡ଼ିବ। ଦିଲ୍ଲୀପ ରାୟ ଇସ୍ତଫା ଦେବା ପରେ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଫେରିବା ପରେ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ହେବ। ତେଣୁ ଦୁଇ ନେତାଙ୍କ ମଧ୍ୟରେ ବହୁ ପୂର୍ବରୁ ରାଜ୍ୟ ରାଜନୀତିକୁ ନେଇ ଏକ ସୁଚିନ୍ତିତ ଯୋଜନା ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ସେହିପରି ଦିଲ୍ଲୀପ ଓ ବିଜୟଙ୍କ ପରି ଦୁଇ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କ ବିଧିବଦ୍ଧ ଇସ୍ତଫା ଘୋଷଣା ପରେ ରାଜ୍ୟ ରାଜନୀତିରେ ନୂଆ ଅଙ୍କକଷା ଆରମ୍ଭ ହୋଇଛି।
ଅନ୍ୟଦଳରେ ଯୋଗଦାନ ସମ୍ଭାବନା ଓ ଇସ୍ତଫାର କାରଣ ସମ୍ପର୍କରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବିଜୟ ମହାପାତ୍ର କହିଛନ୍ତି ଯେ ଦଳରେ ଥିବା ବେଳେ ଯାହା କିଛି ସମସ୍ୟା ଥିଲା ତାହାର ସମାଧାନ ପାଇଁ ଦଳର ତୁଙ୍ଗ ନେତାଙ୍କ ସହିତ ବହୁବାର ଆଲୋଚନା ଓ ଉଦ୍ୟମ କରଯାଇଛି। କିନ୍ତୁ କୌଣସି ଫଳ ମିଳିନାହିଁ। ଦଳ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପ୍ରେରିତ ଇସ୍ତଫା ପତ୍ରରେ ସବୁ ବିଷୟ ଉଲ୍ଳେଖ ରହିଛି। ତେବେ ଇସ୍ତଫା ପତ୍ରରେ କଣ ସବୁ ଲେଖାଯାଇଛି ସେ ସମ୍ପର୍କରେ ସୂଚନା ଦେବାକୁ ଶ୍ରୀ ମହାପାତ୍ର ମନା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ସବୁ ଘଟଣା ଆଲୋଚନା ସମ୍ଭବ ନୁହେଁ। ସେ କେବଳ ଏତିକି କହିଛନ୍ତି ଯେ ବିଜେପିରେ ଯୋଗ ଦେବା ସେତେବେଳେ ଏକ ଭୁଲ୍‍ ନିଷ୍ପତ୍ତି ଥିଲା। ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ବିଜେପିର ଆନ୍ତରିକତା ନାହିଁ। ଦିଲ୍ଲୀପ ରାୟଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ଭବିଷ୍ୟତରେ ବହୁତ କିଛି ଆଲୋଚନା ହେବ ଏବଂ ଅନେକ ଅନାଲୋଚିତ ପ୍ରସଙ୍ଗ ସାମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଆଗାମୀ ଦିନରେ ସେ କେଉଁ ପ୍ରସଙ୍ଗ ଉପରୁ ପରଦା ହଟାଇ ପାରନ୍ତି, ତାଙ୍କ କାର୍ଯ୍ୟପନ୍ଥା ଦ୍ୱାରା ବିଜେପି କେତେ ପ୍ରଭାବିତ ହେବ ଓ ଅନ୍ୟ ଦଳ କେତେ ଲାଭବାନ ହେବେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି।
ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ କୌଣସି ଦଳ ସହିତ ଆଲୋଚନା ହୋଇନାହିଁ। ତେବେ ରାଜ୍ୟର ସ୍ୱାର୍ଥକୁ ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ। ଏବେ କେଉଁ ଦଳର ସ୍ଥିିତି ମଧ୍ୟ ସ୍ପଷ୍ଟ ନୁହେଁ। ବିଜେପିର ୧୨୦ ମିଶନ୍‍କୁ ଝଟ୍‍କା ଲାଗିବ କି ନାହିଁ ତାହା ମିଶନ୍‍ ଘୋଷଣା କରିଥିବା ବ୍ୟକ୍ତିମାନେ ହିଁ କହିପାରିବେ।
ତେବେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ବିଜୟଙ୍କ ଭୂମିକା କଣ ରହିବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ବିଜେପିରୁ ବିଜୟଙ୍କ ଇସ୍ତଫା ପରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତିରେ ସେ ଏକ ବଡ଼ ଭୂମିକା ନିର୍ବାହ କରିପାରନ୍ତି ବୋଲି ଆଉ ଏକ ଗୋଷ୍ଠୀ ଆଲୋଚନା କରୁଛନ୍ତି। ବିଜେଡି ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବିଜୟ ମହାପାତ୍ର ଆଗାମୀ ଦିନରେ ବିଜୁ ସମତା କ୍ରାନ୍ତି ଦଳର ସାଂଗଠନିକ ଭିତ୍ତିଭୂମି ନିର୍ମାଣରେ ବିନ୍ଧାଣୀ ସାଜିବେ କିମ୍ବା ବିଜେଡିରେ ଯୋଗ ଦେବେ ତାହାକୁ ନେଇ ଉତ୍ସୁକତା ଦେଖାଦେଇଛି।

ଗୌରୀ ପ୍ରସାଦ ମହାପାତ୍ର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories