‘ଉତ୍କଳମଣି ମାନବ ସମାଜର ସୂର୍ଯ୍ୟ’

ସମ୍ବର୍ଦ୍ଧିତ ହେଲେ ୪ ପ୍ରତିଭା

ଭୁବନେଶ୍ବର:  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ମାନବ ସମାଜର ସୂର୍ଯ୍ୟ। ଏବେବି ତାଙ୍କଠାରୁ ଶିଖିବାର ଅଛି ବୋଲି ବରିଷ୍ଠ ଅଭିନେତା ତଥା ସାଂସଦ ଡ. ପ୍ରଶାନ୍ତ ନନ୍ଦ କହିଛନ୍ତି ।
ଓଡ଼ିଶା ନାଗରିକ ସମାଜ, ଭୁବନେଶ୍ବର ଚାପ୍ଟର ଏବଂ ‘ସମାଜ’ ଭୁବନେଶ୍ବର ଶାଖା ଆନୁକୂଲ୍ୟରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ‘ସେବା ଓ ସେବକ’ ଦିବସ ପାଳନ ସହିତ ଏକ ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥିଭାବେ   ଡ. ନନ୍ଦ ଗୋପବନ୍ଧୁଙ୍କୁ  ମହାନ ମାନବବାଦୀ ଓ ଦେଶପ୍ରେମୀ ଭାବେ ଅଭିହିତ କରିଥିଲେ।

ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ କହିଲେ, ମାନବଜାତିର ମଉଡ଼ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ।   ସତ୍ୟବାଦୀର ପଞ୍ଚସଖାଙ୍କ ଆଦର୍ଶ ଏବଂ ସତ୍ୟବାଦୀ ଶିକ୍ଷା ପଦ୍ଧତିକୁ ଏକ ଯୁଗୋପଯୋଗୀ ଶିକ୍ଷା ପ୍ରଣାଳୀ ବୋଲି ସେ ଦର୍ଶାଇଥିଲେ। ପୂର୍ବତନ ନିର୍ବାଚନ ଆୟୁକ୍ତ ତଥା ଲେଖକ ରବିନାରାୟଣ ସେନାପତି, ପ୍ରାକ୍ତନ ରାଜସ୍ବ ବୋର୍ଡ ସଦସ୍ୟ  ସଞ୍ଜୀବ ଚନ୍ଦ୍ର ହୋତା, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାଶ, ପ୍ରାକ୍ତନ ଆୟକର ଆୟୁକ୍ତ ଶରତ ଚନ୍ଦ୍ର ଦାଶ ବକ୍ତବ୍ୟରେ ଗୋପବନ୍ଧୁଙ୍କୁ ଆଦର୍ଶ ଓ ଯୋଗଜନ୍ମା ପୁରୁଷ ଭାବେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ  ବରି‌ଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ପ୍ରଦୋଷ ପଟ୍ଟନାୟକ, ‌ଲେଫ୍ଟନାଣ୍ଟ କ‌େ‌ର୍ଣ୍ଣଲ ଡ. ଜ୍ୟୋତିର୍ମୟ ଶତପଥୀଙ୍କ ସହିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ପୂର୍ବତନ ‘ସେବି’ ସଦସ୍ୟ ଶରତ ଚନ୍ଦ୍ର ଭଦ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଶେଷରେ ଦେଶାତ୍ମବୋଧ ଓ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ ପ୍ରତୀକ୍ଷା ତ୍ରିପାଠୀ ଓ ଇଟିକିଲି ମିଟିକିଲି ଅନୁଷ୍ଠାନର ଛାତ୍ରଛାତ୍ରୀ  ଯୋଗ ଦେଇଥିଲେ।    ଅନୁରାଧା ଦାଶ, ଚମକ ଚାନ୍ଦିନୀ ଦାଶ, ମଞ୍ଜୁଳା ତ୍ରିପାଠୀ, ମମତା ବାଜପେୟୀ, ଓଡ଼ିଶା ବରିଷ୍ଠ ନାଗରିକ ସଂଘର ସଭାପତି ଓ ସମ୍ପାଦକ ପ୍ରମୁଖ ଯୋଗଦେଇଥିଲେ।  ଅବସରପ୍ରାପ୍ତ ପ୍ରଶାସକ ତଥା ନାଗରିକ ସମାଜ ଓଡ଼ିଶା ଚାପ୍ଟର ସମ୍ପାଦକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.