‘ଗୋପବନ୍ଧୁ ମାନବବାଦୀ ଆନ୍ଦୋଳନର ଅଗ୍ରଦୂତ’
ବିନ୍ଦୁସାଗରରେ ତିଳତର୍ପଣ, ଗୋପବନ୍ଧୁ ଛକରେ ମାଲ୍ୟାର୍ପଣ
ଭୁବନେଶ୍ବର: ମହାନ ଦେଶଭକ୍ତ, ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣ କରିଛି। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବୁଧବାର ସକାଳେ ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟ ପକ୍ଷରୁ ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀ ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଥିଲା। ବରେଣ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଗୋପବନ୍ଧୁ ମାନବବାଦୀ ଆନ୍ଦୋଳନର ଅଗ୍ରଦୂତ ଥିଲେ ବୋଲି ସେ ମତପୋଷଣ କରିଥିଲେ। ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦାନ କରିଥିଲେ ।
ସେପଟେ ସେବା ସପ୍ତାହ ପାଳନ ଅବସରରେ ମହାନ୍ ସେବକ, କବି, ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ଚୌଦ୍ୱାରର ଶିଶୁସଦନରେ ପାଳିତ ହୋଇ ଯାଇଛି । ‘ସମାଜ’ ପ୍ରତିନିଧି ରମେଶ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ତଥା ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁସଦନର ମୁଖ୍ୟ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ, ଇଂ ହରିହର ରଣା, ଭାଗିରଥୀ ସାହୁ, ଚୌଦ୍ୱାର ସାହିତ୍ୟ ସଂସଦ ସଭାପତି ବିଶ୍ୱକଲ୍ୟାଣ ଦାସ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ ପ୍ରମୁଖ ଉତ୍କଳମଣିଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରି ସେବା କ୍ଷେତ୍ରରେ ସେ ବିଶ୍ୱବାସୀଙ୍କ ପାଇଁ ଉଦାହରଣ ସୃଷ୍ଠି କରିପାରଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
କାଉନସିଲର ଆଶୁତୋଷ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ହିନ୍ଦ୍ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଦନା ମହାନ୍ତି, ଦେବୀଦତ୍ତା ସାହୁ, ପୂର୍ଣ୍ଣିମା ପ୍ରଧାନ, ମାମିନା ନାୟକ, ମିତା ବଳସାମନ୍ତଙ୍କ ସମେତ ଶିଶୁସଦନର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିଶୁସଦନ ଅନ୍ତେବାସୀଙ୍କଦ୍ୱାରା ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା ଓ ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
Comments are closed.