ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଦଳିତ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ରବିବାର ନୂଆଦିଲ୍ଲୀର ରାମଲୀଳା ମୈଦାନରେ ବିଜେପି ପକ୍ଷରୁ ‘ଭୀମ ମହାସଙ୍ଗମ ବିଜୟ ସଙ୍କଳ୍ପ ୨୦୧୯ ରାଲି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଏକ ସଙ୍କଳ୍ପ ପତ୍ର ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୪ ଲକ୍ଷ ଲୋକଙ୍କ ସହ ସମ୍ପର୍କ ଯୋଡ଼ାଯାଇ ପାରିବ । ଏହି ମାଧ୍ୟମରେ ସମାଜରେ ଜାତିଗତ ସମାନତାର ବାର୍ତ୍ତା ପହଞ୍ଚାଇବା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଦଳ କର୍ମକର୍ତ୍ତାମାନେ ୫ ହଜାର କିଲୋ ‘ସମରସତା ଖେଚୁଡି’ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ଏହି ‘ସମରସତା ଖେଚୁଡି’ ପ୍ରସ୍ତିୁତ ପାଇଁ ବିଜେପି କର୍ମକର୍ତ୍ତା ଦିଲ୍ଲୀର ୧୪ଟି ଜିଲାର ଘର ଘର ବୁଲି ଚାଉଳ, ଡାଲି, ଲୁଣ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛନ୍ତି। ପ୍ରାୟ ୨ଲକ୍ଷ ୮୦ ହଜାର ପରିବାରଙ୍କ ଘରୁ ଏକତ୍ରିତ ହୋଇଥିବା ସାମଗ୍ରୀରୁ ୫ ହଜାର କିଲୋ ‘ସମରସତା ଖେଚୁଡି’ ପ୍ରସ୍ତୁତ କରାଯାଉଛି । ନାଗପୁର ପ୍ରସିଦ୍ଧ ରୋଷେୟା ବିଷ୍ଣୁ ମନୋହର ଏହାକୁ ପ୍ରସ୍ତୁତ କରୁଛନ୍ତି । ତାଙ୍କ ସହଯୋଗୀଙ୍କ ସହ ୨୦ ଫୁଟ୍ ବ୍ୟାସ ଏବଂ ୬ ଫୁଟ୍ ଗଭୀର ବିଷିଷ୍ଟ ଏକ ପାତ୍ରରେ ଏହି ଖେଚୁଡି ପ୍ରସ୍ତୁତ କରାଯାଉଛି । ରାଲିରେ ସାମିଲ ହେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଏହି ଖେଚୁଡି ବଣ୍ଟାଯିବ ।



