ବଳାତ୍କାର ଅଭିଯୁକ୍ତକୁ ଫାଶୀ ପାଇଁ ଦାବି କଲେ ବାପା
ଉଜ୍ଜୟିନ୍ : ମଧ୍ୟପ୍ରଦେଶର ଉଜ୍ଜୟିନ୍ଠାରେ ଘଟିଥିବା ନାବାଳିକା ବଳାତ୍କାର ଓ ପରବର୍ତ୍ତୀ ଅମାନବୀୟ ଘଟଣାର ମୁଖ୍ୟ ଅଭିଯୁକ୍ତ ଭରତ ସୋନିକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାର ବାପା। ଗୁରୁବାର ପୁଲିସ ଅଟୋଚାଳକ ଭରତକୁ ଗିରଫ କରିଥିଲା। ତା’ ପାଇଁ ମାମଲା ନ ଲଢ଼ିବାକୁ ସ୍ଥାନୀୟ ଆଇନଜୀବୀମାନେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉଜ୍ଜୟିନ୍ ବାର୍ ଆସୋସିଏସନ୍ ସଭାପତି ଅଶୋକ ଯାଦବ କହିଛନ୍ତି ଯେ ଏହି ଘଟଣା ପ୍ରସିଦ୍ଧ ତୀର୍ଥ କ୍ଷେତ୍ରକୁ ବଦନାମ କରିଛି; ତେଣୁ କୌଣସି ଆଇନଜୀବୀ ଅଭିଯୁକ୍ତ ପାଇଁ ମାମଲା ପରିଚାଳନା କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଅଭିଯୁକ୍ତର ବାପା କହିଛନ୍ତି ଯେ ପୁଅର କାର୍ଯ୍ୟ ଅତ୍ୟନ୍ତ କୁତ୍ସିତ ଓ ଲଜ୍ଜାଜନକ। ତାକୁ ଭେଟିବା ପାଇଁ ମୁଁ କିମ୍ବା ପରିବାରର କେହି ଯାଇ ନାହୁଁ। ତା’ ପାଇଁ ଆମେ ଅଦାଲତ କିମ୍ବା ଥାନାକୁ ମଧ୍ୟ ଯିବୁନାହିଁ। ତାକୁ ଫାଶୀ ଦିଆଯିବା ଦରକାର। ପୀଡ଼ିତା ମୋ ଝିଅ ହୋଇଥିଲେ ମୋର ଅବସ୍ଥା କ’ଣ ହୋଇଥାନ୍ତା ବୋଲି ସେ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂେର୍ଯ୍ୟୱାଲା ଚିକିତ୍ସାଧୀନ ପୀଡ଼ିତାକୁ ଇନ୍ଦୋରର ହୋଲକାର ଓମେନ୍ସ ହସ୍ପିଟାଲରେ ଭେଟିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ମହିଳା, ଶିଶୁକଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳା ଆୟୋଗ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ଦଳର ମୁଖପାତ୍ର ସୁପ୍ରିୟା ସିନାଟେ।
Comments are closed.