www.samajalive.in
Sunday, December 14, 2025
23.1 C
Bhubaneswar

ଦୀପାବଳିରେ ବିଦୁଲତାଙ୍କ ଦୀପ : ସାହା ହେଲେ ସବ୍ୟସାଚୀ, କହିଲେ- ‘ଆମ ଘରେ ଦୀପ, ମାଉସୀଙ୍କ ଘରେ ଚୁଲି ଜଳିବ’

ଭୁବନେଶ୍ୱର : ‘ବଳ ବୟସ ଗଲାଣି। ୫୫ ଛୁଇଁଲାଣି। ପାଠ ଦି’ ଅକ୍ଷର ପଢ଼ି ନାହିଁ। କ’ଣ ବା କାମ କରିପାରିବି। ସେଇ କୌଳିକବୃତ୍ତି ମାଟି କାମ ଯାହା କରିବି।’ ଏଭଳି କୋହଭରା ସ୍ୱର ଥିଲା ବାଳକାଟିର ବିଦୁଲତାଙ୍କର। ଯିଏ କି ଜଣେ ଅସହାୟ ମହିଳା। ସ୍ୱାମୀଙ୍କ ପରଲୋକର ୫ ମାସ ବିତିଗଲାଣି ହେଲେ ଏଯାଏଁ ତାଙ୍କୁ ବିଧବା ଭତ୍ତାଟିଏ ମିଳିପାରି ନାହିଁ। ତେବେ ସାହସ ଓ ସହାନୁଭୂତି ଜଣେ ମଣିଷକୁ ମାନସିକସ୍ତରରେ କେତେ ଯେ ସହାୟକ ହୁଏ ତା’ର ନିଚ୍ଛକ ଉଦାହରଣ ବିଦୁଲତା। ମାନସିକ ଅଶାନ୍ତିରେ ଯିଏ କାମ କରିପାରୁ ନଥିଲେ ସିଏ ଏବେ ଦିନକୁ ୫୦୦ରୁ ଅଧିକ ଦୀପ ତିଆରି କରୁଛନ୍ତି। ଆଉ ଏହାପଛରେ ରହିଛି ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀଙ୍କ ମହତ ଅବଦାନ।

ଖୋର୍ଦ୍ଧା ଜିଲା ବାଳକାଟିର ମାଉସୀ ବିଦୁଲତା ଦେଈ। ତାଲାବନ୍ଦ ଆରମ୍ଭରେ ନିଜ ସ୍ୱାମୀଙ୍କୁ ହରାଇଥିଲେ। ନାଳକୁ ଗାଧୋଇବାକୁ ଯାଇ ସ୍ବାମୀ ପାଣିରେ ବୁଡ଼ି ଯାଇଥିଲେ। ଟଙ୍କା ଅଭାବରୁ ଗାଁର କିଛି ଯୁବଗୋଷ୍ଠୀ ଓ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବା ସହ ଚାନ୍ଦାଭେଦା କରି ଶବସତ୍କାର କରିଥିଲେ। ସ୍ୱାମୀଙ୍କ ପରଲୋକଠାରୁ ବିଦୁଲତାଙ୍କ ଆଖିରୁ ଲୁହ ଶୁଖୁନି। ଏମିତିକି ମାନସିକ ରୋଗ ମାଡ଼ିବସିଛି। ସାଙ୍ଗରେ ୧୨ ବର୍ଷର ଝିଅ। ପରିବାର କେମିତି ଚଳିବ, କିଏ ଟଙ୍କା ଦେବ, ଝିଅର ପାଠପଢ଼ା କେମିତି ହେବ ଏବଂ ଝିଅ ଭବିଷ୍ୟତକୁ ନେଇ ମାନସିକ ଅଶାନ୍ତିରେ ସେ କାଳାତିପାତ କରୁଛନ୍ତି। ଏବେ ସେ ଘରେ ଏକାକୀ ରହୁଥିବାବେଳେ ଜୀବନଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ପୂର୍ବରୁ ମାଟି ତିଆରି ହାଣ୍ଡି ଓ ଦୀପ ସହ ଅନ୍ୟ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ ହେଉଥିଲା। ଲକ୍‌ଡାଉନ୍‌ ବେପାର ବିଗାଡ଼ିଦେଲା।

ସବ୍ୟସାଚୀଙ୍କ ସହଯୋଗ ଶୁଣିବା ପରେ ଗାଁର କିଛି ଯୁବକ ଯୋଗାଯୋଗ କରିଥିଲେ। ବାସ୍‌ ଏହାପରେ ସବ୍ୟସାଚୀ ତାଙ୍କ ସହ ଫୋନ୍‌ ଯୋଗେ କଥା ହେବା ପରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ବିଦୁଲତା ମାନସିକଭାବେ ଭାଙ୍ଗି ପଡ଼ିବା ସହ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ସବ୍ୟସାଚୀ ତାଙ୍କୁ ବଞ୍ଚିବାର ରାହା ଦେଇଛନ୍ତି। ଯେହେତୁ ସେ ଅନ୍ୟକୌଣସି କାମ କରିପାରିବେ ନାହିଁ ତେଣୁ ମାଟି କାମକୁ ଆଦରିଛନ୍ତି। ହାଣ୍ଡି, ଉଠାଚୁଲି, ମାଟିଦୀପ ତିଆରି କରିବାକୁ ମନସ୍ଥ କରିଛନ୍ତି। କରୋନା କଟକଣା ଯୋଗୁଁ ଏବେ ମାଟି ସାମଗ୍ରୀର ବେପାର ବନ୍ଦ ରହିଥିବାବେଳେ ଦୀପାବଳିରେ ଅଧିକ ଦୀପ ତିଆରି କରିବାକୁ ସବ୍ୟସାଚୀ ପରାମର୍ଶ ଦେଇଛନ୍ତି। ଯାହାକୁ ବିନା ଚକରେ ବିଦୁଲତା ତିଆରି କରିପାରିବେ। ଦୀପାବଳି ପୂର୍ବରୁ ଯେତେସଂଖ୍ୟାରେ ଦୀପ ତିଆରି କରିବେ ତାହାକୁ ସବ୍ୟସାଚୀ କିଣିବେ ବୋଲି ବିଦୁଲତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହିସବୁ ଦୀପକୁ ନେଇ ଦୀପାବଳି ଅବସରରେ ପ୍ରତି ଜିଲାରେ ଦେବେ ଏବଂ ଦୀପାବଳିରେ ସାରା ଓଡ଼ିଶାରେ ବିଦୁଲତା ମାଉସୀଙ୍କ ଦୀପ ଜଳିବ ବୋଲି ସବ୍ୟସାଚୀ କହିଛନ୍ତି। ସବ୍ୟସାଚୀଙ୍କ ଏଭଳି ସହାୟତାକୁ ବିଦୁଲତା ପ୍ରଶଂସା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି। ସବ୍ୟସାଚୀ କହିଛନ୍ତି ଏମିତି ଲୋକଙ୍କଠାରୁ ଦୀପ କିଣନ୍ତୁ ଯାହାଦ୍ୱାରା ଆମ ଘରେ ଦୀପ ଏବଂ ତାଙ୍କ ଘରେ ଚୁଲି ବି ଜଳିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories