ଭୁବନେଶ୍ବର : ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏୟାରଇଣ୍ଡିଆ ବିମାନରେ ନୂଆଦିଲ୍ଲୀ ଯାତ୍ରା କରୁଥିବା ୨ ଜଣ ଯାତ୍ରୀଙ୍କ ହ୍ୟାଣ୍ଡ ବ୍ୟାଗରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ବେଳେ ୫୭,୬୧,୩୦୦ ଟଙ୍କା ଜବତ କରାଯାଇଛି। ଦୁଇ ଯାତ୍ରୀ ଉତ୍ତରପ୍ରଦେଶର ଫିରୋଜବାଦ୍ର ବୋଲି ଜଣାପଡିଛି। ସେମାନେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ଏବଂ କାହାକୁ ଦେବାକୁ ନେଉଥିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ସେମାନଙ୍କୁ ଅଟକ ରଖି ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। କୁଆଲାଲମ୍ପୁର ଏବଂ ବ୍ୟାଙ୍ଗକକ୍ରୁ ରାଜ୍ୟକୁ ଅନେକ ଥର ଚୋରାରେ ସୁନା ଚାଲାଣ ହେଉଥିବା ବେଳେ ବିଜୁପଟ୍ଟନାୟକ ବିମାନବନ୍ଦରରେ ଧରାପଡିଛି।
ସେହିପରି ଦାମୀ ସିଗାରେଟ୍ ଚାଲାଣ ବେଳେ ଧରାପଡିଛି। ହେଲେ ଏଥର ନଗଦ ଟଙ୍କା ଚାଲାଣ ହେଉଥିବା ନେଇ ଜଣେ ସିଆଇଏସ୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି। ସିଆଇଏସ୍ଏଫ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଫିେରାଜବାଦ୍ ପୁରୁଣାମଣ୍ଡିର ଫାରୁଲ୍ ଗୁପ୍ତା ଓ ଆଦର୍ଶନଗର ଅଂଶୁଲ୍ ଗୁପ୍ତା ଦୁହେଁ ମଙ୍ଗଳବାର ସଂଧ୍ୟାରେ ନୂଆଦିଲ୍ଲୀକୁ ଯାଉଥିବା ବିମାନରେ ଯାତ୍ରା କରିବାକୁ ଆସିଥିଲେ। ସେମାନଙ୍କ ହ୍ୟାଣ୍ଡ୍ବ୍ୟାଗ୍କୁ ସ୍କାନ କରାଯିବା ବେଳେ ସେଥିରେ କାଗଜ ବିଡ଼ା ଥିବା ଦେଖାଯାଇଥିଲା। ତେଣୁ ସେମାନଙ୍କର ବ୍ୟାଗ୍କୁ ଯାଞ୍ଚ କରାଯିବା ଲାଗି ସିଆଇଏସ୍ଏଫ୍ ଅଧିକାରୀ କହିଥିଲେ ବ୍ୟାଗ୍ ଖୋଲିବା ପରେ ଦୁଇଟି ବ୍ୟାଗ୍ରେ ଭାରତୀୟ ମୁଦ୍ରାର ବିଡ଼ା ଥିବା ଦେଖାଯାଇଥିଲା। ଗୋଟିଏ ବ୍ୟାଗ୍ରେ ୪୩,୯୪,୩୦୦ ଟଙ୍କା ଥିବା ବେଳେ ଅନ୍ୟ ଏକ ବ୍ୟାଗ୍ରେ ୧୩,୬୭,୦୦୦ ଟଙ୍କା ଥିଲା। ଦୁଇ ଜଣଙ୍କର ବ୍ୟାଗ୍ରୁ ମୋଟ୍ ୫୭,୬୧,୩୦୦ ଟଙ୍କା ଜବତ କରାଯାଇଥିଲା। ସେମାନେ ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥିଲା।



